୮୧ କୋଟିର ପ୍ରକଳ୍ପ; ୨୦ ମେଗାୱାଟ୍ ହେବ ସୌର ଶକ୍ତି ଉତ୍ପାଦନ କ୍ଷମତା
ଭୁବନେଶ୍ୱର: ଗ୍ରାମାଞ୍ଚଳରେ ସୌର ଶକ୍ତିର ବ୍ୟବହାର ବଢ଼ାଇବା ସହ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ୧୦ଟି ସୌର ବିଦ୍ୟୁତ୍ ପ୍ରକଳ୍ପ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନେଇଛନ୍ତି। ‘ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଯୋଜନା’ (OASBY) ଅଧୀନରେ ରାଜ୍ୟର ବିଭିନ୍ନ ରଣନୀତିକ ସ୍ଥାନରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମାଣ ହେବ। ପ୍ରତ୍ୟେକ ପ୍ରକଳ୍ପର କ୍ଷମତା ୨ ମେଗାୱାଟ୍ ରହିବ। ଏହି ହିସାବରେ ମୋଟ ସୌର ବିଦ୍ୟୁତ୍ ଉତ୍ପାଦନ କ୍ଷମତା ୨୦ ମେଗାୱାଟ୍ ହେବ।
ଶକ୍ତି ବିଭାଗ ପକ୍ଷରୁ ଅଗଷ୍ଟ ୨୪ ତାରିଖରେ ଜାରି କରାଯାଇଥିବା ରିଜୋଲ୍ୟୁସନ୍ ଅନୁଯାୟୀ, ଜାତୀୟ ସ୍ତରର ପିଏମ୍-କୁସୁମ୍ ଯୋଜନାର କମ୍ପୋନେଣ୍ଟ୍-ଏ ଅଧୀନରେ ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେବ। ଗ୍ରିଡ୍ ସଂଯୋଜିତ ଭୂମିଭିତ୍ତିକ ସୌର ପ୍ରଯୁକ୍ତିରେ ନିର୍ମିତ ଏହି କେନ୍ଦ୍ରଗୁଡ଼ିକରେ SCADA ମନିଟରିଂ ବ୍ୟବସ୍ଥା ରହିବ। ଉତ୍ପାଦିତ ବିଦ୍ୟୁତ୍କୁ ସ୍ଥାନୀୟ ବିଦ୍ୟୁତ୍ ବଣ୍ଟନ ନେଟୱର୍କକୁ ସିଧାସଳଖ ଯୋଗାଇ ଦିଆଯିବ।
ସରକାରଙ୍କ ଆକଳନ ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକ ଗ୍ରାମାଞ୍ଚଳ ଓ ଅର୍ଦ୍ଧ-ସହରାଞ୍ଚଳର ଫିଡର୍ଗୁଡ଼ିକରେ ସୌର ଶକ୍ତିର ଅଂଶ ବଢ଼ାଇବାରେ ସହାୟକ ହେବ। ଏହା ସହିତ ବିଦ୍ୟୁତ୍ ପରିବହନଜନିତ କ୍ଷତି କମିବା ଏବଂ ଦିନବେଳେ ଅଧିକ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସମ୍ଭବ ହେବ। ପ୍ରକଳ୍ପଗୁଡ଼ିକର ୨୫ ବର୍ଷର କାର୍ଯ୍ୟକାଳ ମଧ୍ୟରେ ମୋଟ ୫ ଲକ୍ଷ ୫୦ ହଜାର ୩୩୯ ଟନ୍ କାର୍ବନ୍ ଡାଇଅକ୍ସାଇଡ୍ ନିର୍ଗମନ ହ୍ରାସ ପାଇବ ବୋଲି ଆକଳନ କରାଯାଇଛି।
ଏହି ୧୦ଟି ପ୍ରକଳ୍ପ ପାଇଁ ମୋଟ ୮୧ କୋଟି ଟଙ୍କା ବ୍ୟୟ ହେବ। ଏଥିରୁ ୨୪ କୋଟି ୩୦ ଲକ୍ଷ ଟଙ୍କା ଅର୍ଥାତ୍ ପ୍ରକଳ୍ପ ବ୍ୟୟର ୩୦ ପ୍ରତିଶତ ରାଜ୍ୟ ସରକାର ଇକ୍ୱିଟି ସହାୟତା ଭାବେ ଯୋଗାଇବେ। ଅବଶିଷ୍ଟ ୫୬ କୋଟି ୭୦ ଲକ୍ଷ ଟଙ୍କା OREDA ଖୋଲା ବଜାରରୁ ଋଣ କିମ୍ବା ଅନ୍ୟାନ୍ୟ ଆର୍ଥିକ ଉତ୍ସ ମାଧ୍ୟମରେ ସଂଗ୍ରହ କରିବ।
ପ୍ରକଳ୍ପର ଆର୍ଥିକ ବ୍ୟୟ ଦୁଇଟି ଆର୍ଥିକ ବର୍ଷରେ କରାଯିବ। ୨୦୨୫-୨୬ ଆର୍ଥିକ ବର୍ଷରେ ୫୦ କୋଟି ଟଙ୍କା ଏବଂ ୨୦୨୬-୨୭ରେ ୩୧ କୋଟି ଟଙ୍କା ବ୍ୟୟ କରାଯିବ। ପ୍ରଥମ ବର୍ଷରେ ରାଜ୍ୟ ସରକାରଙ୍କ ଅଂଶ ୧୫ କୋଟି ଓ ଋଣ ଅଂଶ ୩୫ କୋଟି ଟଙ୍କା ରହିବ। ଦ୍ୱିତୀୟ ବର୍ଷରେ ରାଜ୍ୟ ସରକାର ୯ କୋଟି ୩୦ ଲକ୍ଷ ଟଙ୍କା ଯୋଗାଇବାକୁ ଥିବାବେଳେ ଅବଶିଷ୍ଟ ୨୧ କୋଟି ୭୦ ଲକ୍ଷ ଟଙ୍କା ଋଣ କିମ୍ବା ବଜାରରୁ ସଂଗ୍ରହ କରାଯିବ।
ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ଦାୟିତ୍ୱ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ଏଜେନ୍ସି (OREDA)କୁ ଦିଆଯାଇଛି। ରାଜ୍ୟରେ ଅକ୍ଷୟ ଶକ୍ତିର ବ୍ୟବହାର ବଢ଼ାଇବା ସହ ଦୀର୍ଘମିଆଦୀ ଭାବେ ବିଦ୍ୟୁତ୍ ବଣ୍ଟନ ବ୍ୟବସ୍ଥାକୁ ଅଧିକ ନିର୍ଭରଯୋଗ୍ୟ କରିବା ଦିଗରେ ଏହି ପ୍ରକଳ୍ପଗୁଡ଼ିକୁ ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ଭାବେ ଦେଖାଯାଉଛି।