- ୫୦ କୋଟିରୁ ଅଧିକ ପ୍ରକଳ୍ପରେ ନନ୍-ଡେଷ୍ଟ୍ରକ୍ଟିଭ୍ ଟେଷ୍ଟିଂ
- ତ୍ରୁଟି ସୁଧାରରେ ଅବହେଳା କଲେ କଠୋର କାର୍ଯ୍ୟାନୁଷ୍ଠାନ
ରାଜ୍ୟରେ ସରକାରୀ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ସୁନିଶ୍ଚିତ କରିବା ସହ ନିର୍ମାଣ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ଜବାବଦେହିମୂଳକ କରିବା ପାଇଁ ପୂର୍ତ୍ତ ବିଭାଗ ନୂଆ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜର (ଏସ୍ଓପି) ଜାରି କରିଛି। ଏହି ଏସ୍ଓପି ଅନୁଯାୟୀ, ୧୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ସମସ୍ତ ପ୍ରକଳ୍ପରେ ସ୍ୱାଧୀନ କ୍ୱାଲିଟି ଅଡିଟ୍ ବାଧ୍ୟତାମୂଳକ କରାଯାଇଛି। ପୂର୍ତ୍ତ ବିଭାଗର ଆର୍ଡି ଆଣ୍ଡ କ୍ୟୁପି (RD&QP) ୱିଙ୍ଗ ଏହି ଅଡିଟ୍ କୌଣସି ଯାଞ୍ଚ କିମ୍ବା ପରୀକ୍ଷା ଶୁଳ୍କ ବିନା କରିବ।

ନୂଆ ବ୍ୟବସ୍ଥା ଅନୁଯାୟୀ, ଠିକାଦାରଙ୍କ କାର୍ଯ୍ୟପଦ୍ଧତି, ନିର୍ମାଣ ସାମଗ୍ରୀର ଗୁଣବତ୍ତା, ପରୀକ୍ଷାଗାରର କ୍ଷମତା, ଗୁଣବତ୍ତା ନିୟନ୍ତ୍ରଣ ବ୍ୟବସ୍ଥା, ନିର୍ମାଣ ପ୍ରକ୍ରିୟା, ସୁରକ୍ଷା ମାନଦଣ୍ଡ, ପରିବେଶ ସୁରକ୍ଷା ଓ ଶ୍ରମ ଆଇନ ପାଳନର ସ୍ୱାଧୀନ ଯାଞ୍ଚ କରାଯିବ। ପ୍ରକଳ୍ପର ତଦାରଖ କରୁଥିବା ପରାମର୍ଶଦାତା ସଂସ୍ଥାଙ୍କ ଗୁଣବତ୍ତା ପରିଚାଳନା ବ୍ୟବସ୍ଥା ମଧ୍ୟ ଅଡିଟ୍ର ପରିସରଭୁକ୍ତ ରହିବ।
ପ୍ରତ୍ୟେକ ପ୍ରକଳ୍ପରେ ଅତି କମରେ ଦୁଇଟି କ୍ୱାଲିଟି ଅଡିଟ୍ କରାଯିବ। ପ୍ରଥମ ଅଡିଟ୍ ନିର୍ମାଣର ପ୍ରାରମ୍ଭିକ ପର୍ଯ୍ୟାୟରେ ଏବଂ ଦ୍ୱିତୀୟ ଅଡିଟ୍ ପ୍ରକଳ୍ପ ସମାପ୍ତି ପ୍ରମାଣପତ୍ର (PCC) ପ୍ରଦାନ ପୂର୍ବରୁ କରାଯିବ। ପ୍ରକଳ୍ପର ଆକାର ଓ ବୈଷୟିକ ଜଟିଳତାକୁ ଦୃଷ୍ଟିରେ ରଖି ଆବଶ୍ୟକ ହେଲେ ଅଧିକ ସଂଖ୍ୟକ ଅଡିଟ୍ ମଧ୍ୟ କରାଯାଇପାରିବ।
ଅଡିଟ୍ରେ ଚିହ୍ନଟ ହେଉଥିବା ତ୍ରୁଟିଗୁଡ଼ିକର ସମୀକ୍ଷା ପାଇଁ ପ୍ରତି ମାସରେ ଏକ ଉଚ୍ଚସ୍ତରୀୟ କମିଟି ବୈଠକ କରିବ। କମିଟିର ସୁପାରିସ ତିନି ମାସ ମଧ୍ୟରେ କାର୍ଯ୍ୟକାରୀ ନ ହେଲେ ସମ୍ପୃକ୍ତ ଅଧିକାରୀ କିମ୍ବା ସଂସ୍ଥା ବିରୋଧରେ ପୂର୍ତ୍ତ ବିଭାଗ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ନିର୍ମାଣ କାର୍ଯ୍ୟ ସମୟରେ ହେଉଥିବା ଗୁଣବତ୍ତା ପରୀକ୍ଷାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଚାଲିଥିବା ପ୍ରକଳ୍ପଗୁଡ଼ିକରେ କରାଯାଉଥିବା ସମସ୍ତ ପରୀକ୍ଷା ମଧ୍ୟରୁ ଅତି କମରେ ୫୦ ପ୍ରତିଶତ ପରୀକ୍ଷା RD&QPର ନିକଟସ୍ଥ ପରୀକ୍ଷାଗାରରେ କରିବା ବାଧ୍ୟତାମୂଳକ କରାଯାଇଛି। ନିର୍ମାଣ ସାମଗ୍ରୀର ଉତ୍ସ ଅନୁମୋଦନ ପାଇଁ ଆବଶ୍ୟକ ସମସ୍ତ ପରୀକ୍ଷା ମଧ୍ୟ ସେହି ପରୀକ୍ଷାଗାରରେ କରାଯିବ।
ଏହାବ୍ୟତୀତ, ୫୦ କୋଟି ଟଙ୍କା କିମ୍ବା ତା’ଠାରୁ ଅଧିକ ବ୍ୟୟବରାଦର ପ୍ରକଳ୍ପରେ କାମ ଶେଷ ହେବା ପରେ ସଡ଼କ ଓ ସେତୁର ଗୁଣବତ୍ତାକୁ ଭାଙ୍ଗିବା କିମ୍ବା କ୍ଷତିଗ୍ରସ୍ତ ନ କରି ଅତ୍ୟାଧୁନିକ ଯନ୍ତ୍ର ମାଧ୍ୟମରେ ଯାଞ୍ଚ କରାଯିବ। ଏହା ସହ ବିଟୁମିନସ୍ ଓ ପେଭମେଣ୍ଟ କ୍ୱାଲିଟି କଙ୍କ୍ରିଟ୍ (PQC) କୋର୍ ପରୀକ୍ଷା ମଧ୍ୟ କରାଯିବ। ଏହି ସମସ୍ତ ପରୀକ୍ଷାରେ ସନ୍ତୋଷଜନକ ଫଳ ମିଳିବା ପରେ ହିଁ ପ୍ରକଳ୍ପ ସମାପ୍ତି ପ୍ରମାଣପତ୍ର (PCC) ପ୍ରଦାନ କରାଯିବ।
ଏହି ଏସ୍ଓପି ତୁରନ୍ତ କାର୍ଯ୍ୟକାରୀ ହୋଇଛି ଏବଂ ପୂର୍ତ୍ତ ବିଭାଗର ଆର୍ଆଣ୍ଡବି ୱିଙ୍ଗ ଓ ଓବି ଆଣ୍ଡ ସିସି ଲିମିଟେଡ୍ ଅଧୀନରେ ଚାଲିଥିବା ସମସ୍ତ ବର୍ତ୍ତମାନ ଓ ଆଗାମୀ ପ୍ରକଳ୍ପରେ ଏହା ଲାଗୁ ହେବ। ମୁଖ୍ୟ ଯନ୍ତ୍ରୀଠାରୁ ନିର୍ବାହୀ ଯନ୍ତ୍ରୀ ପର୍ଯ୍ୟନ୍ତ ସମସ୍ତ ସମ୍ପୃକ୍ତ ଅଧିକାରୀଙ୍କୁ ଏହି ନିର୍ଦ୍ଦେଶାବଳୀର କଡ଼ା ପାଳନ ସୁନିଶ୍ଚିତ କରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।