ଡଲାର ତୁଳନାରେ ହେଉଛି ଟଙ୍କା ଦୁର୍ବଳ; ବିଦେଶୀ ଋଣ ଫେରାଇବାକୁ ଓଡ଼ିଶାର କସରତ

OIIPCRAରେ ୪୪୩.୫ କୋଟି ଟଙ୍କାର ଋଣ ଏବେ ବି ଅବ୍ୟବହୃତ
‘କମିଟମେଣ୍ଟ ଚାର୍ଜ’ ଏଡ଼ାଇବାକୁ ୪ ପ୍ରକଳ୍ପର ଅର୍ଥ ଆବଶ୍ୟକତା ହେବ ପୁନଃଆକଳନ

ଭୁବନେଶ୍ୱର: ଡଲାର ତୁଳନାରେ ଟଙ୍କା ଦୁର୍ବଳ ହେବା ଏବେ ବିଦେଶୀ ଋଣରେ ଚାଲିଥିବା ରାଜ୍ୟର କେତେକ ପ୍ରକଳ୍ପ ପାଇଁ ନୂଆ ଆର୍ଥିକ ହିସାବର ଆବଶ୍ୟକତା ସୃଷ୍ଟି କରିଛି। ଡଲାରରେ ମଞ୍ଜୁର ହୋଇଥିବା ଋଣର ଟଙ୍କା ମୂଲ୍ୟ ବିନିମୟ ହାର ପରିବର୍ତ୍ତନ ଯୋଗୁଁ ବଢ଼ିଯାଇଥିବାରୁ ପ୍ରକଳ୍ପର ବାସ୍ତବ ଆବଶ୍ୟକତା ପୂରଣ ପରେ ଋଣର କିଛି ଅଂଶ ବଳକା ପଡ଼ିବାର ସମ୍ଭାବନା ରହିଛି। ଏଭଳି ଅବ୍ୟବହୃତ ଋଣକୁ ଧରି ରଖିଲେ ତାହା ଉପରେ ‘କମିଟମେଣ୍ଟ ଚାର୍ଜ’ ଗଣିବାକୁ ପଡ଼ିବ। ଏହି ଅନାବଶ୍ୟକ ଆର୍ଥିକ ବୋଝ ଏଡ଼ାଇବାକୁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ ସହାୟତାରେ ଚାଲିଥିବା ପ୍ରକଳ୍ପଗୁଡ଼ିକର ଋଣ ଆବଶ୍ୟକତାର ସାନି ହିସାବ ଆରମ୍ଭ କରିଛନ୍ତି।

ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ଇଞ୍ଜିନିୟର-ଇନ୍-ଚିଫ୍‌ଙ୍କୁ ଚିଠି ଲେଖାଯାଇଛି। ବିଶ୍ୱବ୍ୟାଙ୍କ ଗ୍ରୁପ୍‌ ସହାୟତାରେ କାର୍ଯ୍ୟକାରୀ ହେଉଥିବା ବାହ୍ୟ ସହାୟତାପ୍ରାପ୍ତ ପ୍ରକଳ୍ପଗୁଡ଼ିକରେ କେତେ ଋଣ ଆଉ ଦରକାର ଓ କେତେ ରାଶି ବଳକା ରହିପାରେ, ତାହା ଆକଳନ କରିବାକୁ କୁହାଯାଇଛି। ପ୍ରକଳ୍ପର ଅବଶିଷ୍ଟ କାମ ଓ ଆଗାମୀ ଖର୍ଚ୍ଚକୁ ବିଚାରକୁ ନେଇ ଯେଉଁ ଋଣ ରାଶି ଆଉ ଆବଶ୍ୟକ ନାହିଁ, ତାହାକୁ ସରେଣ୍ଡର ବା ବାତିଲ କରିବା ପାଇଁ ବିଧିବଦ୍ଧ ପ୍ରସ୍ତାବ ପଠାଇବାକୁ ନିର୍ଦ୍ଦେଶ ରହିଛି।

ବିଶ୍ୱବ୍ୟାଙ୍କର ଏଭଳି ଋଣ ସାଧାରଣତଃ ଆମେରିକୀୟ ଡଲାରରେ ମଞ୍ଜୁର ହୋଇଥାଏ। ପ୍ରକଳ୍ପ ପାଇଁ ଋଣ ମଞ୍ଜୁର ହେବା ପରେ ତାହାର ଯେଉଁ ଅଂଶ ଉଠାଣ ହୋଇନଥାଏ, ସେହି ରାଶି ଉପରେ ନିର୍ଦ୍ଧାରିତ କମିଟମେଣ୍ଟ ଚାର୍ଜ ଲାଗିପାରେ। ଅନ୍ୟପକ୍ଷରେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ କମିଲେ ସମାନ ପରିମାଣର ଡଲାର ଋଣର ଟଙ୍କା ମୂଲ୍ୟ ବଢ଼ିଯାଏ। ଫଳରେ ପୂର୍ବରୁ ଯେତିକି ଡଲାର ଋଣ ଆବଶ୍ୟକ ବୋଲି ଆକଳନ କରାଯାଇଥିଲା, ପରିବର୍ତ୍ତିତ ବିନିମୟ ହାରରେ ତାହାର ସମ୍ପୂର୍ଣ୍ଣ ଅଂଶ ଉଠାଣ କରିବା ଦରକାର ନ ପଡ଼ିପାରେ। ସରକାର ଏବେ ଏହି ସମ୍ଭାବ୍ୟ ବଳକା ରାଶିକୁ ଚିହ୍ନଟ କରିବା ଉପରେ ଜୋର ଦେଇଛନ୍ତି।

ଏହି ପ୍ରକ୍ରିୟାରେ ଓଡ଼ିଶାର ୪ଟି ବାହ୍ୟ ସହାୟତାପ୍ରାପ୍ତ ପ୍ରକଳ୍ପକୁ ସାମିଲ କରାଯାଇଛି। ସେଗୁଡ଼ିକ ହେଲା ଡ୍ୟାମ୍ ରିହାବିଲିଟେସନ୍ ଆଣ୍ଡ ଇମ୍ପ୍ରୁଭମେଣ୍ଟ ପ୍ରୋଜେକ୍ଟ-୨ (DRIP-II), ଓଡ଼ିଶା ଇଣ୍ଟିଗ୍ରେଟେଡ୍ ଇରିଗେସନ୍ ପ୍ରୋଜେକ୍ଟ ଫର୍ କ୍ଲାଇମେଟ୍ ରେଜିଲିଏଣ୍ଟ ଆଗ୍ରିକଲଚର (OIIPCRA), ରିଜୁଭେନେଟିଂ ୱାଟରସେଡ୍ସ ଫର୍ ଆଗ୍ରିକଲଚରାଲ୍ ରେଜିଲିଏନ୍ସ ଥ୍ରୁ ଇନୋଭେଟିଭ୍ ଡେଭେଲପମେଣ୍ଟ (REWARD) ଏବଂ ଓଡ଼ିଶା ଷ୍ଟେଟ୍ କ୍ୟାପାବିଲିଟି ଆଣ୍ଡ ରେଜିଲିଏଣ୍ଟ ଗ୍ରୋଥ୍ ପ୍ରୋଗ୍ରାମ୍।

DRIP-IIକୁ ବିଶ୍ୱବ୍ୟାଙ୍କ ସହ ଏସିଆନ୍ ଇନ୍‌ଫ୍ରାଷ୍ଟ୍ରକ୍ଚର ଇନ୍‌ଭେଷ୍ଟମେଣ୍ଟ ବ୍ୟାଙ୍କ (AIIB) ମଧ୍ୟ ଆର୍ଥିକ ସହାୟତା ଯୋଗାଉଛି। ଏହି ପ୍ରକଳ୍ପ ଏବଂ OIIPCRA ଜଳସମ୍ପଦ ବିଭାଗ ଅଧୀନରେ କାର୍ଯ୍ୟକାରୀ ହେଉଛି। REWARDର ଦାୟିତ୍ୱ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପାଖରେ ରହିଛି। ସେହିପରି ଓଡ଼ିଶା ଷ୍ଟେଟ୍ କ୍ୟାପାବିଲିଟି ଆଣ୍ଡ ରେଜିଲିଏଣ୍ଟ ଗ୍ରୋଥ୍ ପ୍ରୋଗ୍ରାମ୍‌ରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା, ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ଯୋଜନା ଓ ସଂଯୋଜନ ବିଭାଗ ସାମିଲ ଅଛନ୍ତି।

କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ବିଭାଗ ଅଧୀନ କଣ୍ଟ୍ରୋଲର ଅଫ୍ ଏଡ୍ ଆକାଉଣ୍ଟସ୍ ଆଣ୍ଡ ଅଡିଟ୍‌ ପକ୍ଷରୁ ମେ’ ୨୯, ୨୦୨୬ରେ ଜାରି ଅଫିସ୍ ମେମୋରାଣ୍ଡମ୍‌ ପରେ ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ବିଦେଶୀ ଋଣରେ ଚାଲୁଥିବା ପ୍ରକଳ୍ପଗୁଡ଼ିକରେ ସମ୍ଭାବ୍ୟ ଋଣ ସଞ୍ଚୟ ଚିହ୍ନଟ କରି ଅନାବଶ୍ୟକ ରାଶି ସରେଣ୍ଡର ବା ବାତିଲ କରିବାକୁ ଏଥିରେ କୁହାଯାଇଥିଲା। ବର୍ତ୍ତମାନର ବିନିମୟ ହାର, ପ୍ରକଳ୍ପର ସଂଶୋଧିତ ବ୍ୟୟ ଅଟକଳ ଓ ଅବଶିଷ୍ଟ କାର୍ଯ୍ୟକୁ ଆଧାର କରି ଋଣ ଆବଶ୍ୟକତାର ପୁନଃଆକଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କେନ୍ଦ୍ର ପ୍ରସ୍ତୁତ କରିଥିବା ତାଲିକାରେ ଦେଶର ୫୯ଟି ବିଦେଶୀ ଋଣ ପ୍ରକଳ୍ପର ଅବ୍ୟବହୃତ ରାଶି ଏବଂ ସମ୍ଭାବ୍ୟ ସଞ୍ଚୟର ହିସାବ ରହିଛି। ଏଥିରେ OIIPCRA ପାଇଁ ଅନୁମୋଦିତ ଋଣର ଟଙ୍କା ମୂଲ୍ୟ ୧,୧୦୦ କୋଟି ଟଙ୍କା ଦର୍ଶାଯାଇଥିବାବେଳେ ସେଥିରୁ ୪୪୩.୫ କୋଟି ଟଙ୍କାର ଋଣ ଅବ୍ୟବହୃତ ରହିଥିବା ଉଲ୍ଲେଖ ରହିଛି। ଅର୍ଥାତ୍‌ ଅନୁମୋଦିତ ଋଣର ପ୍ରାୟ ୪୦ ପ୍ରତିଶତ ଏବେ ବି ଉଠାଣ ହୋଇନାହିଁ। ତେବେ ଏହି ୪୪୩.୫ କୋଟି ଟଙ୍କାକୁ ସମ୍ପୂର୍ଣ୍ଣ ବଳକା ବା ଫେରସ୍ତଯୋଗ୍ୟ ରାଶି ବୋଲି ଧରାଯିବ ନାହିଁ। ପ୍ରକଳ୍ପର ବାକି କାମ ପାଇଁ କେତେ ଅର୍ଥ ଦରକାର, ତାହାର ସାନି ଆକଳନ ପରେ ହିଁ ପ୍ରକୃତ ବଳକା ଋଣ ପରିମାଣ ସ୍ପଷ୍ଟ ହେବ।

ପ୍ରକଳ୍ପୱାରି ଏହି ହିସାବ ଶେଷ ହେବା ପରେ ଯେତିକି ବିଦେଶୀ ଋଣ ଆଉ ଆବଶ୍ୟକ ନାହିଁ, ତାହାକୁ ସରେଣ୍ଡର ବା ବାତିଲ କରିବା ସମ୍ପର୍କିତ ଚୂଡ଼ାନ୍ତ ପ୍ରସ୍ତାବ ଅର୍ଥ ବିଭାଗକୁ ପଠାଯିବ। ଏହାଦ୍ୱାରା ଅବ୍ୟବହୃତ ବିଦେଶୀ ଋଣ ଉପରେ ଅନାବଶ୍ୟକ କମିଟମେଣ୍ଟ ଚାର୍ଜ ଦେବାରୁ ସରକାର ମୁକ୍ତି ପାଇବା ସହ ପ୍ରକଳ୍ପଗୁଡ଼ିକର ଋଣ ପରିଚାଳନାକୁ ଅଧିକ ବାସ୍ତବସମ୍ମତ କରାଯାଇପାରିବ।

Share

Leave a Reply

Your email address will not be published. Required fields are marked *