ଓଡ଼ିଶା ସମେତ ୪ ରାଜ୍ୟରେ ହେବ ଅତ୍ୟାବଶ୍ୟକ ଖଣିଜ ପ୍ରକ୍ରିୟାକରଣ ପାର୍କ

ନୂଆଦିଲ୍ଲୀ: ଦେଶରେ ଅତ୍ୟାବଶ୍ୟକ ଖଣିଜର ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗ ବଢ଼ାଇବା ଲକ୍ଷ୍ୟରେ ଓଡ଼ିଶା ସମେତ ୪ଟି ରାଜ୍ୟରେ ସ୍ୱତନ୍ତ୍ର ପ୍ରକ୍ରିୟାକରଣ ପାର୍କ ପ୍ରତିଷ୍ଠା କରିବ କେନ୍ଦ୍ର ସରକାର। ଓଡ଼ିଶା ବ୍ୟତୀତ ଗୁଜରାଟ, ମହାରାଷ୍ଟ୍ର ଓ ଆନ୍ଧ୍ରପ୍ରଦେଶରେ ଏହି ପାର୍କ ପ୍ରତିଷ୍ଠା କରାଯିବ। ପ୍ରଥମ ପର୍ଯ୍ୟାୟରେ ବ୍ୟାଟେରି ଶିଳ୍ପ ପାଇଁ ଅତ୍ୟନ୍ତ ଜରୁରୀ ଲିଥିୟମ୍‌ ଓ ନିକେଲ୍‌ର ପ୍ରକ୍ରିୟାକରଣ ଉପରେ ଗୁରୁତ୍ୱ ଦିଆଯିବ ବୋଲି ଖଣି ସଚିବ କେଶବ ଚନ୍ଦ୍ର କହିଛନ୍ତି।

ପ୍ରସ୍ତାବିତ ପାର୍କଗୁଡ଼ିକରେ ନିର୍ଦ୍ଦିଷ୍ଟ ଖଣିଜକୁ କେନ୍ଦ୍ର କରି ସମ୍ପୂର୍ଣ୍ଣ ଶିଳ୍ପ ବ୍ୟବସ୍ଥା ଗଢ଼ାଯିବ। ଖଣିଜ ପ୍ରକ୍ରିୟାକରଣଠାରୁ ଆରମ୍ଭ କରି ଏହାକୁ ଆଧାର କରି ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଥିବା ପରବର୍ତ୍ତୀ ଶିଳ୍ପ ପର୍ଯ୍ୟନ୍ତ ସମସ୍ତ ବ୍ୟବସ୍ଥା ଗୋଟିଏ ସ୍ଥାନରେ ରହିବ। ଏହା ଫଳରେ ଦେଶ ମଧ୍ୟରେ ଖଣିଜର ଅଧିକ ମୂଲ୍ୟଯୋଗ ସମ୍ଭବ ହେବା ସହ ଆମଦାନୀ ନିର୍ଭରତା ହ୍ରାସ ପାଇବ।

ବ୍ୟାଟେରି ଶିଳ୍ପରେ ଲିଥିୟମ୍‌ ଓ ନିକେଲ୍‌ର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏହି ଦୁଇ ଖଣିଜର ପ୍ରକ୍ରିୟାକରଣ କ୍ଷମତା ଶୀଘ୍ର ବିକଶିତ କରିବାକୁ କେନ୍ଦ୍ର ଗୁରୁତ୍ୱ ଦେଉଛି। ଇଲେକ୍ଟ୍ରିକ୍‌ ଯାନ, ଶକ୍ତି ସଂରକ୍ଷଣ ବ୍ୟବସ୍ଥା ଓ ଅନ୍ୟାନ୍ୟ ଆଧୁନିକ ପ୍ରଯୁକ୍ତିରେ ବ୍ୟାଟେରିର ଚାହିଦା ବଢ଼ୁଥିବାରୁ ଲିଥିୟମ୍‌ ଓ ନିକେଲ୍‌ର ନିରବଚ୍ଛିନ୍ନ ଯୋଗାଣକୁ ସରକାର ଗୁରୁତ୍ୱ ଦେଉଛନ୍ତି।

ପାର୍କଗୁଡ଼ିକର ଯୋଜନା ଓ କାର୍ଯ୍ୟାନ୍ୱୟନରେ ରାଜ୍ୟ ସରକାରଙ୍କ ପ୍ରମୁଖ ଭୂମିକା ରହିବ। କେନ୍ଦ୍ର ସରକାର ଏଥିପାଇଁ ବୈଷୟିକ ସହାୟତା ଯୋଗାଇବ। ସମସ୍ତ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀଙ୍କୁ ଏନେଇ ସହଯୋଗ ପାଇଁ କେନ୍ଦ୍ର ପକ୍ଷରୁ ଚିଠି ଲେଖାଯାଇଥିବା କୋଇଲା ଓ ଖଣି ମନ୍ତ୍ରୀ ଜି. କିଶନ ରେଡ୍ଡୀ କହିଛନ୍ତି।

ଏହି ପଦକ୍ଷେପ ଜାତୀୟ ଅତ୍ୟାବଶ୍ୟକ ଖଣିଜ ମିଶନ୍‌ର ଅଂଶ। ଦେଶରେ ଅତ୍ୟାବଶ୍ୟକ ଖଣିଜର ଅନୁସନ୍ଧାନ, ଖଣି ଖନନ, ପ୍ରକ୍ରିୟାକରଣ, ପୁନଃଚକ୍ରଣ ଓ ଶିଳ୍ପ ଉତ୍ପାଦନକୁ ସୁଦୃଢ଼ କରି ଆତ୍ମନିର୍ଭରତା ହାସଲ କରିବା ଏହାର ମୁଖ୍ୟ ଲକ୍ଷ୍ୟ। ଏହି ମିଶନ୍‌ ପାଇଁ ୭ ବର୍ଷରେ ମୋଟ ୩୪,୩୦୦ କୋଟି ଟଙ୍କାର ବ୍ୟୟ ଯୋଜନା ରହିଛି। ଏଥିରେ କେନ୍ଦ୍ର ସରକାର ୧୬,୩୦୦ କୋଟି ଟଙ୍କା ଦେବାକୁ ଥିବାବେଳେ ସରକାରୀ କମ୍ପାନୀଗୁଡ଼ିକ ୧୮,୦୦୦ କୋଟି ଟଙ୍କା ଯୋଗାଇବେ।

ଲିଥିୟମ୍‌, ନିକେଲ୍‌, କୋବାଲ୍ଟ, ଗ୍ରାଫାଇଟ୍‌, ତମ୍ବା ଓ ବିରଳ ମୃତ୍ତିକା ଖଣିଜ ଭଳି ଅତ୍ୟାବଶ୍ୟକ ଖଣିଜ ଆଧୁନିକ ଶିଳ୍ପ ପାଇଁ ଅତ୍ୟନ୍ତ ଦରକାରୀ। ଇଲେକ୍ଟ୍ରିକ୍‌ ଯାନ, ବ୍ୟାଟେରି, ନବୀକରଣଯୋଗ୍ୟ ଶକ୍ତି, ବିଦ୍ୟୁତ୍‌ ନେଟ୍‌ୱର୍କ ଓ ଉଚ୍ଚ ପ୍ରଯୁକ୍ତିଭିତ୍ତିକ ଶିଳ୍ପରେ ଏଗୁଡ଼ିକର ବ୍ୟବହାର ରହିଛି। ତେଣୁ ଓଡ଼ିଶାରେ ଏଭଳି ପ୍ରକ୍ରିୟାକରଣ ପାର୍କ ପ୍ରତିଷ୍ଠା ହେଲେ ରାଜ୍ୟର ଖଣିଜ ସମ୍ପଦକୁ ଆଧାର କରି ନୂଆ ଶିଳ୍ପ ଓ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଅଧିକ ମୂଲ୍ୟଯୋଗ ହେବାର ସୁଯୋଗ ସୃଷ୍ଟି ହୋଇପାରେ।

Share

Leave a Reply

Your email address will not be published. Required fields are marked *