ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବାଫ୍ଲିମାଳି ବକ୍ସାଇଟ୍ ଖଣି ଦେଶର ପ୍ରଥମ ବକ୍ସାଇଟ୍ ଖଣି ଭାବେ ଆଲୁମିନିୟମ୍ ଷ୍ଟିୱାର୍ଡସିପ୍ ଇନିସିଏଟିଭ୍ (ଏଏସ୍ଆଇ)ର ମାନ୍ୟତା ହାସଲ କରିଛି। ହିନ୍ଦାଲ୍କୋ ଇଣ୍ଡଷ୍ଟ୍ରିଜ୍ର ସହାୟକ ସଂସ୍ଥା ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ୍ ଲିମିଟେଡ୍ (ୟୁଏଆଇଏଲ୍) ପରିଚାଳିତ ଏହି ଖଣିକୁ ଏଏସ୍ଆଇ ପରଫର୍ମାନ୍ସ ଷ୍ଟାଣ୍ଡାର୍ଡ ଭି୩.୧ (୨୦୨୩) ଅନୁଯାୟୀ ପ୍ରମାଣପତ୍ର ମିଳିଛି।
ଏଏସ୍ଆଇ ହେଉଛି ଆଲୁମିନିୟମ୍ ଶିଳ୍ପ ପାଇଁ ଏକ ଅନ୍ତର୍ଜାତୀୟ ସ୍ଥାୟୀତ୍ୱ ମାନଦଣ୍ଡ ନିର୍ଦ୍ଧାରଣକାରୀ ସଂସ୍ଥା। ପରିବେଶ ସୁରକ୍ଷା, ଜୈବବିବିଧତାର ସଂରକ୍ଷଣ, ଶ୍ରମିକଙ୍କ ସ୍ୱାସ୍ଥ୍ୟ ଓ ନିରାପତ୍ତା, ମାନବାଧିକାର, ସ୍ଥାନୀୟ ଲୋକଙ୍କ ସହ ସମ୍ପର୍କ ଏବଂ ଦାୟିତ୍ୱଶୀଳ ଖଣି ପରିଚାଳନା ଭଳି ବିଭିନ୍ନ ମାନଦଣ୍ଡ ଆଧାରରେ ଏହି ମାନ୍ୟତା ଦିଆଯାଏ।
ବାଫ୍ଲିମାଳି ଖଣିର ଯୋଜନା, ବକ୍ସାଇଟ୍ ଉତ୍ତୋଳନ, ଖଣି ଅଞ୍ଚଳରେ ଏହାର ପ୍ରାଥମିକ ପ୍ରକ୍ରିୟାକରଣ ଏବଂ କନ୍ଭେୟର ମାଧ୍ୟମରେ ପରିବହନ ପ୍ରକ୍ରିୟାକୁ ଏହି ମାନ୍ୟତା ଅଧୀନରେ ଅନ୍ତର୍ଭୁକ୍ତ କରାଯାଇଛି। ଖଣିର ବାର୍ଷିକ ଉତ୍ପାଦନ କ୍ଷମତା ପ୍ରାୟ ୮୫ ଲକ୍ଷ ଟନ୍। ଏଠାରୁ ଉତ୍ତୋଳିତ ବକ୍ସାଇଟ୍ ଉତ୍କଳ ଆଲୁମିନାର ରିଫାଇନେରିକୁ ଯୋଗାଣ ହୋଇଥାଏ।
କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବାଫ୍ଲିମାଳି ଖଣିକୁ ଏଏସ୍ଆଇ ମାନ୍ୟତା ମିଳିବା ଦ୍ୱାରା ଦାୟିତ୍ୱଶୀଳ ଖଣି ପରିଚାଳନା ଓ ପରିବେଶ ସୁରକ୍ଷା ପ୍ରତି ହିନ୍ଦାଲ୍କୋର ପ୍ରତିବଦ୍ଧତା ଆହୁରି ସୁଦୃଢ଼ ହୋଇଛି। ଖଣିରୁ ଆରମ୍ଭ କରି ଆଲୁମିନିୟମ୍ ଉତ୍ପାଦନ ପର୍ଯ୍ୟନ୍ତ ସମଗ୍ର ଉତ୍ପାଦନ ପ୍ରକ୍ରିୟାରେ ଉଚ୍ଚମାନର ପରିବେଶ ଓ ସାମାଜିକ ମାନଦଣ୍ଡ ପାଳନ ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା ବୋଲି କମ୍ପାନୀ ଦର୍ଶାଇଛି।
ବାଫ୍ଲିମାଳିକୁ ମିଳିଥିବା ମାନ୍ୟତା ପରେ ହିନ୍ଦାଲ୍କୋର ଏଏସ୍ଆଇ ମାନ୍ୟତାପ୍ରାପ୍ତ କାର୍ଯ୍ୟକ୍ଷେତ୍ର ସଂଖ୍ୟା ୧୧ରେ ପହଞ୍ଚିଛି। ଆଲୁମିନିୟମ୍ ଶିଳ୍ପର ବିଭିନ୍ନ ପର୍ଯ୍ୟାୟରେ ସ୍ଥାୟୀ ଓ ଦାୟିତ୍ୱଶୀଳ ପ୍ରକ୍ରିୟା ଆପଣାଇବା ଦିଗରେ କମ୍ପାନୀ ଏହାକୁ ଆଉ ଏକ ମାଇଲଖୁଣ୍ଟ ବୋଲି ବିବେଚନା କରିଛି।
୨୦୨୬ ଜାନୁଆରୀରେ ବାଫ୍ଲିମାଳି ଖଣିର ପ୍ରଥମ ଏଏସ୍ଆଇ ମାନ୍ୟତା ଅଡିଟ୍ କରାଯାଇଥିଲା। ଏହାପରେ ଏଏସ୍ଆଇର ପରଫର୍ମାନ୍ସ ଷ୍ଟାଣ୍ଡାର୍ଡ ଅନୁଯାୟୀ ଖଣିଟି ଏହି ପ୍ରମାଣପତ୍ର ହାସଲ କରିଛି। ଦେଶର ବକ୍ସାଇଟ୍ ଖଣି କ୍ଷେତ୍ରରେ ଏହା ପ୍ରଥମ ଏଭଳି ଅନ୍ତର୍ଜାତୀୟ ମାନ୍ୟତା ବୋଲି କୁହାଯାଉଛି।