ବାତ୍ୟା ପ୍ରଭାବିତଙ୍କ ଦୁଃଖ ବୁଝିଲେ ଚିକିଟି ବିଧାୟକ

ବ୍ରହ୍ମପୁର: ବାତ୍ୟା ‘ମୋନ୍ଥା’ର ପ୍ରଭାବରେ ଗଞ୍ଜାମ ଜିଲାରେ ଲଗାତାର ଦୁଇ ଦିନ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଦେଖିବାକୁ ମିଳିଲା। ଅନେକ ସ୍ଥାନରେ ଜଳବନ୍ଦୀ ସମସ୍ୟା ଦେଖାଦେଲା। ଜିଲାର ଚିକିଟି ନିର୍ବାଚନ ମଣ୍ଡଳୀର ପାତ୍ରପୁର ବ୍ଳକରେ ଲଗାଣ ବର୍ଷା ଯୋଗୁ ଅଞ୍ଚଳବାସୀ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି। ସୀମାନ୍ତ ଅଞ୍ଚଳରେ ଥିବା ବି. ନୂଆଗାଁ, କେଶରୀପଡା, ଗୁଡିପଦର ପଞ୍ଚାୟତର ଚିଡିପୁଡି, କେଶରୀପଡା, ଜୟନ୍ତିପୁର, ଟୁଟିପୁର, ବଳରାମପୁର, ସବରଦେଇପେଟା, ଟି,ବ୍ରହ୍ମପୁର ସମେତ ଏକାଧିକ ଗାଁ ଜଳମଗ୍ନ ହୋଇଥିବା ଦେଖିବାକୁ ମିଳିଛି। ବର୍ଷାର ପରିମାଣ ଅଧିକ ଥିବା ବେଳେ ସଠିକ୍ ଭାବେ ଜଳ ନିଷ୍କାସନ ହୋଇପାରି ନାହିଁ। ଯଦ୍ୱାରା ରାସ୍ତା ଉପରେ ପାଣି ଚାଲିଛି। ଚାଷ ଜମି ପୋଖରୀର ଭ୍ରମ ସୃଷ୍ଟି କରୁଛି। ଚାରି ଆଡେ ଖାଲି ପାଣି ହିଁ ଦେଖା ଯାଉଛି। ଲୋକଙ୍କ ସ୍ଥିତି ବୁଝିବା ପାଇଁ ବୁଧବାର ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ସୀମାନ୍ତ ଅଞ୍ଚଳରେ ପହଞ୍ଚି ଥିବା ବେଳେ ଜଳମଗ୍ନ ଅଞ୍ଚଳ ଦେଖି ସଙ୍ଗେ ସଙ୍ଗେ ପାତ୍ରପୁର ତହସିଲଦାର ଓ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କୁ ସୂଚନା ଦେଇଥିଲେ । ଖବର ପାଇ ତହସିଲଦାର ଓ ବ୍ରହ୍ମପୁର ଉପଜିଲ୍ଲାପାଳ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖି ଫେରିଛନ୍ତି। ସେହିଭଳି ବୁରିବାଡ ଅଙ୍ଗନୱାଡି କେନ୍ଦ୍ରରେ ବର୍ଷା ପାଣି ପଶିଥିବା ଦେଖିବାକୁ ମିଳିଛି। ଚାଷ ଜମିରେ ପାଣି ରହିଥିବା ବେଳେ ଚଳିତ ବର୍ଷର ଧାନ ଅମଳ ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି। ସେହିଭଳି ଅଞ୍ଚଳବାସୀଙ୍କ ସହ ବିଧାୟକ ଅସୁବିଧା ସମ୍ପର୍କରେ ଆଲୋଚନା କରି ଫେରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *