ଅମରାବତୀ: ଆନ୍ଧ୍ରପ୍ରଦେଶରେ ଶିକ୍ଷକ ନିଯୁକ୍ତିକୁ ନେଇ ଚାଲିଥିବା ରାଜନୈତିକ ବିବାଦ ଏବେ ପଡ଼ୋଶୀ ଓଡ଼ିଶାକୁ ନେଇ ଚର୍ଚ୍ଚାରେ। ମେଗା ଡିଷ୍ଟ୍ରିକ୍ଟ ସିଲେକ୍ସନ କମିଟି (ଡିଏସ୍ସି)-୨୦୨୫ ନିଯୁକ୍ତିରେ ଅନିୟମିତତା ଓ ପ୍ରଶ୍ନପତ୍ର ଲିକ୍ ଅଭିଯୋଗକୁ ନେଇ ବିରୋଧୀ ଓ୍ୱାଇଏସ୍ଆର୍ କଂଗ୍ରେସ (YSRCP) ରାଜ୍ୟବ୍ୟାପୀ ଆନ୍ଦୋଳନ ଚଳାଇଥିବା ବେଳେ ଏଥିରେ ଓଡ଼ିଶାର କିଛି ଲୋକ ସାମିଲ ହୋଇଥିବା ଦାବି କରିଛନ୍ତି ଶାସକ ତେଲୁଗୁ ଦେଶମ ପାର୍ଟି (TDP) ସାଂସଦ ଲାଭୁ ଶ୍ରୀକୃଷ୍ଣ ଦେବରାୟଲୁ।
ନରସରାଓପେଟ ଲୋକସଭା ସାଂସଦ ଦେବରାୟଲୁ ଗଣମାଧ୍ୟମକୁ ଦେଇଥିବା ମନ୍ତବ୍ୟରେ କହିଛନ୍ତି, ପଡ଼ୋଶୀ ଓଡ଼ିଶାରୁ କିଛି ଲୋକ ଆନ୍ଧ୍ରପ୍ରଦେଶ ଆସି ଓ୍ୱାଇଏସ୍ଆର୍ସିପିର ଡିଏସ୍ସି ସମ୍ପର୍କିତ ଆନ୍ଦୋଳନରେ ଯୋଗ ଦେଇଛନ୍ତି। ସାଂସଦଙ୍କ ଏହି ମନ୍ତବ୍ୟ ପରେ ଏବେ ପ୍ରଶ୍ନ ଉଠିଛି—ଆନ୍ଧ୍ରର ଶିକ୍ଷକ ନିଯୁକ୍ତି ଆନ୍ଦୋଳନରେ ଓଡ଼ିଶାର ଲୋକଙ୍କ ଭୂମିକା କ’ଣ ଏବଂ କାହିଁକି ଏକ ଆନ୍ଧ୍ର ରାଜନୈତିକ ବିବାଦରେ ଓଡ଼ିଶାର ନାଁ ଆସୁଛି?
ଡିଏସ୍ସି-୨୦୨୫ ନିଯୁକ୍ତିକୁ ନେଇ ଆନ୍ଧ୍ରପ୍ରଦେଶରେ ଦୀର୍ଘଦିନ ଧରି ଟିଡିପି ନେତୃତ୍ୱାଧୀନ ମେଣ୍ଟ ସରକାର ଓ ଓ୍ୱାଇଏସ୍ଆର୍ସିପି ମଧ୍ୟରେ ଟଣାଓଟରା ଚାଲିଛି। ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା, ପ୍ରଶ୍ନପତ୍ର ଲିକ୍ ଏବଂ ଯୋଗ୍ୟ ପ୍ରାର୍ଥୀଙ୍କ ସ୍ୱାର୍ଥକୁ ଅଣଦେଖା କରାଯାଇଥିବା ଅଭିଯୋଗ କରି ଓ୍ୱାଇଏସ୍ଆର୍ସିପି ବିଭିନ୍ନ ଜିଲ୍ଲାରେ ବିକ୍ଷୋଭ, ରାଲି ଓ ପର୍ଯ୍ୟାୟକ୍ରମିକ ଅନଶନ କରୁଛି। ଦଳ ପକ୍ଷରୁ ମାମଲାର ସିବିଆଇ ତଦନ୍ତ ସହ ଶିକ୍ଷାମନ୍ତ୍ରୀ ନାରା ଲୋକେଶଙ୍କ ଇସ୍ତଫା ମଧ୍ୟ ଦାବି କରାଯାଉଛି।
ଓ୍ୱାଇଏସ୍ଆର୍ସିପିର ଅଭିଯୋଗକୁ ଟିଡିପି ଖଣ୍ଡନ କରିଆସିଛି। ଡିଏସ୍ସି ପରୀକ୍ଷା ଓ ନିଯୁକ୍ତିକୁ ନେଇ ବିରୋଧୀ ଦଳ ମିଥ୍ୟା ତଥ୍ୟ ଓ ଗୁଜବ ପ୍ରଚାର କରି ପ୍ରାର୍ଥୀଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରୁଥିବା ଟିଡିପି ନେତାମାନେ ଅଭିଯୋଗ କରୁଛନ୍ତି।
ଏହି ରାଜନୈତିକ ବିବାଦ ମଧ୍ୟରେ ଓଡ଼ିଶାର ନାଁ ଆସିବା ଦକ୍ଷିଣ ଓଡ଼ିଶା ପାଇଁ ବିଶେଷ ଭାବେ ଗୁରୁତ୍ୱ ବହନ କରୁଛି। ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳର ଲୋକଙ୍କ ମଧ୍ୟରେ ଦୀର୍ଘଦିନର ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ସମ୍ପର୍କ ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାର ଅନେକ ଲୋକ ଶିକ୍ଷା, ଚାକିରି ଓ ବ୍ୟବସାୟ ପାଇଁ ଆନ୍ଧ୍ରପ୍ରଦେଶର ବିଭିନ୍ନ ଅଞ୍ଚଳ ସହ ଜଡ଼ିତ।
ତେବେ ଟିଡିପି ସାଂସଦଙ୍କ ଦାବିର ସବୁଠାରୁ ବଡ଼ ପ୍ରଶ୍ନ ହେଉଛି— ଆନ୍ଦୋଳନରେ ସାମିଲ ହୋଇଥିବା କଥିତ ଓଡ଼ିଶାବାସୀ କିଏ? ସେମାନେ ଡିଏସ୍ସି ପ୍ରାର୍ଥୀ, ଚାକିରି ଆଶାୟୀ ନା ରାଜନୈତିକ କର୍ମୀ ? ସାଂସଦଙ୍କ ମନ୍ତବ୍ୟରେ ଏହା ସ୍ପଷ୍ଟ ହୋଇନାହିଁ। ଏହି ଦାବିର ସମର୍ଥନରେ ମଧ୍ୟ ଏଯାଏ କୌଣସି ସ୍ୱତନ୍ତ୍ର ପ୍ରମାଣ ସାମ୍ନାକୁ ଆସିନାହିଁ।
ମେଗା ଡିଏସ୍ସି-୨୦୨୫ରେ ମୋଟ ୧୬,୩୪୭ ଶିକ୍ଷକ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ହୋଇଥିଲା। ସରକାରୀ ନିୟମରେ ସ୍ଥାନୀୟ ପ୍ରାର୍ଥୀଙ୍କ ସଂରକ୍ଷଣ ସମ୍ପର୍କିତ ବ୍ୟବସ୍ଥା ଲାଗୁ ହୋଇଛି ଏବଂ ଡିଏସ୍ସି ନିଯୁକ୍ତିରେ ଆନ୍ଧ୍ରପ୍ରଦେଶ ପବ୍ଲିକ୍ ଏମ୍ପ୍ଲୟମେଣ୍ଟ (ଅର୍ଗାନାଇଜେସନ୍ ଅଫ୍ ଲୋକାଲ କ୍ୟାଡର୍ସ ଆଣ୍ଡ ରେଗୁଲେସନ୍ ଅଫ୍ ଡାଇରେକ୍ଟ ରିକ୍ରୁଟମେଣ୍ଟ) ଅର୍ଡର, ୧୯୭୫ ଅନୁସାରେ ସ୍ଥାନୀୟ ପ୍ରାର୍ଥୀଙ୍କ ନିୟମ ଅନୁସରଣ କରାଯାଇଛି। ଏପରିକି ସାର୍ଟିଫିକେଟ୍ ଯାଞ୍ଚ ସମୟରେ ପ୍ରାର୍ଥୀଙ୍କୁ ନିଜର ସାତ ବର୍ଷର ଅଧ୍ୟୟନ ପ୍ରମାଣପତ୍ର କିମ୍ବା ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆବାସ ପ୍ରମାଣପତ୍ର ଦେବାକୁ କୁହାଯାଇଛି। ଅର୍ଥାତ୍, ଓଡ଼ିଶାର ଜଣେ ସାଧାରଣ ପ୍ରାର୍ଥୀଙ୍କ ପାଇଁ ଆନ୍ଧ୍ରର ଜିଲ୍ଲା କ୍ୟାଡରର ସ୍ଥାନୀୟ କୋଟାରେ ପ୍ରବେଶ କରିବା ସରଳ ନୁହେଁ। ତେଣୁ ଆନ୍ଦୋଳନରେ ଓଡ଼ିଆଙ୍କ ସାମିଲ ନେଇ ସାଂସଦ ଯେଉଁ ଦାବି କରୁଛନ୍ତି, ତାହା କେବଳ ରାଜନୈତିକ ବୟାନ ବୋଲି କୁହାଯାଉଛି।
ଏଠାରେ ଦୁଇଟି ସମ୍ଭାବନାକୁ ଅଲଗା କରି ଦେଖିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ପ୍ରଥମତଃ, ଓଡ଼ିଶାର କିଛି ବ୍ୟକ୍ତି ଆନ୍ଧ୍ରରେ ରହି ଆନ୍ଦୋଳନରେ ଯୋଗ ଦେଇଥାଇପାରନ୍ତି।କାରଣ ବିଗତ ଦିନର ଆନ୍ଦୋଳନରେ କେତକ ଦାଦନ ଶ୍ରମିକ ଭାଗନେଇଥିବା ଦେଖିବାକୁ ମିଳିଥିଲା। ଦ୍ୱିତୀୟତଃ, ଏହି ଉପସ୍ଥିତିକୁ ଆଧାର କରି ସମଗ୍ର ଆନ୍ଦୋଳନକୁ ବାହାର ରାଜ୍ୟର ଲୋକଙ୍କ ଦ୍ୱାରା ପ୍ରଭାବିତ ବୋଲି ଚିତ୍ରଣ ପାଇଁ ଉଦ୍ୟମ ହେଉଛି।
ଆନ୍ଧ୍ରପ୍ରଦେଶରେ ଡିଏସ୍ସି ନିଯୁକ୍ତି ପ୍ରସଙ୍ଗ କ୍ରମେ ରାଜନୈତିକ ଲଢ଼େଇର ରୂପ ନେଉଥିବା ବେଳେ ଓଡ଼ିଶାର ନାଁ ଉଠାଇ ଟିଡିପି ସାଂସଦଙ୍କ ଏହି ମନ୍ତବ୍ୟ ନୂଆ ବିତର୍କ ସୃଷ୍ଟି କରିଛି।