ଜିଲ୍ଲା ରାଜସ୍ୱ ସେବା ନିୟମରେ ବଡ଼ ସଂଶୋଧନ
ଭୁବନେଶ୍ୱର: ଓଡ଼ିଶା ସରକାର ଜିଲ୍ଲା ରାଜସ୍ୱ ପ୍ରଶାସନରେ କାର୍ଯ୍ୟରତ ସହକାରୀ ରାଜସ୍ବ ନିରୀକ୍ଷକ (ଏଆର୍ଆଇ) ଓ ଅମିନଙ୍କ ପଦୋନ୍ନତି ବ୍ୟବସ୍ଥାରେ ଗୁରୁତ୍ୱପୂର୍ଣ୍ଣ ସଂଶୋଧନ କରିଛନ୍ତି। ଏଣିକି ଉଭୟ ବର୍ଗର କର୍ମଚାରୀଙ୍କ ପାଇଁ ଲେଭେଲ୍-୨ କ୍ୟାଡର ରହିବ। ଏହି ପଦଗୁଡ଼ିକ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ସମ୍ବିଧାନର ଧାରା ୩୦୯ରେ ପ୍ରଦତ୍ତ କ୍ଷମତା ବଳରେ ରାଜ୍ୟପାଳ ଓଡ଼ିଶା ଡିଷ୍ଟ୍ରିକ୍ଟ ରେଭେନ୍ୟୁ ସର୍ଭିସ୍ (ମେଥଡ୍ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ୍ କଣ୍ଡିସନ୍ସ ଅଫ୍ ସର୍ଭିସ୍) ରୁଲ୍ସ, ୧୯୮୩ରେ ଏହି ସଂଶୋଧନ କରିଛନ୍ତି। ନୂଆ ନିୟମକୁ ଓଡ଼ିଶା ଡିଷ୍ଟ୍ରିକ୍ଟ ରେଭେନ୍ୟୁ ସର୍ଭିସ୍ (ମେଥଡ୍ ଅଫ୍ ରିକ୍ରୁଟମେଣ୍ଟ ଆଣ୍ଡ୍ କଣ୍ଡିସନ୍ସ ଅଫ୍ ସର୍ଭିସ୍) ଆମେଣ୍ଡମେଣ୍ଟ ରୁଲ୍ସ, ୨୦୨୬ ଭାବେ ନାମିତ କରାଯାଇଛି। ଓଡ଼ିଶା ଗଜେଟ୍ରେ ପ୍ରକାଶ ପାଇବା ଦିନଠାରୁ ଏହା ଲାଗୁ ହେବ।
୩ ବର୍ଷ ସେବା ପରେ ପଦୋନ୍ନତି
ସଂଶୋଧିତ ନିୟମ ଅନୁଯାୟୀ, ସହକାରୀ ରାଜସ୍ବ ନିରୀକ୍ଷକ (ଲେଭେଲ୍-୨) ଓ ଅମିନ (ଲେଭେଲ୍-୨) ପଦକୁ ଯଥାକ୍ରମେ ଏଆର୍ଆଇ ଓ ଅମିନ କ୍ୟାଡରରୁ ପଦୋନ୍ନତି ମାଧ୍ୟମରେ ପୂରଣ କରାଯିବ। ଏଥିପାଇଁ ସମ୍ପୃକ୍ତ କର୍ମଚାରୀଙ୍କର ଅତିକମ୍ରେ ୩ ବର୍ଷର ସେବା ଥିବା ଆବଶ୍ୟକ। ତେବେ କେବଳ ବରିଷ୍ଠତା ନୁହେଁ, ଯୋଗ୍ୟତା ଓ ଉପଯୁକ୍ତତାକୁ ମଧ୍ୟ ବିଚାରକୁ ନିଆଯିବ। ପଦୋନ୍ନତି ପାଇଁ ବିଚାର କରାଯାଉଥିବା ବର୍ଷର ଜାନୁଆରୀ ୧ ତାରିଖ ସୁଦ୍ଧା ସମ୍ପୃକ୍ତ ଏଆର୍ଆଇ କିମ୍ବା ଅମିନ ୩ ବର୍ଷର ସେବା ପୂରଣ କରିଥିବା ଦରକାର।
ରାଜସ୍ବ ନିରୀକ୍ଷକ ପଦୋନ୍ନତି ନିୟମରେ ବି ପରିବର୍ତ୍ତନ
ରାଜସ୍ବ ନିରୀକ୍ଷକ ପଦକୁ ପଦୋନ୍ନତି ପାଇଁ ମଧ୍ୟ ସେବା ଅବଧି ସମ୍ପର୍କିତ ନିୟମରେ ସଂଶୋଧନ କରାଯାଇଛି। ଜଣେ କର୍ମଚାରୀଙ୍କର ସମ୍ପୃକ୍ତ ପଦରେ ଅତିକମ୍ରେ ୩ ବର୍ଷର ନିରବଚ୍ଛିନ୍ନ ସେବା ଥିବା ଦରକାର।
ଏଥିସହ ଅମିନ ଓ ଅମିନ (ଲେଭେଲ୍-୨) ପଦରେ ମିଳିତ ଭାବେ ୬ ବର୍ଷର ସେବା କିମ୍ବା ଏଆର୍ଆଇ ଓ ଏଆର୍ଆଇ (ଲେଭେଲ୍-୨) ପଦରେ ମିଳିତ ଭାବେ ୬ ବର୍ଷର ସେବାକୁ ମଧ୍ୟ ବିଚାରକୁ ନିଆଯିବ।
ଜିଲ୍ଲାର କର୍ମଚାରୀ ସଂଖ୍ୟା ଅନୁପାତରେ ପଦୋନ୍ନତି
ନୂଆ ନିୟମରେ ରାଜସ୍ବ ନିରୀକ୍ଷକ ପଦକୁ ପଦୋନ୍ନତି କ୍ଷେତ୍ରରେ ଅନୁପାତିକ ବ୍ୟବସ୍ଥା ରଖାଯାଇଛି। ଜିଲ୍ଲାରେ ନିୟମିତ ଭାବେ କାର୍ଯ୍ୟରତ ଅମିନ (ଲେଭେଲ୍-୨) ଓ ଏଆର୍ଆଇ (ଲେଭେଲ୍-୨) କର୍ମଚାରୀଙ୍କ ମୋଟ ସଂଖ୍ୟାକୁ ଆଧାର କରି, ଯଥାସମ୍ଭବ ଅନୁପାତିକ ଭାବେ ରାଜସ୍ବ ନିରୀକ୍ଷକ ପଦକୁ ପଦୋନ୍ନତି ଦିଆଯିବ।
ଏହି ସଂଶୋଧନ ଫଳରେ ଜିଲ୍ଲାସ୍ତରୀୟ ରାଜସ୍ୱ ପ୍ରଶାସନରେ ଏଆର୍ଆଇ ଓ ଅମିନଙ୍କ ପାଇଁ ଏକ ନୂଆ ପଦୋନ୍ନତି ସ୍ତର ସୃଷ୍ଟି ହୋଇଛି। ଏହା ଦ୍ୱାରା କାର୍ଯ୍ୟରତ କର୍ମଚାରୀଙ୍କୁ ନିଜ କ୍ୟାଡରରେ ଉପରକୁ ଯିବାର ସୁଯୋଗ ମିଳିବା ସହ ରାଜସ୍ବ ନିରୀକ୍ଷକ ପଦୋନ୍ନତି ପାଇଁ ଏକ ସ୍ପଷ୍ଟ କ୍ୟାରିୟର ପଥ ସୃଷ୍ଟି ହେବ।