ଭୁବନେଶ୍ୱର: ସ୍କୁଲ୍ରେ ଶିକ୍ଷକ ଅଭାବ ରହିଛି, ଖାଲି ପଦବି ପୂରଣ ହେଉନାହିଁ। ଏଭଳି ସ୍ଥିତିରେ ନୂଆ ନିଯୁକ୍ତି ଦେଇ ଯୁବପିଢ଼ିକୁ ସୁଯୋଗ ଦେବା ବଦଳରେ ପୁଣି ଅବସରପ୍ରାପ୍ତ ଶିକ୍ଷକଙ୍କ ଉପରେ ଭରସା କରିଛନ୍ତି ରାଜ୍ୟ ସରକାର। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ୫,୭୪୦ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିୟୋଜନ କରିବାକୁ ସ୍କୁଲ୍ ଓ ଗଣଶିକ୍ଷା ବିଭାଗ ଅନୁମୋଦନ ଦେଇଛି। ସରକାରଙ୍କ ଏହି ନିଷ୍ପତ୍ତି ଶିକ୍ଷକ ନିଯୁକ୍ତି ନୀତି ଓ ବେକାର ଯୁବକ-ଯୁବତୀଙ୍କ ପାଇଁ ସୁଯୋଗକୁ ନେଇ ପ୍ରଶ୍ନ ଉଠାଇଛି। ବିଭାଗର ଅଗଷ୍ଟ ୧୪ ତାରିଖର ଚିଠି ଅନୁଯାୟୀ, ସରକାରୀ, ସମ୍ପୂର୍ଣ୍ଣ ଅନୁଦାନପ୍ରାପ୍ତ ଓ ବ୍ଲକ୍ ଗ୍ରାଣ୍ଟ ହାଇସ୍କୁଲ୍ ସମେତ ସଂସ୍କୃତ ଟୋଲ୍ଗୁଡ଼ିକରେ ଖାଲି ଥିବା ଶିକ୍ଷକ ପଦବି ଅନୁଯାୟୀ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିୟୋଜନ କରାଯିବ। ଏହି ନିୟୋଜନ ନିୟମିତ ନୁହେଁ। ନିୟମିତ ଶିକ୍ଷକ ଯୋଗଦେଲେ କିମ୍ବା ୨୦୨୬-୨୭ ଶିକ୍ଷାବର୍ଷ ଶେଷ ହେଲେ, ଯାହା ପ୍ରଥମେ ଘଟିବ, ସେହି ସମୟରେ ଅତିଥି ଶିକ୍ଷକଙ୍କ ନିୟୋଜନ ଶେଷ ହେବ।
ଖାଲି ପଦବି ଆଧାରରେ ହେବ ନିୟୋଜନ
ବିଭାଗର ନିର୍ଦ୍ଦେଶ ଅନୁଯାୟୀ, ରାଜ୍ୟର ସମସ୍ତ ସ୍କୁଲ୍ରେ ମନଇଚ୍ଛା ଅତିଥି ଶିକ୍ଷକ ନିୟୋଜନ କରାଯିବ ନାହିଁ। ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷାଙ୍କ ଦ୍ୱାରା ରିପୋର୍ଟ ହୋଇଥିବା ଶିକ୍ଷକ ଖାଲି ପଦବି ଅନୁଯାୟୀ ଅତିଥି ଶିକ୍ଷକ ନିୟୋଜନ କରାଯିବ। ଜିଲ୍ଲା ଶିକ୍ଷା ଅଧିକାରୀମାନେ ସମ୍ପୃକ୍ତ ଅଞ୍ଚଳରେ ରିପୋର୍ଟ ହୋଇଥିବା ଖାଲି ପଦବି ମଧ୍ୟରେ ରହି ନିୟୋଜନ ପ୍ରକ୍ରିୟା ସମ୍ପନ୍ନ କରିବେ।
ନିୟୋଜନ ପୂର୍ବରୁ ଖାଲି ପଦବି ସମ୍ପର୍କିତ ସ୍ଥିତି ଯାଞ୍ଚ କରାଯିବ। ଏହାପରେ ଆବଶ୍ୟକତା ଅନୁଯାୟୀ ଅତିଥି ଶିକ୍ଷକ ନିୟୋଜନ ହେବେ। ଏହି ପ୍ରକ୍ରିୟାରେ ଜିଲ୍ଲାସ୍ତରରେ ଜିଲ୍ଲାପାଳଙ୍କ ଅନୁମୋଦନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିବ।
ନିୟମିତ ଶିକ୍ଷକ ଆସିଲେ ଶେଷ ହେବ ନିଯୁକ୍ତି
ଅତିଥି ଶିକ୍ଷକଙ୍କ ନିୟୋଜନ ସ୍ଥାୟୀ ନୁହେଁ। କୌଣସି ସ୍କୁଲ୍ରେ ନିୟମିତ ଶିକ୍ଷକ ନିଯୁକ୍ତ ହୋଇ ଯୋଗଦେଲେ, ସେହି ସ୍କୁଲ୍ରେ ଅତିଥି ଶିକ୍ଷକଙ୍କ ନିୟୋଜନ ସ୍ୱତଃ ଶେଷ ହୋଇଯିବ। ଏହାଛଡ଼ା ୨୦୨୬-୨୭ ଶିକ୍ଷାବର୍ଷ ଶେଷ ହେବା ସହ ଅତିଥି ଶିକ୍ଷକଙ୍କ ନିୟୋଜନ ମଧ୍ୟ ସମାପ୍ତ ହେବ। ଅର୍ଥାତ୍ ନିୟମିତ ଶିକ୍ଷକ ଯୋଗଦେବା କିମ୍ବା ଶିକ୍ଷାବର୍ଷ ଶେଷ ହେବା—ଏହି ଦୁଇଟି ମଧ୍ୟରୁ ଯାହା ପ୍ରଥମେ ଘଟିବ, ସେହି ସମୟରେ ଅତିଥି ଶିକ୍ଷକଙ୍କ ନିୟୋଜନ ସମାପ୍ତ ହେବ।
ଟିଜିଟି ଯୋଗଦେଲେ ଅନ୍ୟ ସ୍କୁଲ୍ରେ ସୁଯୋଗ
ସ୍କୁଲ୍ଗୁଡ଼ିକରେ ନୂଆ ନିଯୁକ୍ତ ଟିଜିଟି (ଟ୍ରେଣ୍ଡ୍ ଗ୍ରାଜୁଏଟ୍ ଟିଚର) ଯୋଗଦେବା ପରେ ସେହି ସ୍କୁଲ୍ରେ ଅତିଥି ଶିକ୍ଷକଙ୍କ ନିୟୋଜନ ଜାରି ରହିବ ନାହିଁ। ତେବେ ଏଭଳି ପରିସ୍ଥିତିରେ ସମ୍ପୃକ୍ତ ଅତିଥି ଶିକ୍ଷକଙ୍କୁ ଅନ୍ୟ କୌଣସି ସ୍କୁଲ୍ରେ ଶିକ୍ଷକ ପଦବି ଖାଲି ଥିଲେ ପୁନଃ ନିୟୋଜନ କରାଯାଇପାରିବ। ତେବେ ଏହି ପୁନଃନିୟୋଜନ ମଧ୍ୟ ସମ୍ପୃକ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ରିପୋର୍ଟ ହୋଇଥିବା ଖାଲି ପଦବି ମଧ୍ୟରେ ସୀମିତ ରହିବ।
ସଂସ୍କୃତ ଟୋଲ୍ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ସଂସ୍କୃତ ଟୋଲ୍ଗୁଡ଼ିକରେ ଶିକ୍ଷକ ଆବଶ୍ୟକତା ପୂରଣ ପାଇଁ ଅବସରପ୍ରାପ୍ତ IACT ଏବଂ ମାଟ୍ରିକ୍-CT ଶିକ୍ଷକଙ୍କୁ ମଧ୍ୟ ଅତିଥି ଶିକ୍ଷକ ଭାବେ ନିୟୋଜନ ପାଇଁ ବିଚାର କରାଯାଇପାରିବ। ଏଥିପାଇଁ ବିଭାଗ ପକ୍ଷରୁ ପୂର୍ବରୁ ଜାରି ହୋଇଥିବା ନିୟମାବଳୀ ଲାଗୁ ହେବ। ବିଭାଗର ୧୭ ଅଗଷ୍ଟ ୨୦୧୬ର ରିଜୋଲ୍ୟୁସନ୍ ନମ୍ବର ୧୬୩୩୦/SME, ୨୫ ଜୁଲାଇ ୨୦୧୮ର ଆଡେଣ୍ଡମ୍ ନମ୍ବର ୧୬୧୬୯/SME ଏବଂ ୧୪ ଡିସେମ୍ବର ୨୦୧୮ର ଚିଠି ନମ୍ବର ୨୮୬୧୯/SMEରେ ଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ଏହି ନିୟୋଜନ କରାଯିବ।
ରିପୋର୍ଟ ଦାଖଲ ବାଧ୍ୟତାମୂଳକ
ଅତିଥି ଶିକ୍ଷକ ନିୟୋଜନ ସମ୍ପର୍କିତ ସମସ୍ତ ତଥ୍ୟ ଓ ରିପୋର୍ଟ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷାଙ୍କ ନିକଟରେ ଦାଖଲ କରାଯିବ। କେତେ ଖାଲି ପଦବି ରହିଛି, କେଉଁ ସ୍କୁଲ୍ରେ କେତେ ଅତିଥି ଶିକ୍ଷକ ନିୟୋଜିତ ହେଲେ ଏବଂ କେଉଁ ଆଧାରରେ ନିୟୋଜନ ହେଲା—ସେ ସମ୍ପର୍କିତ ତଥ୍ୟ ବିଭାଗକୁ ଜଣାଇବାକୁ ହେବ। ଏହା ମାଧ୍ୟମରେ ଅତିଥି ଶିକ୍ଷକ ନିୟୋଜନ ପ୍ରକ୍ରିୟାକୁ ଖାଲି ପଦବି ସହ ସମନ୍ୱୟ କରାଯିବ।
ବଜେଟ୍ରୁ ଭରଣା ହେବ ଖର୍ଚ୍ଚ
ଅତିଥି ଶିକ୍ଷକଙ୍କ ନିୟୋଜନ ବାବଦ ସମସ୍ତ ଖର୍ଚ୍ଚ ପ୍ରଶାସନିକ ବ୍ୟୟ (EOM) ଅଧୀନରେ ଅନୁମୋଦିତ ବଜେଟ୍ ବ୍ୟବସ୍ଥାରୁ ଭରଣା କରାଯିବ। ଏହି ପ୍ରସ୍ତାବକୁ ଅର୍ଥ ବିଭାଗ ମଧ୍ୟ ସହମତି ପ୍ରଦାନ କରିଛି। ତେଣୁ ୫,୭୪୦ ଅବସରପ୍ରାପ୍ତ ଶିକ୍ଷକଙ୍କୁ ଅତିଥି ଶିକ୍ଷକ ଭାବେ ନିୟୋଜନ ପାଇଁ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ମିଳିସାରିଛି।
ଖାଲି ପଦବି ଥାଇ ବି ନୂଆ ନିଯୁକ୍ତି କାହିଁକି ନୁହେଁ?
ସରକାରୀ ସ୍କୁଲ୍ରେ ଶିକ୍ଷକ ଅଭାବ ଥିବା କଥା ବିଭାଗର ଏହି ନିଷ୍ପତ୍ତିରୁ ହିଁ ସ୍ପଷ୍ଟ। ଯଦି ୫,୭୪୦ ଶିକ୍ଷକଙ୍କ ଆବଶ୍ୟକତା ରହିଛି, ତେବେ ଏତେ ସଂଖ୍ୟକ ଖାଲି ପଦବିରେ ନିୟମିତ ନିଯୁକ୍ତି କାହିଁକି କରାଯାଉନାହିଁ, ତାହାକୁ ନେଇ ପ୍ରଶ୍ନ ଉଠିଛି। ଅବସରପ୍ରାପ୍ତଙ୍କୁ ପୁଣି ଅସ୍ଥାୟୀ ଭାବେ ନିୟୋଜନ କରି ସରକାର ତତ୍କାଳୀନ ସମସ୍ୟାକୁ ଟାଳିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହେଉଛି।
ବର୍ଷ ବର୍ଷ ଧରି ଶିକ୍ଷକ ନିଯୁକ୍ତି ଆଶାରେ ଥିବା ଯୁବ ଯୋଗ୍ୟ ପ୍ରାର୍ଥୀଙ୍କ ପାଇଁ ଏହି ନିଷ୍ପତ୍ତି ନିରାଶାଜନକ ହୋଇପାରେ। ଗୋଟିଏ ପଟେ ଯୁବକ-ଯୁବତୀଙ୍କୁ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯାଉଛି, ଅନ୍ୟପଟେ ସ୍କୁଲ୍ରେ ଖାଲି ପଦବି ପୂରଣ ପାଇଁ ଅବସରପ୍ରାପ୍ତଙ୍କୁ ପୁଣି ଡକାଯାଉଛି। ଏହି ବିରୋଧାଭାସ ସରକାରଙ୍କ ନିଯୁକ୍ତି ନୀତିକୁ ନେଇ ଚର୍ଚ୍ଚା ସୃଷ୍ଟି କରିଛି।
‘ଅସ୍ଥାୟୀ’ ବ୍ୟବସ୍ଥାରେ କେତେଦିନ ଚାଲିବ ଶିକ୍ଷାଦାନ?
ବିଭାଗର ଚିଠିରେ ଅତିଥି ଶିକ୍ଷକ ନିୟୋଜନକୁ ଏକ ଅସ୍ଥାୟୀ ବ୍ୟବସ୍ଥା ଭାବେ ରଖାଯାଇଛି। ନିୟମିତ ଶିକ୍ଷକ ଯୋଗଦେଲେ ଅତିଥି ଶିକ୍ଷକଙ୍କ ନିୟୋଜନ ଶେଷ ହେବ। କିନ୍ତୁ ପ୍ରଶ୍ନ ହେଉଛି, ନିୟମିତ ନିଯୁକ୍ତି କେବେ ହେବ? ଏହାର ସ୍ପଷ୍ଟ ସମୟସୀମା ଚିଠିରେ ନାହିଁ। ଫଳରେ ଶିକ୍ଷକ ଅଭାବର ତାତ୍କାଳିକ ସମାଧାନ ପାଇଁ ଅତିଥି ଶିକ୍ଷକ ବ୍ୟବସ୍ଥା ହିଁ ପୁଣି ମୁଖ୍ୟ ଭରସା ପାଲଟିଛି।
ନୂଆ ନିଯୁକ୍ତି ପ୍ରକ୍ରିୟାରେ ପରୀକ୍ଷା, ଚୟନ ଓ ପ୍ରଶିକ୍ଷଣ ଭଳି ପଦକ୍ଷେପ ଥିବାରୁ ସମୟ ଲାଗିପାରେ। କିନ୍ତୁ ଏହାର ଅର୍ଥ ଖାଲି ପଦବିକୁ ଦୀର୍ଘଦିନ ଧରି ଅସ୍ଥାୟୀ ବ୍ୟବସ୍ଥାରେ ରଖିବା ନୁହେଁ। ନିୟମିତ ନିଯୁକ୍ତି ପାଇଁ ସରକାର କେବେ ପ୍ରକ୍ରିୟା ଆରମ୍ଭ କରିବେ, ସେନେଇ ମଧ୍ୟ ପ୍ରଶ୍ନ ଉଠୁଛି।
୫,୭୪୦ ପଦବି ନା ଆଗାମୀ ନିଯୁକ୍ତିର ସୁଯୋଗ?
ସରକାରଙ୍କ ଏହି ନିଷ୍ପତ୍ତିରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି—ଯେଉଁଠି ୫,୭୪୦ ଜଣ ଶିକ୍ଷକଙ୍କ ଆବଶ୍ୟକତା ରହିଛି, ସେଠାରେ କାହିଁକି ସମାନ ସଂଖ୍ୟକ ନିୟମିତ ନିଯୁକ୍ତିର ରାସ୍ତା ଖୋଲାଯାଉନାହିଁ? ଅତିଥି ଶିକ୍ଷକଙ୍କ ନିୟୋଜନ ତତ୍କାଳ ଭାବେ ସ୍କୁଲ୍ରେ ପାଠପଢ଼ା ଚାଲୁ ରଖିପାରେ, କିନ୍ତୁ ଏହା ଶିକ୍ଷକ ଅଭାବର ସ୍ଥାୟୀ ସମାଧାନ ନୁହେଁ।
ଶିକ୍ଷା ବ୍ୟବସ୍ଥାରେ ଗୁଣାତ୍ମକ ଉନ୍ନତି ସହ ନିଯୁକ୍ତି ସୃଷ୍ଟିକୁ ଗୁରୁତ୍ୱ ଦେବାକୁ ସରକାର ଦାବି କରୁଥିବା ବେଳେ ୫,୭୪୦ ଖାଲି ସ୍ଥାନ ପାଇଁ ଅବସରପ୍ରାପ୍ତଙ୍କୁ ଅସ୍ଥାୟୀ ଭାବେ ଫେରାଇ ଆଣିବା ନିଷ୍ପତ୍ତି ସେହି ଦାବିକୁ କେତେ ଦୃଢ଼ କରୁଛି, ତାହା ଏବେ ବଡ଼ ପ୍ରଶ୍ନ। ସରକାର ତୁରନ୍ତ ଅସ୍ଥାୟୀ ବ୍ୟବସ୍ଥା ସହିତ ନିୟମିତ ଶିକ୍ଷକ ନିଯୁକ୍ତିର ସମୟସୀମା ଘୋଷଣା କରିବେ କି ନାହିଁ, ତାହା ଉପରେ ଏବେ ନଜର।