ଭୁବନେଶ୍ୱର: ରାଜ୍ୟର ସ୍ନାତକ ସ୍ତରର ଦୁଇ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀଙ୍କୁ ପ୍ରାୟୋଗିକ ଶିକ୍ଷା ଓ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା ଦେବା ପାଇଁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଜାତୀୟ ଶିକ୍ଷା ନୀତି (ଏନ୍ଇପି)-୨୦୨୦ ଅନୁଯାୟୀ ବାଧ୍ୟତାମୂଳକ ଇଣ୍ଟର୍ନଶିପ୍ ଓ କମ୍ୟୁନିଟି ଏନ୍ଗେଜମେଣ୍ଟ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ସରକାରୀ ବିଭାଗ, ପିଏସ୍ୟୁ, ଏମ୍ଏସ୍ଏମ୍ଇ, ଶିଳ୍ପ ସଂସ୍ଥା ଓ ସେବା କ୍ଷେତ୍ରରେ ଉପଲବ୍ଧ ଇଣ୍ଟର୍ନଶିପ୍ ସୁଯୋଗର ରାଜ୍ୟବ୍ୟାପୀ ତଥ୍ୟ ସଂଗ୍ରହ ଆରମ୍ଭ ହୋଇଛି। ଏନେଇ ଉଚ୍ଚଶିକ୍ଷା ବିଭାଗ ସମସ୍ତ ପ୍ରଶାସନିକ ବିଭାଗକୁ ନିର୍ଦ୍ଦେଶ ଜାରି କରିଛି।
ଉଚ୍ଚଶିକ୍ଷା ବିଭାଗର ସୂଚନା ଅନୁଯାୟୀ, ପ୍ରତିବର୍ଷ ଦୁଇ ଲକ୍ଷରୁ ଅଧିକ ସ୍ନାତକ ଛାତ୍ରଛାତ୍ରୀଙ୍କୁ ୬ ସପ୍ତାହ କିମ୍ବା ୩୫ କାର୍ଯ୍ୟଦିବସର ବାଧ୍ୟତାମୂଳକ ଇଣ୍ଟର୍ନଶିପ୍ ଏବଂ କମ୍ୟୁନିଟି ଏନ୍ଗେଜମେଣ୍ଟ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପଡ଼ିବ। ଏହା ସଫଳତାର ସହ ସମ୍ପୂର୍ଣ୍ଣ କଲେ ସେମାନେ ୪ଟି ଏକାଡେମିକ୍ କ୍ରେଡିଟ୍ ଅର୍ଜନ କରିପାରିବେ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ବାହାରେ ବାସ୍ତବ କାର୍ଯ୍ୟକ୍ଷେତ୍ରର ଅଭିଜ୍ଞତା, କୌଶଳ ବିକାଶ ଓ ନିଯୁକ୍ତିଯୋଗ୍ୟତା ବୃଦ୍ଧିର ସୁଯୋଗ ପ୍ରଦାନ କରିବା।
ଏହି ଅଭିଯାନରେ ସମସ୍ତ ବିଭାଗକୁ ନିଜ ଅଧୀନରେ ଥିବା ନିର୍ଦ୍ଦେଶାଳୟ, ଜିଲ୍ଲା ଓ ଉପଜିଲ୍ଲା କାର୍ଯ୍ୟାଳୟ, ବ୍ଲକ, ତହସିଲ, ଗ୍ରାମପଞ୍ଚାୟତ, ପିଏସ୍ୟୁ, ସ୍ୱୟଂଶାସିତ ସଂସ୍ଥା, ସମବାୟ ସଂସ୍ଥା ଏବଂ ଅନ୍ୟାନ୍ୟ କ୍ଷେତ୍ରସ୍ତରୀୟ ପ୍ରତିଷ୍ଠାନରେ ଉପଲବ୍ଧ ଇଣ୍ଟର୍ନଶିପ୍ ସୁଯୋଗ ସମ୍ପର୍କିତ ତଥ୍ୟ ଗୁଗୁଲ୍ ଫର୍ମ ମାଧ୍ୟମରେ ଦାଖଲ କରିବାକୁ କୁହାଯାଇଛି। ଏଥିସହ ପ୍ରତ୍ୟେକ ବିଭାଗକୁ ଉଚ୍ଚଶିକ୍ଷା ବିଭାଗ ସହ ସମନ୍ୱୟ ରକ୍ଷା ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ନୂତନ ବ୍ୟବସ୍ଥାରେ ଶିଳ୍ପ ସଂସ୍ଥା, ବ୍ୟାଙ୍କ, ଆଇଟି କମ୍ପାନୀ, ଷ୍ଟାର୍ଟଅପ୍, ଏମ୍ଏସ୍ଏମ୍ଇ, ଗଣମାଧ୍ୟମ ସଂସ୍ଥା ସହ ବ୍ଲକ କାର୍ଯ୍ୟାଳୟ, ଅଙ୍ଗନୱାଡ଼ି କେନ୍ଦ୍ର, ସ୍ୱାସ୍ଥ୍ୟକେନ୍ଦ୍ର, ବିଦ୍ୟାଳୟ, ପିଏସ୍ୟୁ, ବିଶ୍ୱବିଦ୍ୟାଳୟ, ଗବେଷଣା ଅନୁଷ୍ଠାନ ଏବଂ ପଞ୍ଜୀକୃତ ସ୍ୱେଚ୍ଛାସେବୀ ସଂଗଠନରେ ମଧ୍ୟ ଇଣ୍ଟର୍ନଶିପ୍ ସୁଯୋଗ ଉପଲବ୍ଧ ହେବ। ଏହା ମାଧ୍ୟମରେ ଶିକ୍ଷାନୁଷ୍ଠାନ, ଶିଳ୍ପ ସଂସ୍ଥା ଓ ସରକାରୀ ବ୍ୟବସ୍ଥା ମଧ୍ୟରେ ସମନ୍ୱୟ ବୃଦ୍ଧି ସହ ଦକ୍ଷ ମାନବ ସମ୍ବଳ ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଛି।
ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ଇଣ୍ଟର୍ନଶିପ୍ ଅଣ-ପାରିଶ୍ରମିକ (ନନ୍-ଷ୍ଟାଇପେଣ୍ଡିଆରି) ମଡେଲରେ ପରିଚାଳିତ ହେବ। ଇଣ୍ଟର୍ନଶିପ୍ ପ୍ରଦାନକାରୀ ସଂସ୍ଥା କିମ୍ବା ସରକାରଙ୍କ ଉପରେ କୌଣସି ଆର୍ଥିକ ବୋଝ ପଡ଼ିବ ନାହିଁ। ଛାତ୍ରଛାତ୍ରୀଙ୍କ ଚୟନ ଡିଜିଟାଲ୍ ପୋର୍ଟାଲ୍ ମାଧ୍ୟମରେ ଶିକ୍ଷାଗତ ଯୋଗ୍ୟତା, ଉପସ୍ଥିତି, ଷ୍ଟେଟମେଣ୍ଟ ଅଫ୍ ପର୍ପୋଜ୍ (ଏସ୍ଓପି) ଓ ସଂସ୍ଥାର ଆବଶ୍ୟକତା ଆଧାରରେ କରାଯିବ। ଦୈନିକ ଲଗ୍ବୁକ୍, ଭାଇଭା ଏବଂ ଡିଜିଟାଲ୍ ପୋର୍ଟାଲ୍ ମାଧ୍ୟମରେ ଇଣ୍ଟର୍ନଶିପ୍ର ମୂଲ୍ୟାଙ୍କନ ଓ ନିରୀକ୍ଷଣ କରାଯିବ।