ନୂଆଦିଲ୍ଲୀ: ଓଡ଼ିଶାରେ ବିରଳ ମୃତ୍ତିକା ମୌଳିକ ଉପାଦାନ (Rare Earth Elements)ର ଅନୁସନ୍ଧାନକୁ ଆହୁରି ବ୍ୟାପକ କରିବ କେନ୍ଦ୍ର ସରକାର। ୨୦୨୬-୨୭ କେନ୍ଦ୍ରୀୟ ବଜେଟ୍ରେ ଘୋଷିତ ‘ରେୟାର ଆର୍ଥ କରିଡର’ ଅଧୀନରେ ଓଡ଼ିଶାରେ ଏହି ଅନୁସନ୍ଧାନକୁ ବିସ୍ତାର କରାଯିବ ବୋଲି କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ଜିତେନ୍ଦ୍ର ସିଂହ କହିଛନ୍ତି।
ମଙ୍ଗଳବାର ଓଡ଼ିଶାର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ସହ ଜିତେନ୍ଦ୍ର ସିଂହଙ୍କ ଆଲୋଚନାରେ ବିରଳ ମୃତ୍ତିକା ସମ୍ପଦ ସହ ସାମୁଦ୍ରିକ ବିଜ୍ଞାନ, ବାୟୋଟେକ୍ନୋଲୋଜି ଓ ମହାକାଶ ଗବେଷଣା ନେଇ ଏକ ବ୍ୟାପକ ରୋଡ୍ମ୍ୟାପ୍ ଉପରେ ଆଲୋଚନା ହୋଇଛି।
ଓଡ଼ିଶାରେ ଥିବା ବିରଳ ମୃତ୍ତିକା ସମ୍ପଦର ଚିହ୍ନଟ, ଅନୁସନ୍ଧାନ ଓ ବ୍ୟବହାର ଉପରେ କେନ୍ଦ୍ର ଗୁରୁତ୍ୱ ଦେଉଛି। ବିରଳ ମୃତ୍ତିକା ଉପାଦାନ ଇଲେକ୍ଟ୍ରୋନିକ୍ସ, ଉନ୍ନତ ପ୍ରଯୁକ୍ତି, ପ୍ରତିରକ୍ଷା ଉପକରଣ ଓ ସ୍ୱଚ୍ଛ ଶକ୍ତି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଓଡ଼ିଶାର ସମ୍ପଦ ରାଜ୍ୟ ପାଇଁ ନୂଆ ସୁଯୋଗ ସୃଷ୍ଟି କରିପାରେ।
ଏହି ଅବସରରେ ଭୁବନେଶ୍ୱରସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଲାଇଫ୍ ସାଇନ୍ସେସ୍ (ILS)ର ସମ୍ପ୍ରସାରଣ ନେଇ ମଧ୍ୟ ଆଲୋଚନା ହୋଇଛି। ଅନୁଷ୍ଠାନକୁ ପୂର୍ବରୁ ଥିବା ୮ ଏକର ଜମି ସହ ଆଉ ୫୦ ଏକର ଜମି ଯୋଡ଼ାଯାଇଛି। ଏହା ଫଳରେ ବାୟୋଟେକ୍ନୋଲୋଜି ଓ ଜୀବବିଜ୍ଞାନ କ୍ଷେତ୍ରରେ ଗବେଷଣାର ପରିସର ବଢ଼ିବ।
ଓଡ଼ିଶାର ବିସ୍ତୃତ ସମୁଦ୍ରତଟ ଓ ସାମୁଦ୍ରିକ ସମ୍ପଦକୁ ନେଇ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ‘ଓଡ଼ିଶା ମେରାଇନ୍ ବାୟୋଟେକ୍ନୋଲୋଜି ରିସର୍ଚ୍ଚ ଆଣ୍ଡ ଇନୋଭେସନ୍ କରିଡର’ ଅଧୀନରେ ବିଭିନ୍ନ ଗବେଷଣା ଓ ଶିକ୍ଷାନୁଷ୍ଠାନକୁ ଯୋଡ଼ି ସାମୁଦ୍ରିକ ଗବେଷଣାକୁ ଆଗକୁ ନେବା ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି।
ଅନ୍ୟପକ୍ଷରେ, ଓଡ଼ିଶା ସ୍ପେସ୍ ଆପ୍ଲିକେସନ୍ସ ସେଣ୍ଟର୍ (ORSAC)କୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ISRO) ସହ ଯୋଡ଼ିବା ନେଇ ଓଡ଼ିଶା ପକ୍ଷରୁ କେନ୍ଦ୍ର ନିକଟରେ ପ୍ରସ୍ତାବ ରଖାଯାଇଛି। ଏହା ମାଧ୍ୟମରେ ଉପଗ୍ରହ ତଥ୍ୟ, ପୃଥିବୀ ଅବଲୋକନ ଓ ମହାକାଶ ପ୍ରଯୁକ୍ତିର ଉପଯୋଗକୁ ରାଜ୍ୟର ବିକାଶମୂଳକ କାର୍ଯ୍ୟରେ ଆହୁରି ବ୍ୟାପକ କରିବାର ସୁଯୋଗ ସୃଷ୍ଟି ହୋଇପାରେ।
୧୯୮୪ରେ ପ୍ରତିଷ୍ଠିତ ORSAC କୃଷି, ଖଣିଜ ସମ୍ପଦ, ଜଙ୍ଗଲ, ଭୂ-ବ୍ୟବହାର ଓ ବିପର୍ଯ୍ୟୟ ପରିଚାଳନା ଭଳି କ୍ଷେତ୍ରରେ ରିମୋଟ୍ ସେନ୍ସିଂ ଓ ଭୂ-ସ୍ଥାନିକ ପ୍ରଯୁକ୍ତିର ବ୍ୟବହାର କରୁଛି। ISRO ସହ ଏହାର ସମ୍ପର୍କ ଆହୁରି ମଜବୁତ ହେଲେ ରାଜ୍ୟରେ ମହାକାଶ ପ୍ରଯୁକ୍ତିର ବ୍ୟବହାର ଓ ଗବେଷଣାକୁ ନୂଆ ଗତି ମିଳିପାରେ।
ଏଥିସହ ଓଡ଼ିଶାରେ ସରକାରୀ-ବେସରକାରୀ ଭାଗିଦାରି (PPP) ମାଧ୍ୟମରେ ଏକ ସ୍ପେସ୍ ରିସର୍ଚ୍ଚ ଓ ମାନୁଫାକ୍ଚରିଂ କେନ୍ଦ୍ର ପ୍ରତିଷ୍ଠା ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ବିରଳ ମୃତ୍ତିକା ସମ୍ପଦଠାରୁ ସାମୁଦ୍ରିକ ବିଜ୍ଞାନ, ବାୟୋଟେକ୍ନୋଲୋଜି ଓ ମହାକାଶ ଗବେଷଣା ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର-ରାଜ୍ୟ ସହଯୋଗ ବଢ଼ାଇବା ଉପରେ ଏହି ଆଲୋଚନାରେ ଗୁରୁତ୍ୱ ଦିଆଯାଇଛି।