ସରକାରୀ ମେଡିକାଲ କଲେଜ ସହ ସଂଲଗ୍ନ ହସ୍ପିଟାଲଗୁଡ଼ିକର ସ୍ଥିତି ପରଖିବ ୮ ସଦସ୍ୟ ବିଶିଷ୍ଟ ରାଜ୍ୟସ୍ତରୀୟ କମିଟି, ସମସ୍ୟା ଚିହ୍ନଟ କରି ଦେବ ସୁପାରିସ

Spread the love

ଭୁବନେଶ୍ୱର, ୬ ଅଗଷ୍ଟ: ରାଜ୍ୟର ସରକାରୀ ମେଡିକାଲ କଲେଜ ସହ ସଂଲଗ୍ନ (କୋ-ଲୋକେଟେଡ୍) ହସ୍ପିଟାଲଗୁଡ଼ିକର କାର୍ଯ୍ୟକ୍ଷମତାର ସମୀକ୍ଷା କରିବା ସହ ସେଠାରେ ରହିଥିବା ସମସ୍ୟା ଚିହ୍ନଟ କରି ଶୀଘ୍ର ସମାଧାନ ପାଇଁ ସୁପାରିସ ଦେବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ୪ ଅଗଷ୍ଟରେ ଏ ସମ୍ପର୍କିତ ନିର୍ଦ୍ଦେଶନାମା ଜାରି କରାଯାଇଛି।

୮ ସଦସ୍ୟ ବିଶିଷ୍ଟ ଏହି କମିଟିର ଅଧ୍ୟକ୍ଷ ଭାବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ଦାଶଙ୍କୁ ଦାୟିତ୍ୱ ଦିଆଯାଇଛି। କମିଟିରେ ଓଏସଡି (ମେଡିକାଲ ଏଡୁକେସନ୍) ଡାକ୍ତର ଉମାକାନ୍ତ ଶତପଥୀ, ଡିଏମଇଟି ନିର୍ଦ୍ଦେଶକ ଡାକ୍ତର ଦୁର୍ଗା ମାଧବ ଶତପଥୀ, ଯୁଗ୍ମ ଡିଏମଇଟି ଡାକ୍ତର ଅନିଲ କୁମାର ସାହୁ, ଡାକ୍ତର ରୋମା ରତନ, ଡାକ୍ତର ଅବିନାଶ ପଣ୍ଡା, ଡାକ୍ତର ସୁଭଲକ୍ଷ୍ମୀ ରାଉତରାୟ, କଟକ ଏସସିବି ମେଡିକାଲ କଲେଜର କାର୍ଡିଓଲୋଜି ବିଭାଗର ଡାକ୍ତର ନିର୍ମଳ ମହାନ୍ତି ଏବଂ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ଏଣ୍ଡୋକ୍ରାଇନୋଲୋଜି ବିଭାଗର ଡାକ୍ତର କେ. ରବି କୁମାର ସଦସ୍ୟ ଭାବେ ସାମିଲ ଅଛନ୍ତି।

ନିର୍ଦ୍ଦେଶନାମା ଅନୁଯାୟୀ, କମିଟି ରାଜ୍ୟର ସମସ୍ତ ସରକାରୀ ମେଡିକାଲ କଲେଜ ପରିଦର୍ଶନ କରି ସେଥିରେ ସଂଲଗ୍ନ ହସ୍ପିଟାଲଗୁଡ଼ିକର ବାସ୍ତବ ସ୍ଥିତି ଅନୁଧ୍ୟାନ କରିବ। ବିଶେଷ କରି ଇନ୍‌ଡୋର ସେବା, ଅପରେସନ ଥିଏଟର, ରୋଗ ନିର୍ଣ୍ଣୟ ସୁବିଧା ଏବଂ ବିଭିନ୍ନ ବିଶେଷଜ୍ଞ ବିଭାଗରେ ଉପଲବ୍ଧ ସ୍ୱାସ୍ଥ୍ୟସେବାର ମାନ ଓ ପର୍ଯ୍ୟାପ୍ତତାକୁ ଯାଞ୍ଚ କରାଯିବ।

ଏହାସହ ହସ୍ପିଟାଲଗୁଡ଼ିକର ସୁଚାରୁ ପରିଚାଳନାରେ ବାଧକ ସାଜୁଥିବା ପ୍ରଶାସନିକ, ଭିତ୍ତିଭୂମି ଓ ଅନ୍ୟାନ୍ୟ ସମସ୍ୟାକୁ ଚିହ୍ନଟ କରି ସେଗୁଡ଼ିକର ଦୂରୀକରଣ ପାଇଁ ଯୋଜନା ପ୍ରସ୍ତୁତ, ସମନ୍ୱୟ ଓ କାର୍ଯ୍ୟାନ୍ୱୟନ ସମ୍ପର୍କରେ ସରକାରଙ୍କୁ ସୁପାରିସ ଦିଆଯିବ। ନୂତନ ମେଡିକାଲ କଲେଜ ସହ ସଂଲଗ୍ନ ହସ୍ପିଟାଲଗୁଡ଼ିକର ଶୀଘ୍ର ଓ ଫଳପ୍ରଦ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବା ଏହି କମିଟିର ପ୍ରମୁଖ ଉଦ୍ଦେଶ୍ୟ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

Leave a Reply

Your email address will not be published. Required fields are marked *