ଗଠନ ହେଲା ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ

ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଜୁଗଳ କିଶୋର ମହାପାତ୍ରଙ୍କ ସମେତ ୭ ବିଶେଷଜ୍ଞ ସଦସ୍ୟ ସାମିଲ

ଭୁବନେଶ୍ୱର: ଓଡ଼ିଶାର ଦୀର୍ଘମିଆଦୀ ଆର୍ଥିକ ବିକାଶ, ନୀତି ନିର୍ଦ୍ଧାରଣ ଓ ରାଜସ୍ୱ ଶୃଙ୍ଖଳାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (CM-EAC) ଗଠନ କରିଛନ୍ତି। ଅର୍ଥ ବିଭାଗ ପକ୍ଷରୁ ଗତ ୨୫ ତାରିଖରେ ଏ ସଂକ୍ରାନ୍ତ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତି ଜାରି ହେବା ଦିନଠାରୁ ପରିଷଦ କାର୍ଯ୍ୟକାରୀ ହୋଇଛି।

୨୦୩୬ ସୁଦ୍ଧା ଓଡ଼ିଶାକୁ ୫୦୦ ବିଲିୟନ ଡଲାର ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ ଡଲାର ଅର୍ଥନୀତିରେ ପରିଣତ କରିବାର ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ପରିଷଦ ଗଠନ କରାଯାଇଛି। ରାଜ୍ୟର ଦୀର୍ଘକାଳୀନ ଆର୍ଥିକ ବିକାଶ ନେଇ ପରିଷଦ ମୁଖ୍ୟମନ୍ତ୍ରୀଙ୍କୁ ଆଗୁଆ, ତଥ୍ୟଭିତ୍ତିକ ଓ ପ୍ରମାଣ ଆଧାରିତ ନୀତି ପରାମର୍ଶ ଦେବ। ଅର୍ଥନୈତିକ ଅଭିବୃଦ୍ଧି, ସାର୍ବଜନୀନ ଅର୍ଥ ପରିଚାଳନା, ପୁଞ୍ଜିନିବେଶ, ନିଯୁକ୍ତି, ପ୍ରଯୁକ୍ତିଭିତ୍ତିକ ପରିବର୍ତ୍ତନ ଓ ସ୍ଥାୟୀ ବିକାଶ ଭଳି ବିଷୟ ପରିଷଦର ପରାମର୍ଶର ପ୍ରମୁଖ କ୍ଷେତ୍ର ହେବ।

ପରିଷଦରେ ଅବସରପ୍ରାପ୍ତ ମୁଖ୍ୟ ଶାସନ ସଚିବ ଜୁଗଳ କିଶୋର ମହାପାତ୍ର, ଅବସରପ୍ରାପ୍ତ ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ଅଧ୍ୟକ୍ଷ ସନ୍ତୋଷ କୁମାର ମହାପାତ୍ର, ଭାରତ ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ପୂର୍ବତନ ସଚିବ ଡ. ଶୋଭନା କୁମାର ପଟ୍ଟନାୟକ, ଆଇଏମ୍‌ଏଫ୍‌ର ପୂର୍ବତନ ସିନିୟର ଇକୋନୋମିଷ୍ଟ ଅରବିନ୍ଦ ମୋଦୀ, ICRIERର ବିଶିଷ୍ଟ ଭିଜିଟିଂ ପ୍ରଫେସର ଡ. ଦୀପକ ମିଶ୍ର, ହାଇଦ୍ରାବାଦ ବିଶ୍ୱବିଦ୍ୟାଳୟର ସ୍କୁଲ୍‌ ଅଫ୍‌ ଇକୋନୋମିକ୍ସର ପ୍ରଫେସର ସ୍ରିଜିତ ମିଶ୍ର ଏବଂ Sarvam AIର ସହ-ପ୍ରତିଷ୍ଠାତା ତଥା ସିଇଓ ପ୍ରତ୍ୟୁଷ କୁମାରଙ୍କୁ ବିଶେଷଜ୍ଞ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି।

ଏହାସହ ମୁଖ୍ୟ ଶାସନ ସଚିବ ପଦାଧିକାରୀ ସଦସ୍ୟ ରହିବେ। ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଶାସନିକ ପଦାଧିକାରୀ ସଦସ୍ୟ, ଅର୍ଥ ବିଭାଗର ପ୍ରମୁଖ ସଚିବ ସଦସ୍ୟ-ସଚିବ ଏବଂ ନିର୍ଦ୍ଦେଶକ (ବଜେଟ୍‌) ପରିଷଦର ଆବାହକ ଭାବେ ଦାୟିତ୍ୱ ତୁଲାଇବେ। ବିଶେଷଜ୍ଞ ସଦସ୍ୟମାନଙ୍କ କାର୍ଯ୍ୟକାଳ ବିଜ୍ଞପ୍ତି ଜାରି ତାରିଖଠାରୁ ଦୁଇ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରହିବ।

ପରିଷଦ ବିଶ୍ୱ, ଜାତୀୟ ଓ ରାଜ୍ୟସ୍ତରର ଅର୍ଥନୈତିକ ପରିବର୍ତ୍ତନ ଏବଂ ତାହାର ଓଡ଼ିଶା ଅର୍ଥନୀତି ଉପରେ ପ୍ରଭାବ ଆକଳନ କରି ସରକାରଙ୍କୁ ପରାମର୍ଶ ଦେବ। ଏଥିସହ କୃତ୍ରିମ ବୁଦ୍ଧିମତ୍ତା, ଡିଜିଟାଲ ଅର୍ଥନୀତି, ସବୁଜ ଶକ୍ତି ପରିବର୍ତ୍ତନ, ବ୍ଲୁ ଇକୋନୋମି, ଜଳବାୟୁ ସହନଶୀଳତା ଓ ପ୍ରଯୁକ୍ତିଭିତ୍ତିକ ଶାସନ ଭଳି ଉଦୀୟମାନ କ୍ଷେତ୍ରରେ ନୀତି ସଂସ୍କାର ପାଇଁ ପରାମର୍ଶ ଦେବ। ସ୍ଥାୟୀ ଓ ସମାବେଶୀ ଆର୍ଥିକ ଅଭିବୃଦ୍ଧି, ଶିଳ୍ପାୟନ, ପୁଞ୍ଜିନିବେଶ, ନିଯୁକ୍ତି ସୃଷ୍ଟି ଏବଂ ରାଜ୍ୟର ପ୍ରତିସ୍ପର୍ଦ୍ଧିତା ବଢ଼ାଇବା ପାଇଁ ମଧ୍ୟ ନୀତିଗତ ପଦକ୍ଷେପ ସୁପାରିସ କରିବ।

୨୦୩୬ ଓ ୨୦୪୭ ପାଇଁ ରାଜ୍ୟର ଲକ୍ଷ୍ୟ ହାସଲ ନିମନ୍ତେ ଅଣକୃଷି କ୍ଷେତ୍ରର ସମ୍ପ୍ରସାରଣ, MSME ବିକାଶ, ଶିଳ୍ପ କ୍ଲଷ୍ଟର, ଦକ୍ଷତା ବିକାଶ ଓ ମାନବ ସମ୍ବଳର ଉନ୍ନତି ଉପରେ ମଧ୍ୟ ପରିଷଦ ରଣନୀତି ପ୍ରସ୍ତାବ କରିବ। ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ସମୟ ସମୟରେ ଦିଆଯାଇଥିବା ଅନ୍ୟାନ୍ୟ ଦାୟିତ୍ୱ ମଧ୍ୟ ପରିଷଦ ସମ୍ପାଦନ କରିବ।

ପରିଷଦ ସାଧାରଣତଃ ପ୍ରତି ଛଅ ମାସରେ ଅନ୍ତତଃ ଥରେ ବୈଠକ କରିବ। ଅର୍ଥ ବିଭାଗ ପରିଷଦର ସଚିବାଳୟ ଭାବେ କାର୍ଯ୍ୟ କରିବ ଏବଂ ଏହାର ସୁଚାରୁ ପରିଚାଳନା ପାଇଁ ଆବଶ୍ୟକ ପ୍ରଶାସନିକ, ବୈଷୟିକ ଓ ଲଜିଷ୍ଟିକ୍‌ ସହାୟତା ଯୋଗାଇଦେବ। ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ପାଇଁ ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞ, ସରକାରୀ ବିଭାଗ, ଶିକ୍ଷାନୁଷ୍ଠାନ, ଶିଳ୍ପ ସଂଗଠନ ଓ ଅନ୍ୟାନ୍ୟ ସଂସ୍ଥାର ପ୍ରତିନିଧିଙ୍କୁ ବିଶେଷ ଆମନ୍ତ୍ରିତ ଭାବେ ପରିଷଦ ବୈଠକକୁ ଡକାଯାଇପାରିବ।

ବିଶେଷଜ୍ଞ ସଦସ୍ୟମାନେ ସମ୍ମାନସୂଚକ ଭାବେ କାର୍ଯ୍ୟ କରିବେ। ସରକାରଙ୍କ ନିୟମ ଅନୁଯାୟୀ ସେମାନଙ୍କୁ ଯାତ୍ରା ଭତ୍ତା, ବୈଠକ ଫି’ ଓ ଅନ୍ୟାନ୍ୟ ସୁବିଧା ପ୍ରଦାନ କରାଯିବ। ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଛି ଯେ, ଏହାର ବ୍ୟାଖ୍ୟା କିମ୍ବା କାର୍ଯ୍ୟକାରିତା ସମ୍ପର୍କିତ କୌଣସି ଦ୍ୱନ୍ଦ୍ୱ ଦେଖାଦେଲେ ଅର୍ଥ ବିଭାଗରେ ସରକାରଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ହେବ।

Share

Leave a Reply

Your email address will not be published. Required fields are marked *