‘ଅନ୍ଧବିଶ୍ୱାସ ଆଇନର ଶାସନଠାରୁ ଉପରେ ନୁହେଁ’:ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଓଡ଼ିଶାର ଏକ ୧୯୯୮ ମସିହାର ଡାହାଣୀ ହତ୍ୟା ମାମଲାରେ ଦୋଷୀ ବାଲ୍କୁ ଓରାମଙ୍କ ଆଜୀବନ କାରାଦଣ୍ଡକୁ କାଏମ ରଖିଛନ୍ତି ସୁପ୍ରିମକୋର୍ଟ। ମାମଲାରେ ଦୋଷସିଦ୍ଧି ବିରୋଧରେ ହୋଇଥିବା ଅପିଲ୍କୁ ଖାରଜ କରିବା ସହ ଡାହାଣୀ ଶିକାର ଭଳି କୁସଂସ୍କାର ଏବେ ବି ସମାଜରେ ଜାରି ରହିଥିବା ନେଇ କୋର୍ଟ ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି।
ବିଚାରପତି ପ୍ରଶାନ୍ତ କୁମାର ମିଶ୍ର ଓ ଏନ୍.ଭି. ଅଞ୍ଜାରିଆଙ୍କ ଖଣ୍ଡପୀଠ ମାମଲାର ରାୟ ଦେଇଛନ୍ତି। ମାମଲାର ତଥ୍ୟ ଅନୁଯାୟୀ, ବାଲ୍କୁ ଓରାମ ଓ ତାଙ୍କ ସହଯୋଗୀମାନେ ପୁନି ନାଏକଙ୍କୁ ଡାହାଣୀ ବୋଲି ସନ୍ଦେହ କରି ତାଙ୍କୁ ନିର୍ମମ ଭାବେ ମାଡ଼ ମାରିଥିଲେ। ଏହି ଆକ୍ରମଣରେ ତାଙ୍କ ମୃତ୍ୟୁ ଘଟିଥିଲା। ମାମଲାରେ ଉପସ୍ଥାପିତ ପ୍ରତ୍ୟକ୍ଷ ପ୍ରମାଣକୁ ଦୃଢ଼ ଓ ବିଶ୍ୱସନୀୟ ବିବେଚନା କରି ସୁପ୍ରିମକୋର୍ଟ ଦୋଷସିଦ୍ଧି ଓ ଆଜୀବନ କାରାଦଣ୍ଡକୁ ବଜାୟ ରଖିଛନ୍ତି।
ରାୟ ପ୍ରଦାନ ସମୟରେ ଖଣ୍ଡପୀଠ ଡାହାଣୀ ଶିକାର ଭଳି ଅମାନବୀୟ ପ୍ରଥାକୁ ନେଇ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି। ଦେଶର କେତେକ ଅଞ୍ଚଳରେ ଏବେ ବି ଅନ୍ଧବିଶ୍ୱାସ, କୁସଂସ୍କାର, ପୂର୍ବାଗ୍ରହ ଓ ଅଯୌକ୍ତିକ ଭୟ ଆଇନର ଶାସନ ଏବଂ ସମ୍ବିଧାନିକ ନୈତିକତା ଉପରେ ପ୍ରଭାବ ପକାଉଛି ବୋଲି କୋର୍ଟ ଦର୍ଶାଇଛନ୍ତି।
ଡାହାଣୀ ଶିକାରର ସବୁଠାରୁ ଅଧିକ ଶିକାର ମହିଳାମାନେ ହେଉଥିବା ନେଇ ମଧ୍ୟ ଖଣ୍ଡପୀଠ ଉଦ୍ବେଗ ପ୍ରକାଶ କରିଛନ୍ତି। ଏଭଳି ଅନ୍ଧବିଶ୍ୱାସ କେବଳ ହତ୍ୟା ଭଳି ଅପରାଧରେ ସୀମିତ ନୁହେଁ। ମହିଳାମାନେ ମାଡ଼, ନିର୍ଯାତନା, ଯୌନ ହିଂସା, ସାମାଜିକ ବର୍ଜନ ଓ ଅପମାନର ମଧ୍ୟ ଶିକାର ହେଉଛନ୍ତି। ସାମାଜିକ ସମସ୍ୟାର ପ୍ରକୃତ କାରଣ ଖୋଜିବା ପରିବର୍ତ୍ତେ ଜଣେ ମହିଳାଙ୍କୁ ଦୋଷୀ କରିଦେବା ଏଭଳି ଅନ୍ଧବିଶ୍ୱାସର ଏକ ଭୟାବହ ରୂପ ବୋଲି କୋର୍ଟ କହିଛନ୍ତି।
ଖଣ୍ଡପୀଠଙ୍କ ମତରେ, ସମାଜରେ ଗଭୀର ଭାବେ ମୂଳ ଧରିଥିବା ପୂର୍ବାଗ୍ରହ ଓ ଅଯୌକ୍ତିକ ବିଶ୍ୱାସ ଅନେକ ସମୟରେ ଆଇନ ଓ ସମ୍ବିଧାନିକ ମୂଲ୍ୟବୋଧକୁ ପଛରେ ପକାଇ ଦେଉଛି। ଏଭଳି ସାମୂହିକ ଅଯୌକ୍ତିକତା ବିରୋଧରେ ଯୁକ୍ତି, ବିବେକ ଓ ବୈଜ୍ଞାନିକ ମନୋଭାବ ହିଁ ପ୍ରଭାବୀ ପ୍ରତିରୋଧ ହୋଇପାରିବ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।
ଭାରତୀୟ ସମ୍ବିଧାନ ସମାନତା, ମର୍ଯ୍ୟାଦା ଓ ବୈଜ୍ଞାନିକ ମନୋଭାବ ଉପରେ ଆଧାରିତ ସମାଜ ଗଠନର ଲକ୍ଷ୍ୟ ରଖିଛି। ଏଭଳି ସ୍ଥିତିରେ ମହିଳାଙ୍କ ମର୍ଯ୍ୟାଦା ଓ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଡାହାଣୀ ଶିକାର ଭଳି ପ୍ରଥାର ଅସ୍ତିତ୍ୱ ଚିନ୍ତାଜନକ ବୋଲି ସୁପ୍ରିମକୋର୍ଟ ମତ ଦେଇଛନ୍ତି।
ଏହି ରାୟ ମାଧ୍ୟମରେ ଏକପଟେ ଓଡ଼ିଶାର ୧୯୯୮ ମସିହାର ଡାହାଣୀ ହତ୍ୟା ମାମଲାରେ ଦୋଷୀଙ୍କ ଆଜୀବନ ଦଣ୍ଡ କାଏମ ରହିଥିବା ବେଳେ ଅନ୍ୟପଟେ ସମାଜରେ ଏବେ ବି ରହିଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାର ବିରୋଧରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ସାମାଜିକ ବାର୍ତ୍ତା ଦେଇଛନ୍ତି।