ଉଚ୍ଚ ଶିକ୍ଷା ବିଭାଗର ନିଷ୍ପତ୍ତି; ଗୀତା ପାଠ, ଗୀତା ଜ୍ଞାନ ପରୀକ୍ଷା ଦେବେ ଛାତ୍ରଛାତ୍ରୀ

Spread the love

ଜିଲା ସ୍ତରୀୟ ପ୍ରତିଯୋଗିତା ପରେ ଡିସେମ୍ବର ୨୬ରେ ରାଜ୍ୟ ସ୍ତରୀୟ ପ୍ରତିଯୋଗିତା

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭଗବଦ୍‌ଗୀତାର ଜ୍ଞାନ ଓ ଆଧ୍ୟାତ୍ମିକ ଚେତନା ବୃଦ୍ଧି ଲକ୍ଷ୍ୟରେ ରାଜ୍ୟରେ ଆୟୋଜିତ ହେବ ଗୀତା ପାଠ ପ୍ରତିଯୋଗିତା ଓ ଗୀତା ଜ୍ଞାନ ପରୀକ୍ଷା। ପ୍ରଜ୍ଞାନ ମିଶନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ସମସ୍ତ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇପାରିବେ। ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ବିଶ୍ୱବିଦ୍ୟାଳୟ ଓ ସରକାରୀ/ଅନୁଦାନପ୍ରାପ୍ତ କଲେଜକୁ ଅବଗତ କରାଯାଇଛି।

ଭଗବଦ୍‌ଗୀତାର ଷଷ୍ଠ ଅଧ୍ୟାୟ ‘ଆତ୍ମସଂଯମ ଯୋଗ’କୁ ଆଧାର କରି ଗୀତା ପାଠ ପ୍ରତିଯୋଗିତା ହେବ। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ହେବ ଏବଂ ସେଠାରୁ ବିଜେତାମାନେ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ଭାଗ ନେବେ। ତେବେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ତାରିଖ ସମ୍ପର୍କରେ ବିଭାଗୀୟ ପତ୍ରରେ କୌଣସି ସୂଚନା ଦିଆଯାଇନାହିଁ। ଜିଲ୍ଲାସ୍ତରୀୟ ପ୍ରତିଯୋଗିତାର ବିଜେତାଙ୍କୁ ନେଇ ଡିସେମ୍ବର ୨୬ ଓ ୨୭, ୨୦୨୬ରେ ପୁରୀର ବାଲିଘାଇସ୍ଥିତ ହରିହରାନନ୍ଦ ଗୁରୁକୁଳମ୍‌ରେ ରାଜ୍ୟସ୍ତରୀୟ ଗୀତା ପାଠ ପ୍ରତିଯୋଗିତା ଆୟୋଜିତ ହେବ। ରାଜ୍ୟସ୍ତରରେ ପୁରସ୍କୃତ ଛାତ୍ରଛାତ୍ରୀଙ୍କୁ ଏକ ବର୍ଷ ପାଇଁ ସ୍କଲାରସିପ୍‌ ପ୍ରଦାନ କରାଯିବ। ଗୀତା ପାଠ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଛାତ୍ରଛାତ୍ରୀଙ୍କଠାରୁ କୌଣସି ଅଂଶଗ୍ରହଣ ଫି’ ନିଆଯିବ ନାହିଁ।

ଗୀତା ପାଠ ପ୍ରତିଯୋଗିତା ସହିତ ଗୀତା ଜ୍ଞାନ ପରୀକ୍ଷା ମଧ୍ୟ ପୃଥକ୍‌ ଭାବେ ଆୟୋଜନ କରାଯିବ। ଏହି ପରୀକ୍ଷାର ତାରିଖ ଓ ଅନ୍ୟାନ୍ୟ ବିବରଣୀ ପରେ ଆୟୋଜକଙ୍କ ପକ୍ଷରୁ ଜଣାଇ ଦିଆଯିବ। ପରୀକ୍ଷାରେ ଅଂଶ ନେବାକୁ ଇଚ୍ଛା ରଖୁଥିବା ଛାତ୍ରଛାତ୍ରୀଙ୍କୁ ଅନଲାଇନ୍‌ରେ ନିର୍ଦ୍ଧାରିତ ପରୀକ୍ଷା ଫି’ ଦେଇ ପଞ୍ଜୀକରଣ କରିବାକୁ ପଡ଼ିବ।

ଏହି କାର୍ଯ୍ୟକ୍ରମରେ ଆଗ୍ରହୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହ ଅଂଶଗ୍ରହଣ ପାଇଁ ଅନୁମତି ଦେବାକୁ ଉଚ୍ଚଶିକ୍ଷା ବିଭାଗ ଶିକ୍ଷାନୁଷ୍ଠାନଗୁଡ଼ିକୁ କହିଛି। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବ୍ୟାପକ ପ୍ରଚାର ପାଇଁ ଓଡ଼ିଆ ଭାଷାରେ ପ୍ରସ୍ତୁତ ବୁକ୍‌ଲେଟ୍‌ ମଧ୍ୟ ପଠାଯାଇଛି। ଆୟୋଜକଙ୍କ ବୁକ୍‌ଲେଟ୍‌ରେ ପଞ୍ଜୀକରଣ ଓ ପ୍ରତିଯୋଗିତା ସମ୍ପର୍କିତ ଅନ୍ୟାନ୍ୟ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *