ଏମ୍ଏମ୍ଡିଆର୍ ବିଲ୍କୁ ନେଇ ବିଜେଡି-କଂଗ୍ରେସ ଆକ୍ରମଣାତ୍ମକ
ରାଜ୍ୟର ରାଜସ୍ୱ ଅଧିକାର କ୍ଷୁଣ୍ଣ ହେବା ଆଶଙ୍କା
ଭୁବନେଶ୍ୱର: ଖଣିଜ ସମ୍ପଦକୁ ନେଇ କେନ୍ଦ୍ର ସରକାର ଆଣିଥିବା ‘ମାଇନ୍ସ ଆଣ୍ଡ ମିନେରାଲ୍ସ (ଡେଭଲପମେଣ୍ଟ ଆଣ୍ଡ ରେଗୁଲେସନ୍) ଆମେଣ୍ଡମେଣ୍ଟ ବିଲ୍, ୨୦୨୬’କୁ ନେଇ ଓଡ଼ିଶାରେ ରାଜନୈତିକ ତାତି ବଢ଼ିଛି। ରାଜ୍ୟର ଖଣିଜ ରାଜସ୍ୱ ଆଦାୟ କ୍ଷମତାକୁ ଏହି ବିଲ୍ ସଙ୍କୁଚିତ କରିବା ସହ ଓଡ଼ିଶାର ଆର୍ଥିକ ସ୍ୱାୟତ୍ତତା ଓ ସଂଘୀୟ ବ୍ୟବସ୍ଥାକୁ ଦୁର୍ବଳ କରିବ ବୋଲି ବିଜେଡି ଓ କଂଗ୍ରେସ ଅଭିଯୋଗ କରିଛନ୍ତି। ଏହାକୁ ନେଇ ଉଭୟ ଦଳ କେନ୍ଦ୍ର ଓ ରାଜ୍ୟର ବିଜେପି ସରକାରକୁ ତୀବ୍ର ସମାଲୋଚନା କରିଛନ୍ତି।
ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ ଓ ବିଜେଡିର ବରିଷ୍ଠ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଥିଲେ। ଘଡ଼େଇ ଅଭିଯୋଗ କରିଥିଲେ ଯେ, ବିଜେପି ସରକାର କ୍ଷମତାକୁ ଆସିବା ପରେ ଓଡ଼ିଶାର ଖଣିଜ ସମ୍ପଦର ବ୍ୟାପକ ଚୋରା ଚାଲାଣ ହେଉଛି ଏବଂ ଖଣିଜ ରାଜସ୍ୱ ରାଜ୍ୟବାସୀଙ୍କ ବିକାଶରେ ଆବଶ୍ୟକ ଭାବେ ବିନିଯୋଗ ହେଉନାହିଁ। ଖଣିଜ ସମ୍ପଦରୁ ଆସୁଥିବା ଅର୍ଥ ଉପରେ ରାଜ୍ୟର ଅଧିକାର କ୍ଷୁଣ୍ଣ କରିବାକୁ ଯୋଜନା ହେଉଥିବା ସେ ଅଭିଯୋଗ କରିଥିଲେ।
ଡିଏମଏଫ୍ ମାଧ୍ୟମରେ ଖଣିଜ ସମ୍ପଦରୁ ମିଳୁଥିବା ଅର୍ଥ ଖଣିପ୍ରଭାବିତ ଅଞ୍ଚଳ ଓ ରାଜ୍ୟବାସୀଙ୍କ ବିକାଶରେ ଖର୍ଚ୍ଚ ହେବା କଥା ବୋଲି ଘଡ଼େଇ କହିଥିଲେ। ନୂଆ ବିଲ୍ ମାଧ୍ୟମରେ ରାଜ୍ୟର ରାଜସ୍ୱ ଅଧିକାରକୁ କେନ୍ଦ୍ରୀଭୂତ କରିବାର ପ୍ରୟାସ ହେଉଛି ବୋଲି ସେ ଅଭିଯୋଗ କରିବା ସହ ଓଡ଼ିଶାର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ ଅନ୍ୟ ରାଜ୍ୟର ବିକାଶରେ ବ୍ୟବହାର ହେବା ଗ୍ରହଣୀୟ ନୁହେଁ ବୋଲି କହିଥିଲେ।
ବିଲ୍କୁ ସଂସଦରେ ଓଡ଼ିଶାରୁ ନିର୍ବାଚିତ ୨୦ ଜଣ ବିଜେପି ସାଂସଦ ସମର୍ଥନ କରିଥିବା ଅଭିଯୋଗ କରି ଘଡ଼େଇ ପ୍ରଶ୍ନ କରିଥିଲେ ଯେ, ରାଜ୍ୟର ସ୍ୱାର୍ଥକୁ ପ୍ରଭାବିତ କରୁଥିବା ଏକ ବିଲ୍କୁ ସେମାନେ କିପରି ସମର୍ଥନ କଲେ? ଏନେଇ ରାଜ୍ୟବାସୀଙ୍କ ନିକଟରେ ସେମାନେ ଉତ୍ତର ରଖିବା ଆବଶ୍ୟକ ବୋଲି ସେ କହିଥିଲେ।
ଭୃଗୁ ବକ୍ସିପାତ୍ର ଅଭିଯୋଗ କରିଥିଲେ ଯେ, ଏମ୍ଏମ୍ଡିଆର୍ ଆଇନରେ ସଂଶୋଧନ ଆଣି କେନ୍ଦ୍ର ସରକାର ଓଡ଼ିଶାର ଖଣିଜ ସମ୍ପଦ ଉପରେ ରାଜ୍ୟର ଅଧିକାରକୁ ସଙ୍କୁଚିତ କରିବାକୁ ଚାହୁଁଛନ୍ତି। ଖଣି କ୍ଷେତ୍ରରୁ ରାଜସ୍ୱ ଆଦାୟ ନେଇ ରାଜ୍ୟର ଅଧିକାର ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ରାୟ ସତ୍ତ୍ୱେ କେନ୍ଦ୍ର ସରକାର ରାଜ୍ୟର ଅଧିକାର ଛଡ଼ାଇ ନେବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଥିଲେ।
ଖଣି ମାଲିକଙ୍କ ନିକଟରେ ବକେୟା ଥିବା ବିପୁଳ ଅର୍ଥ ଆଦାୟ କରିବା ଦିଗରେ ରାଜ୍ୟ ସରକାର ଯଥେଷ୍ଟ ପଦକ୍ଷେପ ନେଉନଥିବା ମଧ୍ୟ ବକ୍ସିପାତ୍ର ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ଖଣି କ୍ଷେତ୍ରରୁ ରାଜ୍ୟ ପାଉଥିବା ବାର୍ଷିକ ରାଜସ୍ୱ ଉପରେ ନୂଆ ଆଇନର ପ୍ରଭାବ ପଡ଼ିବ ବୋଲି ସେ ଦାବି କରିଥିଲେ। ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍କୁ ରାଜ୍ୟସଭାରେ ବିଜେଡି ଦୃଢ଼ ବିରୋଧ କରିଛି ଏବଂ ଆଗାମୀ ଦିନରେ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଦଳ ରାଜରାସ୍ତାକୁ ଓହ୍ଲାଇବ ବୋଲି ସେ କହିଥିଲେ।
ଏପଟେ କଂଗ୍ରେସ ଭବନରେ ଓପିସିସି ଗଣମାଧ୍ୟମ ବିଭାଗ ପକ୍ଷରୁ ମଧ୍ୟ ଏହି ବିଲ୍କୁ ନେଇ ସାମ୍ବାଦିକ ସମ୍ମିଳନୀ କରାଯାଇଥିଲା। ପୂର୍ବତନ ଅର୍ଥମନ୍ତ୍ରୀ ଡ. ପଞ୍ଚାନନ କାନୁନଗୋ ଓ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଅରବିନ୍ଦ ଦାସ ବିଲ୍କୁ ନେଇ ଦଳର ଆଭିମୁଖ୍ୟ ରଖିଥିଲେ।
ଅରବିନ୍ଦ ଦାସ କହିଥିଲେ ଯେ, ଅଗଷ୍ଟ ୧୨ରେ ଲୋକସଭାରେ ଗୃହୀତ ହୋଇଥିବା ଖଣି ଓ ଖଣିଜଜାତ ପଦାର୍ଥ ବିକାଶ ସଂଶୋଧନ ବିଲ୍ ଓଡ଼ିଶା ସମେତ ଅନ୍ୟ ଖଣିବହୁଳ ରାଜ୍ୟଗୁଡ଼ିକର ସ୍ୱାର୍ଥକୁ ପ୍ରଭାବିତ କରିବ। ଏହି ବିଲ୍ ରାଜ୍ୟର ଆର୍ଥିକ ସ୍ୱାୟତ୍ତତାକୁ ଦୁର୍ବଳ କରିବା ସହ ଓଡ଼ିଶା ବାର୍ଷିକ ହଜାର ହଜାର କୋଟି ଟଙ୍କାର ରାଜସ୍ୱ ହରାଇପାରେ ବୋଲି ସେ ଦାବି କରିଥିଲେ। ରାଜ୍ୟରୁ ନିର୍ବାଚିତ ୨୦ ଜଣ ସାଂସଦ ଏହି ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ପାଇଁ ସ୍ୱର ଉଠାଇନଥିବା ନେଇ ସେ ପ୍ରଶ୍ନ ଉଠାଇଥିଲେ।
ଡ. କାନୁନଗୋ କହିଥିଲେ ଯେ, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଓ ରାଜ୍ୟର କର ଆଦାୟ କ୍ଷମତା ସ୍ପଷ୍ଟ ଭାବେ ନିର୍ଦ୍ଧାରିତ ହୋଇଛି। ଓଡ଼ିଶାର ମୁଖ୍ୟ ରାଜସ୍ୱ ଉତ୍ସ ମଧ୍ୟରୁ ଖଣିଜ ସମ୍ପଦ ଅନ୍ୟତମ ଏବଂ ଏହି ଅର୍ଥ ରାଜ୍ୟର ବିକାଶରେ ବ୍ୟୟ ହୋଇଥାଏ। ନୂଆ ବିଲ୍ ରାଜ୍ୟର ଖଣିଜ ସମ୍ପଦ ଉପରେ କର ଓ ଅନ୍ୟାନ୍ୟ ଆଦାୟ କ୍ଷମତାକୁ ପ୍ରଭାବିତ କରିବ ବୋଲି ସେ ଦାବି କରିଥିଲେ।
ସୁପ୍ରିମକୋର୍ଟଙ୍କ ଖଣିଜ ରାଜସ୍ୱ ସମ୍ପର୍କିତ ରାୟକୁ ଉଲ୍ଲେଖ କରି କାନୁନଗୋ କହିଥିଲେ ଯେ, ରାଜ୍ୟଗୁଡ଼ିକର ଅଧିକାରକୁ ସୁରକ୍ଷିତ ରଖିବା ଆବଶ୍ୟକ। ଓଡ଼ିଶା ନିଜ ଖଣିଜ ସମ୍ପଦରୁ ଅଧିକ ରାଜସ୍ୱ ଆଦାୟ କରିପାରିଥାନ୍ତା, କିନ୍ତୁ ନୀତିଗତ ନିଷ୍ପତ୍ତି ଓ ରାଜସ୍ୱ ଆଦାୟରେ ଅବହେଳା ଯୋଗୁଁ ରାଜ୍ୟ ବିପୁଳ ଅର୍ଥ ହରାଇଛି ବୋଲି ସେ ଅଭିଯୋଗ କରିଥିଲେ। କୋଇଲା ରପ୍ତାନି ସହ ଜଡ଼ିତ ରାଜସ୍ୱ ମଧ୍ୟ ଓଡ଼ିଶା ପାଇଁ ଏକ ବଡ଼ ଆୟ ଉତ୍ସ ହୋଇପାରିଥାନ୍ତା ବୋଲି ସେ କହିଥିଲେ।
ଅନ୍ୟପକ୍ଷରେ ବିଜେଡି ବିଧାୟକ ରାଜା ସ୍ୱାଇଁ ମଧ୍ୟ ବିଲ୍କୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ଖଣିଜ ସମୃଦ୍ଧ ଓଡ଼ିଶାର ସାମ୍ବିଧାନିକ ଅଧିକାର ଓ ରାଜସ୍ୱ ଆଦାୟ କ୍ଷମତାକୁ ବିଲ୍ ମାଧ୍ୟମରେ କ୍ଷୁଣ୍ଣ କରିବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଥିଲେ। ବିଲ୍ କାର୍ଯ୍ୟକାରୀ ହେଲେ ରାଜ୍ୟ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର ସମ୍ଭାବ୍ୟ ରାଜସ୍ୱ ହରାଇପାରେ ଏବଂ ଏହାର ପ୍ରଭାବ ବିକାଶମୂଳକ ଓ କଲ୍ୟାଣକାରୀ କାର୍ଯ୍ୟକ୍ରମ ଉପରେ ପଡ଼ିବ ବୋଲି ସେ କହିଥିଲେ।
ଓଡ଼ିଶାର ୨୦ ଜଣ ବିଜେପି ସାଂସଦ ବିଲ୍କୁ ବିରୋଧ କରିନଥିବା ଅଭିଯୋଗ କରି ସ୍ୱାଇଁ ପ୍ରଶ୍ନ କରିଥିଲେ, ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ସେମାନେ ସଂସଦରେ କାହିଁକି ସ୍ୱର ଉଠାଇଲେ ନାହିଁ? ଡବଲ୍ ଇଞ୍ଜିନ୍ ସରକାର ଶିଳ୍ପପତିଙ୍କ ସ୍ୱାର୍ଥରେ କାମ କରୁଥିବା ମଧ୍ୟ ସେ ଅଭିଯୋଗ କରିଥିଲେ।
ଖଣିଜ ସମ୍ପଦ ଓ ରାଜସ୍ୱ ଅଧିକାରକୁ ନେଇ ଏକାସାଙ୍ଗରେ ବିଜେଡି ଓ କଂଗ୍ରେସର ଏଭଳି ଆକ୍ରମଣାତ୍ମକ ଆଭିମୁଖ୍ୟ ଆଗାମୀ ଦିନରେ ପ୍ରସଙ୍ଗଟିକୁ ଓଡ଼ିଶାର ରାଜନୀତିର ଏକ ପ୍ରମୁଖ ବିଷୟ କରିବାର ସଙ୍କେତ ଦେଇଛି। ରାଜ୍ୟର ଖଣିଜ ସମ୍ପଦରୁ ମିଳୁଥିବା ରାଜସ୍ୱ, ରାଜ୍ୟର ଅଧିକାର ଓ କେନ୍ଦ୍ର-ରାଜ୍ୟ ଆର୍ଥିକ ସମ୍ପର୍କକୁ ନେଇ ଏବେ ରାଜନୈତିକ ବିତର୍କ ତୀବ୍ର ହେବା ସମ୍ଭାବନା ରହିଛି।