ଜଳସେଚନ ସମସ୍ୟାର ସମାଧାନ ପାଇଁ ମୁଖ୍ୟ ଯନ୍ତ୍ରୀଙ୍କୁ ଆବଶ୍ୟକ ପଦକ୍ଷେପ ନିର୍ଦ୍ଦେଶ
୨୫ କୋଟି ଟଙ୍କାର ନବୀକରଣ ପ୍ରସ୍ତାବ, ୧୦୦୦ ହେକ୍ଟର ଅତିରିକ୍ତ ଜମିକୁ ମିଳିବ ଜଳସେଚନ ସୁବିଧା
ଚିକିଟି-ପାତ୍ରପୁରର ୨୭ କ୍ଷୁଦ୍ର ଜଳସେଚନ ଟାଙ୍କର ନବୀକରଣ ସହ କଳିଙ୍ଗଦୋଳା ୱିଅର୍ ଉନ୍ନତୀକରଣ ଦାବି
ଭୁବନେଶ୍ୱର: ଚିକିଟି ବିଧାନସଭା ନିର୍ବାଚନମଣ୍ଡଳୀରେ ଜଳସେଚନ ଭିତ୍ତିଭୂମିର ସୁଦୃଢ଼ୀକରଣ ଏବଂ କୃଷକଙ୍କ ଜଳସେଚନ ସମସ୍ୟା ସମାଧାନ ପାଇଁ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ରାଷ୍ଟ୍ରପତିଙ୍କ ନିକଟରେ କରିଥିବା ଆବେଦନ ପରେ ତତ୍ପର ହୋଇଛି ରାଜ୍ୟ ଜଳସମ୍ପଦ ବିଭାଗ। ବିଧାୟକଙ୍କ ଚିଠିକୁ ଗୁରୁତ୍ୱ ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ନିଆଯାଇଥିବା ପଦକ୍ଷେପର ରିପୋର୍ଟ ମଧ୍ୟ ଦାଖଲ କରିବାକୁ କୁହାଯାଇଛି।
ଚିକିଟି ନିର୍ବାଚନମଣ୍ଡଳୀରେ କୃଷି ଅଧିକାଂଶ ଲୋକଙ୍କ ଜୀବିକାର ପ୍ରମୁଖ ଆଧାର ହୋଇଥିବାରୁ ଜଳସେଚନ ବ୍ୟବସ୍ଥାର ସୁଦୃଢ଼ୀକରଣ ଅତ୍ୟନ୍ତ ଜରୁରୀ ବୋଲି ବିଧାୟକ ରାଷ୍ଟ୍ରପତିଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଥିଲେ। ପୁରୁଣା ଜଳ ପରିଚାଳନା ଭିତ୍ତିଭୂମି ଓ ସୀମିତ ଜଳ ସଂରକ୍ଷଣ ବ୍ୟବସ୍ଥା ଯୋଗୁଁ ଅଞ୍ଚଳର କୃଷକମାନେ ସମସ୍ୟା ଭୋଗୁଥିବାରୁ ଏହାର ସ୍ଥାୟୀ ସମାଧାନ ପାଇଁ ସେ କେନ୍ଦ୍ରୀୟ ସହଯୋଗ ଓ ହସ୍ତକ୍ଷେପ ଲୋଡ଼ିଥିଲେ।

ବିଧାୟକଙ୍କ ଦାବି ମଧ୍ୟରେ କଳିଙ୍ଗଦୋଳା ଡାଇଭର୍ସନ ୱିଅର୍ର ଉନ୍ନତୀକରଣ ପ୍ରମୁଖ। ଚିଠିରେ ଉଲ୍ଲେଖ ଅନୁଯାୟୀ, ‘ତିତ୍ଲି’ ବାତ୍ୟା ସମୟରେ ଏହି ଡାଇଭର୍ସନ ୱିଅର୍ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ଏହାକୁ ଆଧୁନିକ ବ୍ୟାରେଜ୍ରେ ପରିଣତ କରାଗଲେ ଜଳ ସଂରକ୍ଷଣ କ୍ଷମତା ବୃଦ୍ଧି ପାଇବା ସହ ପ୍ରାୟ ୧,୦୦୦ ହେକ୍ଟର ଅତିରିକ୍ତ ଜମିକୁ ଜଳସେଚନ ସୁବିଧା ମିଳିବ। ଏଥିସହ ବର୍ତ୍ତମାନର ପ୍ରାୟ ୬,୫୦୦ ହେକ୍ଟର ଜଳସେଚିତ ଅଞ୍ଚଳକୁ ସ୍ଥିର କରିବାରେ ଏହା ସହାୟକ ହେବ ବୋଲି ବିଧାୟକ ଦର୍ଶାଇଥିଲେ।
ସେହିପରି ଚିକିଟି ଓ ପାତ୍ରପୁର ବ୍ଲକରେ ଥିବା ୨୭ଟି କ୍ଷୁଦ୍ର ଜଳସେଚନ ଟାଙ୍କର ନବୀକରଣ ପାଇଁ ମଧ୍ୟ ଦାବି କରାଯାଇଛି। ଏହି ଟାଙ୍କଗୁଡ଼ିକ ପ୍ରାୟ ୨,୫୭୫ ହେକ୍ଟର ଜମିକୁ ଜଳସେଚନ ଯୋଗାଇଥାଏ। ଟାଙ୍କଗୁଡ଼ିକର ଡିସିଲ୍ଟିଂ, ବନ୍ଧ ସୁଦୃଢ଼ୀକରଣ ଏବଂ ଜଳ ନିୟନ୍ତ୍ରଣ ସଂରଚନାର ପୁନରୁଦ୍ଧାର କରାଗଲେ ଜଳସେଚନ ଦକ୍ଷତା ବୃଦ୍ଧି ସହ ଭୂତଳ ଜଳର ପୁନଃଭରଣ ଏବଂ କୃଷି ପାଇଁ ନିର୍ଭରଯୋଗ୍ୟ ଜଳ ଉପଲବ୍ଧତା ସୁନିଶ୍ଚିତ ହୋଇପାରିବ। ଏହି କାର୍ଯ୍ୟ ପାଇଁ ପ୍ରାୟ ୨୫ କୋଟି ଟଙ୍କା ଆବଶ୍ୟକ ହେବ ବୋଲି ଚିଠିରେ ଦର୍ଶାଯାଇଛି।
ଏହାବ୍ୟତୀତ ଚିକିଟି ଓ ପାତ୍ରପୁର ବ୍ଲକ ଅଧୀନରେ ଥିବା ୧୪ଟି ଜଳସେଚନ ଟାଙ୍କକୁ କ୍ଷୁଦ୍ର ଜଳସେଚନ ବିଭାଗକୁ ହସ୍ତାନ୍ତର କରିବାକୁ ବିଧାୟକ ଅନୁରୋଧ କରିଛନ୍ତି। ଏହା ଦ୍ୱାରା ଟାଙ୍କଗୁଡ଼ିକର ବୈଜ୍ଞାନିକ ନବୀକରଣ, ନିୟମିତ ରକ୍ଷଣାବେକ୍ଷଣ ଓ ଦୀର୍ଘମିଆଦୀ ପରିଚାଳନା ସୁବିଧାଜନକ ହେବ ବୋଲି ସେ ଯୁକ୍ତି ଦର୍ଶାଇଛନ୍ତି।

ଚିଠି ସହ ସଂଲଗ୍ନ ତାଲିକାରେ ପାତ୍ରପୁର ବ୍ଲକର ରଘୁନାଥ ସାଗର, କୃଷ୍ଣ ସାଗର, ଲଣ୍ଡା ବନ୍ଧା, ବେଣ୍ଡଳା ଘାଇ, ଖଣ୍ଡି ଘାଇ, ସରାଠୀ ସାଗର, ଅଁଳା ସାଗର, ବାଦବନ୍ଧା ଓ ପୂରୁଣା ବନ୍ଧା ଏବଂ ଚିକିଟି ବ୍ଲକର ରାଜାଘାଇ, ହରିଆ ସାଗର, ଏଙ୍କମା ବନ୍ଧା, ବାଲି ବନ୍ଧା ଓ ବଡ଼ ବନ୍ଧା ସମେତ ୧୪ଟି ଟାଙ୍କର ନାମ ଉଲ୍ଲେଖ ରହିଛି।
ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ଚିଠି ରାଷ୍ଟ୍ରପତିଙ୍କ ସଚିବାଳୟରେ ପହଞ୍ଚିବା ପରେ ଅଗଷ୍ଟ ୧୯ ତାରିଖରେ ରାଷ୍ଟ୍ରପତିଙ୍କ ସଚିବାଳୟ ପକ୍ଷରୁ ଏହାକୁ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ପଠାଯାଇଥିଲା। ପରେ ଜଳସମ୍ପଦ ବିଭାଗ ପକ୍ଷରୁ ସେପ୍ଟେମ୍ବର ୫ ତାରିଖରେ ଚିକିଟି ବିଧାୟକଙ୍କ ଏହି ଦାବି ଉପରେ ଆବଶ୍ୟକ ପଦକ୍ଷେପ ନେବାକୁ କ୍ଷୁଦ୍ର ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀଙ୍କୁ ଚିଠି ଦିଆଯାଇଛି।