୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ

ସେପ୍ଟେମ୍ବର ୨୩ରେ ମାଷ୍ଟର ଟ୍ରେନରଙ୍କ ପ୍ରଶିକ୍ଷଣ, ଅକ୍ଟୋବର ୨୬ରୁ ଘର ଘର ବୁଲି ସର୍ଭେ

୨୦୨୭ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ଆରମ୍ଭ

ସେପ୍ଟେମ୍ବର ୨୩ରେ ମାଷ୍ଟର ଟ୍ରେନରଙ୍କ ପ୍ରଶିକ୍ଷଣ, ଅକ୍ଟୋବର ୨୬ରୁ ଘର ଘର ବୁଲି ସର୍ଭେ

ଭୁବନେଶ୍ୱର: ୨୦୨୭ରେ ହେବାକୁ ଥିବା ପଞ୍ଚାୟତ ଓ ପୌରସଂସ୍ଥା ନିର୍ବାଚନ ପାଇଁ ଭୋଟର ତାଲିକା ପ୍ରସ୍ତୁତି ପ୍ରକ୍ରିୟାକୁ ରାଜ୍ୟ ନିର୍ବାଚନ ଆୟୋଗ ଗୁରୁତ୍ୱ ଦେଇ ଆଗେଇ ନେଇଛନ୍ତି। ଏହି କ୍ରମରେ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଘର ଘର ବୁଲି ଡୋର୍-ଟୁ-ଡୋର୍ (D2D) ସର୍ଭେ କରାଯିବ। ଏଥିପାଇଁ ମାଷ୍ଟର ଟ୍ରେନରମାନଙ୍କୁ ନେଇ ରାଜ୍ୟସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ୨୩ ସେପ୍ଟେମ୍ବରରେ ଭୁବନେଶ୍ୱରରେ ଅନୁଷ୍ଠିତ ହେବ।

ରାଜ୍ୟ ନିର୍ବାଚନ ଆୟୋଗଙ୍କ ୯ ସେପ୍ଟେମ୍ବର ୨୦୨୬ର ଚିଠି ଅନୁଯାୟୀ, ସେପ୍ଟେମ୍ବର ୨୩ ତାରିଖ ସକାଳ ୧୦ଟା ୩୦ରେ ଲୋକସେବା ଭବନସ୍ଥିତ ଷ୍ଟେଟ୍ କନଭେନସନ୍ ସେଣ୍ଟରର ଗ୍ରାଉଣ୍ଡ ଫ୍ଲୋରରେ ପ୍ରଶିକ୍ଷଣ ଆରମ୍ଭ ହେବ। ଏଥିରେ ଜିଲ୍ଲାସ୍ତରରେ ଟ୍ରେନର ଭାବେ ଦାୟିତ୍ୱ ନେବାକୁ ଥିବା ଅଧିକାରୀମାନେ ଯୋଗଦେବେ।

ରାଜ୍ୟସ୍ତରୀୟ ପ୍ରଶିକ୍ଷଣ ପରେ ମନୋନୀତ ଅଧିକାରୀମାନେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ଟ୍ରେନରମାନଙ୍କୁ ପ୍ରଶିକ୍ଷଣ ଦେବେ। ଏହି ପ୍ରଶିକ୍ଷଣ ପ୍ରକ୍ରିୟା ସମ୍ପନ୍ନ ହେବା ପରେ ସର୍ଭେ ଟିମ୍‌ଗୁଡ଼ିକ ଅକ୍ଟୋବର ୨୬ରୁ ନଭେମ୍ବର ୭, ୨୦୨୬ ପର୍ଯ୍ୟନ୍ତ ଘର ଘର ବୁଲି ଭୋଟର ତାଲିକା ପ୍ରସ୍ତୁତି ସମ୍ପର୍କିତ D2D ସର୍ଭେ କରିବେ।

ପ୍ରଶିକ୍ଷଣ ପାଇଁ ପ୍ରତ୍ୟେକ ଜିଲ୍ଲାରୁ ନିର୍ବାଚନ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ପଞ୍ଚାୟତ ଅଧିକାରୀ, ସମସ୍ତ ଉପଜିଲ୍ଲାପାଳ, ଜିଲ୍ଲାପାଳଙ୍କ ଦ୍ୱାରା ମନୋନୀତ ଜଣେ ଡେପୁଟି କଲେକ୍ଟର/ଆସିଷ୍ଟାଣ୍ଟ କଲେକ୍ଟର, ନିର୍ଦ୍ଦିଷ୍ଟ ବ୍ଲକ୍‌ର ବିଡିଓ, ଜଣେ ଜିପିଡିଓ ଏବଂ ଜଣେ ବିଏଲ୍‌ଓ ସୁପରଭାଇଜରଙ୍କୁ ସାମିଲ କରାଯିବ। ଏଥିସହ ସମସ୍ତ ପୌରସଂସ୍ଥାର ନିର୍ବାହୀ ଅଧିକାରୀମାନେ ମଧ୍ୟ ପ୍ରଶିକ୍ଷଣରେ ଯୋଗଦେବେ। ମହାନଗର ନିଗମଗୁଡ଼ିକ ପକ୍ଷରୁ ନିଜ ଅଞ୍ଚଳର ନିର୍ବାଚନ ଦାୟିତ୍ୱରେ ଥିବା ଦୁଇଜଣ ଡେପୁଟି କମିଶନର କିମ୍ବା ଆସିଷ୍ଟାଣ୍ଟ କମିଶନରଙ୍କୁ ପଠାଯାଇପାରିବ।

ମନୋନୀତ ଅଧିକାରୀମାନେ ପରବର୍ତ୍ତୀ ପର୍ଯ୍ୟାୟରେ ଜିଲ୍ଲା ଓ ବ୍ଲକ୍‌ସ୍ତରରେ ପ୍ରଶିକ୍ଷଣ ପ୍ରଦାନ କରିବେ। ପ୍ରଶିକ୍ଷଣରେ ଯୋଗଦେବାକୁ ଥିବା ଅଧିକାରୀମାନେ ପଞ୍ଜୀକରଣ ପାଇଁ ସକାଳ ୧୦ଟା ସୁଦ୍ଧା ନିର୍ଦ୍ଦିଷ୍ଟ ସ୍ଥାନରେ ପହଞ୍ଚିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ମନୋନୀତ ପ୍ରଶିକ୍ଷଣାର୍ଥୀଙ୍କ ନାମ, ପଦବୀ, ମୋବାଇଲ୍ ନମ୍ବର ଓ ଇ-ମେଲ୍ ଆଇଡି ସେପ୍ଟେମ୍ବର ୨୦ ସୁଦ୍ଧା ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ପଠାଇବାକୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍‌ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଘର ଘର ସର୍ଭେ ପାଇଁ ପ୍ରଶାସନିକ ପ୍ରସ୍ତୁତି ତେଜ ହୋଇଥିବା ବେଳେ, ୨୦୨୭ର ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଭୋଟର ତାଲିକାକୁ ଅଦ୍ୟତନ କରିବା ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି।

Share

Leave a Reply

Your email address will not be published. Required fields are marked *