ଭକ୍ତଙ୍କ ଚେତାବନୀକୁ ୨୪ ଘଣ୍ଟା ନପୂରୁଣୁ ଝଟ୍‌କା: ପିସିସି ଟିମ୍‌ରୁ ଇସ୍ତଫା, ରାୟଗଡ଼ା କଂଗ୍ରେସରେ ବିଦ୍ରୋହର ସ୍ୱର

ନୂଆ ନିଯୁକ୍ତିକୁ ନେଇ ଅସନ୍ତୋଷ ତୀବ୍ର; ଦୁର୍ଗା ପଣ୍ଡାଙ୍କ ପଦତ୍ୟାଗ

ବିଷମକଟକରେ ଶତାଧିକ କର୍ମୀଙ୍କ ମେଳି

ରାୟଗଡ଼ା: ନୂଆ ପିସିସି ଟିମ୍‌ ଘୋଷଣାକୁ ନେଇ ଓଡ଼ିଶା କଂଗ୍ରେସରେ ଅସନ୍ତୋଷ ଥମିବାର ନାଁ ନେଉନାହିଁ। ପିସିସି ସଭାପତି ଭକ୍ତ ଚରଣ ଦାସ ଦଳୀୟ ନିଯୁକ୍ତିକୁ ନେଇ କୌଣସି ପ୍ରକାର ପ୍ରତିକ୍ରିୟା ନଦେବା ଏବଂ ଗୋଷ୍ଠୀବାଦରୁ ଦୂରେଇ ଏକାଠି ହୋଇ କାମ କରିବାକୁ ନେତାମାନଙ୍କୁ ଆହ୍ୱାନ ଦେବାର ୨୪ ଘଣ୍ଟା ନପୂରୁଣୁ ରାୟଗଡ଼ାର ଜଣେ ବରିଷ୍ଠ ନେତାଙ୍କ ଇସ୍ତଫା ଘଟଣା ରାଜ୍ୟ କଂଗ୍ରେସରେ ନୂଆ ଚର୍ଚ୍ଚା ଜନ୍ମ ଦେଇଛି। ଏହା ସହିତ ବିଷମକଟକରେ ଶତାଧିକ କଂଗ୍ରେସ କର୍ମୀଙ୍କ ମେଳି ଦଳ ଭିତରେ ଥିବା ଅସନ୍ତୋଷକୁ ଆହୁରି ପଦାକୁ ଆଣିଛି।

ନୂଆ ପିସିସି କମିଟି ଘୋଷଣା ପରେ ଭକ୍ତ ଚରଣ ଦାସ ଦଳୀୟ ନେତାଙ୍କୁ ସଂଯମ ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ପଦପଦବୀ ନମିଳିଲେ କିମ୍ବା ଆଶାନୁରୂପ ଦାୟିତ୍ୱ ନପାଇଲେ ସାର୍ବଜନୀନ ଭାବେ ଅସନ୍ତୋଷ ପ୍ରକାଶ ନକରି ଦଳର ସ୍ୱାର୍ଥରେ କାମ କରିବାକୁ ସେ କହିଥିଲେ। “କେହି ବି ପ୍ରତିକ୍ରିୟା କରିବେ ନାହିଁ” ବୋଲି ଭକ୍ତଙ୍କ ଆହ୍ୱାନ ସହିତ ଗୋଷ୍ଠୀବାଦ ଛାଡ଼ି ସମସ୍ତେ ମିଳିମିଶି କଂଗ୍ରେସକୁ ମଜବୁତ କରିବାକୁ ସେ ଜୋର ଦେଇଥିଲେ।

କିନ୍ତୁ ଭକ୍ତଙ୍କ ଏହି ବାର୍ତ୍ତାର ୨୪ ଘଣ୍ଟା ମଧ୍ୟରେ ରାୟଗଡ଼ାର ପୂର୍ବତନ ଡିସିସି ସଭାପତି ତଥା ବରିଷ୍ଠ ନେତା ଦୁର୍ଗା ପ୍ରସାଦ ପଣ୍ଡାଙ୍କ ପଦତ୍ୟାଗ ରାଜ୍ୟ ରାଜନୀତିରେ ଚର୍ଚ୍ଚାର କାରଣ ହୋଇଛି। ସଦ୍ୟ ଘୋଷଣା ହୋଇଥିବା ପିସିସିର ପଦାଧିକାରୀ ତାଲିକାରେ ଶ୍ରୀ ପଣ୍ଡାଙ୍କୁ ରାଜ୍ୟ ସାଧାରଣ ସଂପାଦକ ପଦବୀ ମିଳିଥିଲା। ସେ ରାଜ୍ୟ ଉପସଭାପତି ପଦବୀ ଚାହୁଁଥିଲେ। କିନ୍ତୁ ସାଧାରଣ ସଂପାଦକ ପଦବୀ ମିଳିଥିବା ଯୋଗୁ ସେ ପଦବୀ ଗ୍ରହଣ କରିବାକୁ ମନା କରିଦେଇଛନ୍ତି। ଜିଲ୍ଲା କଂଗ୍ରେସ ସଂଗଠନରେ ଦୀର୍ଘଦିନ ଧରି ସକ୍ରିୟ ଥିବା ପଣ୍ଡା ବିଭିନ୍ନ ସମୟରେ ଦଳର ଗୁରୁତ୍ୱପୂର୍ଣ୍ଣ ପଦ ଓ ଦାୟିତ୍ୱ ତୁଲାଇଛନ୍ତି। ରାୟଗଡ଼ାରେ କଂଗ୍ରେସର ସାଂଗଠନିକ କାର୍ଯ୍ୟକଳାପରେ ତାଙ୍କର ଦୀର୍ଘଦିନର ଭୂମିକା ରହିଛି।

ସିଜିମାଳି ଆନ୍ଦୋଳନରେ ଥିଲେ ଆଗରେ
ଦୁର୍ଗା ପଣ୍ଡାଙ୍କ ରାଜନୈତିକ ପରିଚୟ କେବଳ ଦଳୀୟ ସଂଗଠନ ମଧ୍ୟରେ ସୀମିତ ନୁହେଁ। ସିଜିମାଳି ଖଣି ପ୍ରସଙ୍ଗରେ ଚାଲିଥିବା ଆନ୍ଦୋଳନରେ ସେ ସକ୍ରିୟ ଭୂମିକା ନେଇଥିଲେ। ସ୍ଥାନୀୟ ଲୋକଙ୍କ ଆନ୍ଦୋଳନକୁ ସମର୍ଥନ ଦେବା ସହ ଖଣି ପ୍ରସଙ୍ଗରେ କଂଗ୍ରେସର ଆଭିମୁଖ୍ୟକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସେ ସକ୍ରିୟ ଥିଲେ। ରାୟଗଡ଼ାର କଂଗ୍ରେସ ଜନପ୍ରତିନିଧିମାନେ ଆନ୍ଦୋଳନରୁ ଦୂରରୁ ରହୁଥିବା ଯୋଗୁ ଅଖିଳ ଭାରତୀୟ କଂଗ୍ରେସ କମିଟି (ଏଆଇସିସି)ର ନେତୃତ୍ବ ତାଙ୍କ ସହିିତ ସୀଧା ଯୋଗଯୋଗରେ ରହୁଥିଲେ। ଏପରି ଜଣେ ନେତା ନୂଆ ପିସିସି ଟିମ୍‌ ଘୋଷଣାର ଦିନକ ମଧ୍ୟରେ ଇସ୍ତଫା ଦେବା ଘଟଣାକୁ ନେଇ ରାୟଗଡ଼ା କଂଗ୍ରେସର ଭିତର ରାଜନୀତି ଏବେ ଚର୍ଚ୍ଚାରେ।

ବିଷମକଟକରେ କର୍ମୀଙ୍କ ମେଳି, ନେତୃତ୍ୱ ବିରୋଧରେ କ୍ଷୋଭ
ଦୁର୍ଗା ପଣ୍ଡାଙ୍କ ଇସ୍ତଫା ଆଗରୁ ବିଷମକଟକରେ ଦଳୀୟ କର୍ମୀଙ୍କ ମେଳି ଘଟଣାକୁ ଆହୁରି ରୋଚକ କରିଛି। ସ୍ଥାନୀୟ ବ୍ଲକ କଂଗ୍ରେସ ସଭାପତିଙ୍କ ଆହ୍ୱାନରେ ଡାକବଙ୍ଗଳା ପରିସରରେ ହୋଇଥିବା ବୈଠକରେ ଶତାଧିକ ନେତା ଓ କର୍ମୀ ଯୋଗଦେଇଥିଲେ। ବୈଠକରେ ସ୍ଥାନୀୟ ସାଂସଦ, ବିଧାୟକ ଓ ଜିଲ୍ଲା ସଂଗଠନର କାର୍ଯ୍ୟଶୈଳୀକୁ ନେଇ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ।କର୍ମୀମାନଙ୍କ ଅଭିଯୋଗ ଅନୁସାରେ, ସ୍ଥାନୀୟ ନେତା ଓ କର୍ମୀଙ୍କୁ ଅବଗତ ନକରାଇ ଦଳୀୟ କାର୍ଯ୍ୟକ୍ରମ ଏବଂ ଗସ୍ତ ଆୟୋଜନ କରାଯାଉଛି। ତୃଣମୂଳ ସ୍ତରର କର୍ମୀଙ୍କ ସହ ପର୍ଯ୍ୟାପ୍ତ ସମନ୍ୱୟ ରହୁନଥିବା ନେଇ ମଧ୍ୟ କ୍ଷୋଭ ପ୍ରକାଶ ପାଇଛି। ସେହିପରି ସ୍ଥାନୀୟ ଦଳୀୟ କର୍ମୀଙ୍କ ସହ ପରାମର୍ଶ ନକରି କେତେକ ନିଯୁକ୍ତି ଓ ଦାୟିତ୍ୱ ବଣ୍ଟନ କରାଯାଉଥିବା ଅଭିଯୋଗ ମଧ୍ୟ ବୈଠକରେ ଉଠିଥିଲା। ଏଭଳି କାର୍ଯ୍ୟଶୈଳୀରେ ପରିବର୍ତ୍ତନ ନଆସିଲେ ଆଗାମୀ ଦିନରେ ଦଳ ଭିତରେ ବିରୋଧ ଆହୁରି ତୀବ୍ର ହେବ ବୋଲି କେତେକ କର୍ମୀ ଚେତାବନୀ ଦେଇଥିଲେ।

୨୦୨୪ର ସଫଳତା ପରେ ଦଳ ଭିତରେ ଏବେ ଅସନ୍ତୋଷ କାହିଁକି?
ରାୟଗଡ଼ା ଜିଲ୍ଲାରେ କଂଗ୍ରେସର ନିର୍ବାଚନୀ ପ୍ରଦର୍ଶନ ଭଲ ରହିଥିବା ସତ୍ତ୍ୱେ ସଂଗଠନ ଭିତରେ ଅସନ୍ତୋଷ ଦଳୀୟ ନେତୃତ୍ୱ ପାଇଁ ଚିନ୍ତାର କାରଣ ହୋଇଛି। ଗତ ରାୟଗଡ଼ାରୁ ସମସ୍ତ ୩ ବିଧାନସଭା ଆଶନରେ କଂଗ୍ରେସ ବିଜୟୀ ହୋଇଥିଲା। ନୂଆ ପିସିସି ଟିମ୍‌ ମାଧ୍ୟମରେ ସଂଗଠନକୁ ପୁନର୍ଗଠିତ କରି ଆଗାମୀ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବାକୁ ଭକ୍ତ ଚରଣ ଦାସ ଉଦ୍ୟମ କରୁଥିବା ବେଳେ, ଜିଲ୍ଲାସ୍ତରରେ ଏଭଳି ଅସନ୍ତୋଷ ତାଙ୍କ ରଣନୀତିକୁ ଚ୍ୟାଲେଞ୍ଜ କରିଛି।

ଏଆଇସିସି ଅନୁମୋଦିତ ନୂଆ ପିସିସି ଗଠନରେ ବରିଷ୍ଠ ନେତାଙ୍କ ପାଇଁ ଆଡଭାଇଜରୀ କମିଟି ସହ ବିଭିନ୍ନ ସାଂଗଠନିକ ପଦରେ ବ୍ୟାପକ ନିଯୁକ୍ତି ହୋଇଛି। ବରିଷ୍ଠ ନେତାଙ୍କୁ ନେଇ ଗଠିତ ଆଡଭାଇଜରୀ କମିଟିରେ ୪୦ ଜଣଙ୍କୁ ସ୍ଥାନ ଦିଆଯାଇଛି। ଏହା ସତ୍ତ୍ୱେ ତୃଣମୂଳ ସ୍ତରରେ ଅସନ୍ତୋଷର ସ୍ୱର ଉଠିବା ଦଳୀୟ ନେତୃତ୍ୱ ପାଇଁ ଏକ ବଡ଼ ପ୍ରଶ୍ନ ଛିଡ଼ା କରିଛି।

ଭକ୍ତ ଚରଣ ଦାସଙ୍କ ‘ପ୍ରତିକ୍ରିୟା ନୁହେଁ, ଦଳ ପାଇଁ କାମ’ ବାର୍ତ୍ତାର ୨୪ ଘଣ୍ଟା ମଧ୍ୟରେ ଦୁର୍ଗା ପଣ୍ଡାଙ୍କ ଇସ୍ତଫା ଏବଂ ଏହା ପରେ ବିଷମକଟକରେ କର୍ମୀଙ୍କ ମେଳି—ରାୟଗଡ଼ା କଂଗ୍ରେସରେ ଅସନ୍ତୋଷ ଏବେ ସାର୍ବଜନୀନ ରୂପ ନେଉଥିବାର ସଙ୍କେତ ଦେଉଛି। ଆଗାମୀ ଦିନରେ ଭକ୍ତ ଏହି ଅସନ୍ତୋଷକୁ କିପରି ସମ୍ଭାଳିବେ ଏବଂ ରାୟଗଡ଼ା ସଂଗଠନକୁ ଏକାଠି କରିପାରିବେ କି ନାହିଁ, ତାହା ଉପରେ ଏବେ ସମସ୍ତଙ୍କ ନଜର।

Share

Leave a Reply

Your email address will not be published. Required fields are marked *