ବିବାହ ପାଇଁ କନ୍ୟାଙ୍କୁ ୪୫ ହଜାର, ଏନ୍ଜିଓକୁ ୧୫ ହଜାର
ଭୁବନେଶ୍ୱର: ଆର୍ଥିକ ଭାବେ ଦୁର୍ବଳ ପରିବାରର କନ୍ୟାଙ୍କ ବିବାହରେ ଆର୍ଥିକ ସହାୟତା ଦେବା ସହ ବାଲ୍ୟବିବାହ ରୋକିବା, ଯୌତୁକ ପ୍ରଥାକୁ ନିରୁତ୍ସାହିତ କରିବା ଏବଂ ବିଧବା ପୁନଃବିବାହକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ ରାଜ୍ୟ ସରକାର ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ର ବିସ୍ତୃତ ମାର୍ଗଦର୍ଶିକା ଜାରି କରିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଗଷ୍ଟ ୫ ତାରିଖରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯୋଜନାଟି ୨୦୨୫-୨୬ରୁ ୨୦୨୯-୩୦ ପର୍ଯ୍ୟନ୍ତ ୫ ବର୍ଷ ପାଇଁ କାର୍ଯ୍ୟକାରୀ ହେବ।
ଯୋଜନା ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ କନ୍ୟାଙ୍କୁ ମୋଟ ୬୦ ହଜାର ଟଙ୍କାର ସହାୟତା ମିଳିବ। ଏଥିରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ DBT ମାଧ୍ୟମରେ ପ୍ରଦାନ କରାଯିବ। ବିବାହ ପଞ୍ଜୀକରଣର ୭ କାର୍ଯ୍ୟଦିବସ ମଧ୍ୟରେ ଏହି ଅର୍ଥ ଜମା ହେବ। ଅବଶିଷ୍ଟ ୧୫ ହଜାର ଟଙ୍କା ଆୟୋଜନକାରୀ ଏନ୍ଜିଓ/ଏଜେନ୍ସିକୁ ସାଜସଜ୍ଜା, ଜଳଖିଆ, ବସିବା ବ୍ୟବସ୍ଥା ଓ ସରକାରୀ ସମନ୍ୱୟ ଭଳି ବ୍ୟବସ୍ଥା ପାଇଁ ଦିଆଯିବ।
ସବୁ ଜିଲ୍ଲାରେ ଲାଗୁ ହେବ
ଯୋଜନାଟି ରାଜ୍ୟର ସମସ୍ତ ଜିଲ୍ଲାରେ କାର୍ଯ୍ୟକାରୀ ହେବ। ଓଡ଼ିଶାର ସ୍ଥାୟୀ ବାସିନ୍ଦା ଥିବା ଦମ୍ପତି ଏହାର ଲାଭ ପାଇପାରିବେ। ବରଙ୍କ ବୟସ ୨୧ରୁ ୩୫ ବର୍ଷ ଏବଂ କନ୍ୟାଙ୍କ ବୟସ ୧୮ରୁ ୩୫ ବର୍ଷ ମଧ୍ୟରେ ହେବା ଆବଶ୍ୟକ। ପ୍ରଥମ ବିବାହ କରୁଥିବା ଦମ୍ପତିଙ୍କୁ ଅଗ୍ରାଧିକାର ଦିଆଯିବ। ତେବେ, ପୁନଃବିବାହ କରିବାକୁ ଚାହୁଁଥିବା ବିଧବା ମହିଳାଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯିବ। ଗୋଟିଏ ପରିବାରରୁ କେବଳ ଜଣେ ଯୋଗ୍ୟ ମହିଳା ଏହି ସୁବିଧା ପାଇପାରିବେ।
ଏହାସହ ବର, କନ୍ୟା କିମ୍ବା ସେମାନଙ୍କ ପରିବାର ପୂର୍ବରୁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ବିବାହ ସହାୟତା ଯୋଜନାରୁ ଲାଭ ନେଇଥିବା ଉଚିତ ନୁହେଁ।
ଅଗ୍ରାଧିକାରରେ ବିଧବା, ଦିବ୍ୟାଙ୍ଗ ଓ ଅନାଥ
ଆବେଦନ ସାଧାରଣତଃ ‘ପ୍ରଥମେ ଆସିଲେ ପ୍ରଥମେ ପାଇବେ’ ଭିତ୍ତିରେ ପ୍ରକ୍ରିୟାକରଣ ହେବ। କିନ୍ତୁ କୌଣସି ଜିଲ୍ଲାରେ ଆବେଦନ ସଂଖ୍ୟା ଉପଲବ୍ଧ ଲକ୍ଷ୍ୟଠାରୁ ଅଧିକ ହେଲେ ଅଗ୍ରାଧିକାର ଭିତ୍ତିରେ ହିତାଧିକାରୀ ଚୟନ କରାଯିବ।
ଏହି କ୍ରମରେ ପ୍ରଥମେ ବିଧବା, ତା’ପରେ ଦିବ୍ୟାଙ୍ଗ ବ୍ୟକ୍ତି, ଅନାଥ, ବିଶେଷ ଭାବେ ଦୁର୍ବଳ ଜନଜାତି (PVTG), ଅନୁସୂଚିତ ଜନଜାତି (ST) ଓ ଅନୁସୂଚିତ ଜାତି (SC) ଏବଂ ଶେଷରେ ବାର୍ଷିକ ଆୟ ୬୦ ହଜାର ଟଙ୍କାରୁ କମ୍ ଥିବା ପରିବାରର ଆବେଦନକାରୀଙ୍କୁ ପ୍ରାଥମିକତା ମିଳିବ।
ଆବେଦନ ଯାଞ୍ଚ ପରେ ଜିଲ୍ଲାସ୍ତରୀୟ ଅନୁମୋଦନ
ଯୋଜନା ପାଇଁ ଚୟନ ହୋଇଥିବା କାର୍ଯ୍ୟାନ୍ବୟନକାରୀ ସଂସ୍ଥା (IA) ନିର୍ଦ୍ଧାରିତ ଅଞ୍ଚଳରୁ ଆବେଦନ ଗ୍ରହଣ କରିବ। ସଂସ୍ଥା ପକ୍ଷରୁ ଆବେଦନର ପ୍ରାଥମିକ ଯାଞ୍ଚ, ପୃଷ୍ଠଭୂମି ଯାଞ୍ଚ ଏବଂ ଆବଶ୍ୟକ କାଗଜପତ୍ର ଯାଞ୍ଚ କରାଯିବ। ଆବଶ୍ୟକ ସ୍ଥଳେ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀଙ୍କ ସହଯୋଗ ନିଆଯିବ।
ଯୋଗ୍ୟ ହିତାଧିକାରୀଙ୍କ ତାଲିକା ଜିଲ୍ଲା ସାମାଜିକ କଲ୍ୟାଣ ଅଧିକାରୀ (DSWO)ଙ୍କ ନିକଟରେ ଦାଖଲ ହେବ। ପରେ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କ ଅଧ୍ୟକ୍ଷତାରେ ଥିବା ଜିଲ୍ଲାସ୍ତରୀୟ କମିଟି ଏହାକୁ ଅନୁମୋଦନ କରିବ।
ଆବେଦନ ସହ ବର ଓ କନ୍ୟାଙ୍କ ଆଧାର କାର୍ଡ ଏବଂ କନ୍ୟାଙ୍କ ନାମରେ ଥିବା ସିଙ୍ଗଲ୍-ହୋଲ୍ଡର ବ୍ୟାଙ୍କ ଖାତାର ପାସବୁକ୍ ଦାଖଲ କରିବା ବାଧ୍ୟତାମୂଳକ। ଅଗ୍ରାଧିକାର ଶ୍ରେଣୀରେ ଥିବା ଆବେଦନକାରୀଙ୍କୁ ଆବଶ୍ୟକତା ଅନୁଯାୟୀ ସ୍ୱାମୀଙ୍କ ମୃତ୍ୟୁ ପ୍ରମାଣପତ୍ର, ଦିବ୍ୟାଙ୍ଗ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ଓ ଆୟ ପ୍ରମାଣପତ୍ର ଦାଖଲ କରିବାକୁ ପଡ଼ିବ।
ବିବାହର ୬୦ ଦିନ ପୂର୍ବରୁ ଚୟନ ପ୍ରକ୍ରିୟା
ଯୋଜନାରେ ସାମିଲ ହେବା ପାଇଁ ନିର୍ଦ୍ଧାରିତ ବିବାହ ତାରିଖର ଅତି କମ୍ ୬୦ ଦିନ ପୂର୍ବରୁ ହିତାଧିକାରୀ ଚୟନ ଓ ଅନ୍ତର୍ଭୁକ୍ତି ପ୍ରକ୍ରିୟା ଶେଷ କରାଯିବ। କେବଳ ଯୋଗ୍ୟ ଓ ଅନୁମୋଦିତ ଦମ୍ପତିଙ୍କୁ ନିର୍ଦ୍ଧାରିତ ସାମୂହିକ ବିବାହ ଉତ୍ସବରେ ସାମିଲ କରାଯିବ। ଜିଲ୍ଲାସ୍ତରରେ ଉପଯୁକ୍ତ ସ୍ଥାନରେ ସାମୂହିକ ବିବାହ ଆୟୋଜନ କରାଯିବ।
ବିବାହ ସ୍ଥଳରେ ରେଜିଷ୍ଟ୍ରାର ଅଫ୍ ମ୍ୟାରେଜେସ୍ ଉପସ୍ଥିତ ରହି ଦମ୍ପତିଙ୍କୁ ବିବାହ ପ୍ରମାଣପତ୍ର ପ୍ରଦାନ କରିବେ। ବିବାହ ପଞ୍ଜୀକରଣ ସମ୍ପନ୍ନ ହେବାର ୭ କାର୍ଯ୍ୟଦିବସ ମଧ୍ୟରେ କନ୍ୟାଙ୍କ ଖାତାକୁ ୪୫ ହଜାର ଟଙ୍କା DBT ମାଧ୍ୟମରେ ପଠାଯିବ।
ସରକାରଙ୍କ ଅନୁଯାୟୀ, ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ କେବଳ ବିବାହ ଖର୍ଚ୍ଚରେ ସହାୟତା ଦେବା ନୁହେଁ; ବରଂ ଆର୍ଥିକ ଅନଟନରେ ଥିବା ପରିବାରର କନ୍ୟାଙ୍କୁ ବିବାହ ସମୟରେ ସମ୍ମାନ ଓ ଆର୍ଥିକ ସ୍ୱାଧୀନତା ଦେବା, ଯୌତୁକ ଓ ବାଲ୍ୟବିବାହ ଭଳି ସାମାଜିକ ପ୍ରଥାକୁ ନିରୁତ୍ସାହିତ କରିବା ଏବଂ ବିବାହ ପଞ୍ଜୀକରଣକୁ ଉତ୍ସାହିତ କରିବା।