ଅଗଷ୍ଟ ୧୮ ସୁଦ୍ଧା ଯାଞ୍ଚ ଶେଷ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
ଭୁବନେଶ୍ୱର: ମଧୁବାବୁ ପେନ୍ସନ୍ ଯୋଜନାରେ ସାମାଜିକ ସୁରକ୍ଷା ପେନ୍ସନ୍ ପାଇଁ ଆବେଦନ କରିଥିବା ୬୩,୮୪୮ ଜଣଙ୍କ ଆବେଦନ ଏବେ ବି ଯାଞ୍ଚ ଅପେକ୍ଷାରେ ରହିଛି। ଅଗଷ୍ଟ ୧୨ ତାରିଖ ସୁଦ୍ଧା ଏହି ଆବେଦନଗୁଡ଼ିକ ଯାଞ୍ଚ ହୋଇନଥିବା ଜଣାପଡ଼ିବା ପରେ ରାଜ୍ୟ ସରକାର ଏନେଇ ତତ୍ପର ହୋଇଛନ୍ତି। ଆସନ୍ତା ଅଗଷ୍ଟ ୧୮ ସୁଦ୍ଧା ସମସ୍ତ ବକେୟା ଆବେଦନର ଯାଞ୍ଚ ଶେଷ କରିବାକୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗର ପ୍ରମୁଖ ସଚିବ ସୁରେଶ କୁମାର ବଶିଷ୍ଠ ଏନେଇ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ସରକାରଙ୍କ ଉଦ୍ଦେଶ୍ୟ ଯୋଗ୍ୟ ହିତାଧିକାରୀ ଯେପରି ସାମାଜିକ ସୁରକ୍ଷା ପେନ୍ସନ୍ରୁ ବଞ୍ଚିତ ନ ହୁଅନ୍ତି, ତାହା ସୁନିଶ୍ଚିତ କରିବା। ବର୍ତ୍ତମାନ ମଧୁବାବୁ ପେନ୍ସନ୍ ଯୋଜନାରେ ୩୬ ଲକ୍ଷ ୭୫ ହଜାର ୮ ଜଣ ହିତାଧିକାରୀ ସାମିଲ ଅଛନ୍ତି।
ବିଭାଗର ନିୟମିତ ସମୀକ୍ଷା ସମୟରେ ବହୁ ସଂଖ୍ୟକ ଅନ୍ଲାଇନ୍ ଆବେଦନ ଯାଞ୍ଚ ଅପେକ୍ଷାରେ ପଡ଼ିରହିଥିବା ଜଣାପଡ଼ିଛି। ବିଶେଷକରି ବ୍ଲକ୍ରେ ବିଏସ୍ଏସ୍ଓ ୟୁଜର ଆଇଡି ଏବଂ ପୌରାଞ୍ଚଳରେ ଏମ୍ଇଓ ୟୁଜର ଆଇଡି ସ୍ତରରେ ଅନେକ ଆବେଦନ ଅଟକି ରହିଛି। ଏହି ଆବେଦନଗୁଡ଼ିକର ଶୀଘ୍ର ଯାଞ୍ଚ ହେଲେ ଅଯୋଗ୍ୟ ଆବେଦନକାରୀଙ୍କୁ ଚିହ୍ନଟ କରି ପେନ୍ସନ୍ ତଥ୍ୟଭଣ୍ଡାରକୁ ଅଧିକ ସଠିକ୍ କରାଯାଇପାରିବ ବୋଲି ବିଭାଗ ଦର୍ଶାଇଛି।
ବିଭାଗ ପ୍ରକାଶ କରିଥିବା ଜିଲ୍ଲାୱାରୀ ତଥ୍ୟ ଅନୁଯାୟୀ, ଯାଞ୍ଚ ଅପେକ୍ଷାରେ ସର୍ବାଧିକ ଆବେଦନ କଟକ ଜିଲ୍ଲାରେ ୮,୦୦୪ଟି ରହିଛି। ଏହା ପରେ ବାଲେଶ୍ୱରରେ ୭,୧୯୦, ମୟୂରଭଞ୍ଜରେ ୬,୯୪୫, ନୟାଗଡ଼ରେ ୪,୫୩୧ ଓ ଯାଜପୁରରେ ୩,୪୪୦ଟି ଆବେଦନ ଯାଞ୍ଚ ଅପେକ୍ଷାରେ ରହିଛି। ଅନ୍ୟପକ୍ଷରେ ଦେବଗଡ଼ରେ ସର୍ବନିମ୍ନ ୨୩୩ଟି ଏବଂ ନୂଆପଡ଼ାରେ ୩୦୯ଟି ଆବେଦନ ବକେୟା ରହିଛି।
ସମଗ୍ର ରାଜ୍ୟରେ ଯାଞ୍ଚ ପାଇଁ ଆସିଥିବା ୫ ଲକ୍ଷ ୩୦ ହଜାର ୬୬୦ଟି ଆବେଦନ ମଧ୍ୟରୁ ୪ ଲକ୍ଷ ୬୬ ହଜାର ୮୧୨ଟି ଆବେଦନ ଯାଞ୍ଚ ହୋଇସାରିଛି। ଅର୍ଥାତ୍ ପ୍ରାୟ ୮୮ ପ୍ରତିଶତ ଆବେଦନ ଯାଞ୍ଚ ହୋଇଥିବା ବେଳେ ୧୨ ପ୍ରତିଶତ ଅର୍ଥାତ୍ ୬୩,୮୪୮ଟି ଆବେଦନ ଏବେ ବି ବକେୟା ରହିଛି।
ତେଣୁ ଏହି ଆବେଦନଗୁଡ଼ିକର ଯାଞ୍ଚକୁ ‘ମିଶନ୍ ମୋଡ୍’ରେ ନେଇ ଧାର୍ଯ୍ୟ ସମୟସୀମା ମଧ୍ୟରେ ଶେଷ କରିବାକୁ ବିଭାଗ ପକ୍ଷରୁ କୁହାଯାଇଛି। ଏହାସହ ରାଜସ୍ୱ ଡିଭିଜନାଲ କମିଶନର ଏବଂ ସମସ୍ତ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀଙ୍କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ପାଇଁ ପତ୍ରର ନକଲ ପଠାଯାଇଛି।