ପାହାଡ଼ିଆ ରାସ୍ତାକୁ ଭୂସ୍ଖଳନମୁକ୍ତ କରିବାକୁ ସରକାରଙ୍କ ବଡ଼ ଯୋଜନା

Spread the love

ଭୁବନେଶ୍ୱର, ୬ ଅଗଷ୍ଟ: ପାହାଡ଼ିଆ ଅଞ୍ଚଳରେ ପ୍ରତି ବର୍ଷ ବର୍ଷା ଋତୁରେ ଘଟୁଥିବା ଭୂସ୍ଖଳନ ଯୋଗୁଁ ସଡ଼କ ଯୋଗାଯୋଗ ବିଚ୍ଛିନ୍ନ ହେବାର ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି (ଏସ୍‌ଡିଏମ୍‌ଏଫ୍‌)ରୁ ଅର୍ଥଯୋଗାଣ କରି ପାହାଡ଼ିଆ ସଡ଼କଗୁଡ଼ିକୁ ଭୂସ୍ଖଳନ ପ୍ରତିରୋଧୀ କରିବା ପାଇଁ ଗ୍ରାମୀଣ ପୂର୍ତ୍ତ ସଂଗଠନର ମୁଖ୍ୟ ଯନ୍ତ୍ରୀ ସମ୍ପୃକ୍ତ ଡିଭିଜନଗୁଡ଼ିକୁ ଜରୁରୀ ଭିତ୍ତିରେ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶରେ କୁହାଯାଇଛି ଯେ, ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଓ ପ୍ରବଳ ବର୍ଷା ସମୟରେ ପାହାଡ଼ିଆ ଅଞ୍ଚଳର ଅନେକ ସଡ଼କରେ ବାରମ୍ବାର ଭୂସ୍ଖଳନ ଓ ପାହାଡ଼ ଧସ ଘଟୁଛି। ଏହାଫଳରେ ଗ୍ରାମଗୁଡ଼ିକର ସଡ଼କ ସଂଯୋଗ ବିଚ୍ଛିନ୍ନ ହେବା ସହ ସରକାରୀ ଭିତ୍ତିଭୂମିର କ୍ଷତି ହେଉଛି ଏବଂ ସାଧାରଣ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହେଉଛି। ବିପର୍ଯ୍ୟୟ ସମୟରେ ଏହି ସଡ଼କଗୁଡ଼ିକ ହିଁ ଜନସାଧାରଣଙ୍କ ପାଇଁ ଜୀବନରେଖା ସଦୃଶ କାର୍ଯ୍ୟ କରୁଥିବାରୁ ସେଗୁଡ଼ିକୁ ଅଧିକ ସୁଦୃଢ଼ ଓ ଭୂସ୍ଖଳନ ପ୍ରତିରୋଧୀ କରିବାକୁ ଗୁରୁତ୍ୱ ଦିଆଯାଇଛି।

ନିର୍ଦ୍ଦେଶ ଅନୁଯାୟୀ, ପ୍ରକଳ୍ପ ପ୍ରସ୍ତାବରେ ସ୍ଥାନୀୟ ଭୌଗୋଳିକ ପରିସ୍ଥିତିକୁ ଆଧାର କରି ରିଟେନିଂ ୱାଲ୍‌, ପାହାଡ଼ ଢାଲ ସ୍ଥିରୀକରଣ, ବୈଜ୍ଞାନିକ ଜଳ ନିଷ୍କାସନ ବ୍ୟବସ୍ଥା, ପଥର ଖସିବା ରୋକିବା ପାଇଁ ରକ୍‌ଫଲ୍‌ ସୁରକ୍ଷା ବ୍ୟବସ୍ଥା, ଷ୍ଟୋନ୍ ପିଚିଂ ଏବଂ ବାୟୋ-ଇଞ୍ଜିନିୟରିଂ ଭଳି ବ୍ୟବସ୍ଥା ସାମିଲ କରିବାକୁ କୁହାଯାଇଛି। ଲକ୍ଷ୍ୟ ହେଉଛି ଏପରି ସଡ଼କ ନିର୍ମାଣ କରିବା, ଯାହା ଭାରି ବର୍ଷାକୁ ସହ୍ୟ କରିପାରିବ ଏବଂ ରକ୍ଷଣାବେକ୍ଷଣର ଆବଶ୍ୟକତା ସର୍ବନିମ୍ନ ରହିବ।

ଏଥିପାଇଁ କୋରାପୁଟ, ଜୟପୁର, ସୁନାବେଡ଼ା, ମାଲକାନଗିରି-୧ ଓ ୨, ନବରଙ୍ଗପୁର-୧ ଓ ୨, ମୋହନା, ରାୟଗଡ଼ା, ଗୁଣୁପୁର, ଗଜପତି, ବାରିପଦା, କରଞ୍ଜିଆ, ରାଇରଙ୍ଗପୁର ଏବଂ ଉଦଳା ପୂର୍ତ୍ତ ଡିଭିଜନର ଅଧୀକ୍ଷଣ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ପ୍ରଭାବିତ ସଡ଼କ ଚିହ୍ନଟ କରି ୭ ଦିନ ମଧ୍ୟରେ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ କୁହାଯାଇଛି। ପ୍ରସ୍ତାବଗୁଡ଼ିକ ସମ୍ପୃକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ ମାଧ୍ୟମରେ ସରକାରଙ୍କ ନିକଟକୁ ପଠାଯିବ ଏବଂ ଏସ୍‌ଡିଏମ୍‌ଏଫ୍‌ରୁ ଅର୍ଥ ମଞ୍ଜୁର ପରେ କାର୍ଯ୍ୟ ଆରମ୍ଭ ହେବ।

ମୁଖ୍ୟ ଯନ୍ତ୍ରୀ ପ୍ରକଳ୍ପ ପ୍ରସ୍ତାବ ପାଇଁ ଏକ ସ୍ୱତନ୍ତ୍ର ଫର୍ମାଟ୍‌ ମଧ୍ୟ ଜାରି କରିଛନ୍ତି। ଏଥିରେ ସଡ଼କର ନାମ, ଜିଲ୍ଲା, ବ୍ଲକ, ସଡ଼କର ଦୈର୍ଘ୍ୟ, ପ୍ରସ୍ତାବିତ ପ୍ରସ୍ଥ, ଆନୁମାନିକ ବ୍ୟୟ, ପ୍ରଭାବିତ ଗ୍ରାମ ଓ ଜନସଂଖ୍ୟା, ପ୍ରକଳ୍ପର ଆବଶ୍ୟକତା, ଗ୍ରହଣ କରାଯିବାକୁ ଥିବା ପଦକ୍ଷେପ ଏବଂ ପୂର୍ବରୁ ଘଟିଥିବା ଭୂସ୍ଖଳନର ଫଟୋ ଓ ସମ୍ବାଦପତ୍ରରେ ପ୍ରକାଶିତ ଖବର ସଂଲଗ୍ନ କରିବାକୁ କୁହାଯାଇଛି। ଏହାଦ୍ୱାରା ପ୍ରସ୍ତାବର ବୈଷୟିକ ଓ ବାସ୍ତବ ଆବଶ୍ୟକତାକୁ ସରକାର ଯାଞ୍ଚ କରିପାରିବେ।

Leave a Reply

Your email address will not be published. Required fields are marked *