ଅନ୍ତଃରାଜ୍ୟ ଜଳ ବିବାଦରେ ଅଟକିଛି ଓଡ଼ିଶାର ୯ ଜଳ ପ୍ରକଳ୍ପ

କେନ୍ଦ୍ର ସହ ଆଲୋଚନା ପାଇଁ ପ୍ରକଳ୍ପର ସ୍ଥିତି ମାଗିଲେ ସରକାର

ମହାନଦୀ ଓ ବଂଶଧାରା ସମେତ ବିଭିନ୍ନ ପ୍ରକଳ୍ପର ଅଟକିଥିବା ପ୍ରସଙ୍ଗ ଉଠାଇବାକୁ ପ୍ରସ୍ତୁତି

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ସହ ଆଲୋଚନା ସମୟରେ ଓଡ଼ିଶାର ବିଭିନ୍ନ ଜଳସେଚନ ପ୍ରକଳ୍ପ ସମ୍ପର୍କିତ ପ୍ରସଙ୍ଗ ଉଠାଇବାକୁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏନେଇ ଜଳସମ୍ପଦ ବିଭାଗ ପକ୍ଷରୁ ୯ଟି ପ୍ରମୁଖ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ନିଆଯାଇଥିବା ପଦକ୍ଷେପ, ଅଟକିଥିବା ପ୍ରସଙ୍ଗ ଓ ଆବଶ୍ୟକ ହସ୍ତକ୍ଷେପ ସମ୍ପର୍କରେ ଅପଡେଟ୍‌ ତଥ୍ୟ ମଗାଯାଇଛି। ଜଳସମ୍ପଦ ବିଭାଗର ଅଣ୍ଡର ସେକ୍ରେଟାରୀ, ଇଞ୍ଜିନିୟର-ଇନ୍-ଚିଫ୍‌, ପ୍ଲାନିଂ ଆଣ୍ଡ ଡିଜାଇନ୍‌ଙ୍କୁ ଏ ସମ୍ପର୍କରେ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାରଙ୍କ ସହ ହେବାକୁ ଥିବା ଆଲୋଚନାରେ ପ୍ରକଳ୍ପଗୁଡ଼ିକର ସମ୍ପ୍ରତିକ ସ୍ଥିତି ଓ ସମସ୍ୟା ସ୍ପଷ୍ଟ ଭାବେ ଉପସ୍ଥାପନ କରିବା ପାଇଁ ଏହି ତଥ୍ୟ ମଗାଯାଇଛି।

ବିଭାଗ ପକ୍ଷରୁ ମଗାଯାଇଥିବା ୯ଟି ପ୍ରକଳ୍ପ ମଧ୍ୟରେ ତେଲ ଇଣ୍ଟିଗ୍ରେଟେଡ୍‌ ମଲ୍ଟିପର୍ପୋଜ୍‌ ପ୍ରକଳ୍ପ, ତେଲିଜୋର୍‌ ଜଳସେଚନ ପ୍ରକଳ୍ପ, ଲକ୍ଷ୍ମୀପଥର ଜଳସେଚନ ପ୍ରକଳ୍ପ, କଟାଙ୍ଗି ଜଳସେଚନ ପ୍ରକଳ୍ପ, ଅପର ଉଦନ୍ତୀ ଜଳସେଚନ ପ୍ରକଳ୍ପ, ଲୋୟର ଉଦନ୍ତୀ ବ୍ୟାରେଜ୍‌ ପ୍ରକଳ୍ପ, ସତିଘାଟ ବ୍ୟାରେଜ୍‌ ପ୍ରକଳ୍ପ, ଖଡଗୋ ବ୍ୟାରେଜ୍‌ ପ୍ରକଳ୍ପ ଓ କଳା ବ୍ୟାରେଜ୍‌ ପ୍ରକଳ୍ପ ରହିଛି। ଏଥିରୁ ଅଧିକାଂଶ ପ୍ରକଳ୍ପ ମହାନଦୀ ବେସିନ୍‌ ସହ ସମ୍ପର୍କିତ। ବିଭାଗୀୟ ପତ୍ର ଅନୁଯାୟୀ, ଏହି ପ୍ରକଳ୍ପଗୁଡ଼ିକର ଡିପିଆର୍‌ କିମ୍ବା ଫିଜିବିଲିଟି ରିପୋର୍ଟ କେନ୍ଦ୍ରୀୟ ଜଳ ଆୟୋଗ (CWC) ନିକଟରେ ଦାଖଲ ହୋଇଥିଲା। ତେବେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍‌ ସମ୍ପର୍କିତ ଅନ୍ତଃରାଜ୍ୟ ପ୍ରସଙ୍ଗ ଯୋଗୁଁ କେତେକ ପ୍ରକଳ୍ପର ଡିପିଆର୍‌/ଏଫ୍‌ଆର୍‌ ଫେରାଇ ଦିଆଯାଇଥିବା କିମ୍ବା ବିଚାର ପ୍ରକ୍ରିୟା ଅଟକିଥିବା ଉଲ୍ଲେଖ ରହିଛି।

ତେଲ ଇଣ୍ଟିଗ୍ରେଟେଡ୍‌ ପ୍ରକଳ୍ପର ଡିପିଆର୍‌ ୨୦୧୭ ଜୁନ୍‌ ୨୦ରେ CWC ନିକଟରେ ଦାଖଲ ହୋଇଥିଲା। ସେହିପରି ଲକ୍ଷ୍ମୀପଥର, କଟାଙ୍ଗି, ଅପର ଉଦନ୍ତୀ, ଲୋୟର ଉଦନ୍ତୀ, ସତିଘାଟ ଓ ଖଡ଼ଗୋ ବ୍ୟାରେଜ୍‌ ପ୍ରକଳ୍ପର ମଧ୍ୟ ଫିଜିବିଲିଟି ରିପୋର୍ଟ କିମ୍ବା ଡିପିଆର୍‌ ସମ୍ପର୍କିତ ପ୍ରକ୍ରିୟା CWC ସ୍ତରରେ ଚାଲିଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ, ବଂଶଧାରା ବେସିନ୍‌ ସମ୍ପର୍କିତ ପ୍ରକଳ୍ପଗୁଡ଼ିକ ମଧ୍ୟ ଅନ୍ତଃରାଜ୍ୟ ପ୍ରସଙ୍ଗରେ ଅଟକିଛି। ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ୍‌ର ୨୦୧୭ ସେପ୍ଟେମ୍ବର ୧୩ର ଚୂଡ଼ାନ୍ତ ଆଦେଶ ଅନୁଯାୟୀ, ଗୋଟ୍ଟା ବ୍ୟାରେଜ୍‌ ନିକଟରେ ବଂଶଧାରା ନଦୀର ଜଳ ଉପଲବ୍ଧତାକୁ ଦୁଇ ରାଜ୍ୟ ମଧ୍ୟରେ ୫୦:୫୦ ଅନୁପାତରେ ବାଣ୍ଟିବାର ବ୍ୟବସ୍ଥା ରହିଛି। ଅପର ବଂଶଧାରା ଓ ଲୋୟର ବଂଶଧାରା ପ୍ରକଳ୍ପ CWCରେ ବିଚାରାଧୀନ ଥିବାବେଳେ ଅନ୍ତଃରାଜ୍ୟ ପ୍ରସଙ୍ଗରେ ଏଗୁଡ଼ିକୁ ଏପର୍ଯ୍ୟନ୍ତ ଆବଶ୍ୟକ ଅନୁମୋଦନ ମିଳିନାହିଁ।

ସୁବର୍ଣ୍ଣରେଖା ବେସିନ୍‌ରେ ମଧ୍ୟ ଅନ୍ତଃରାଜ୍ୟ ସମସ୍ୟା ରହିଛି। ଚାନ୍ଦିଲ ଡ୍ୟାମ୍‌ ୧୯୯୮ରୁ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ପାଣି ସଂରକ୍ଷଣ ନେଇ ସମସ୍ୟା ରହିଛି। ଇଚା ଡ୍ୟାମ୍‌ର କାମ ୨୦୨୦ ମାର୍ଚ୍ଚରୁ ବନ୍ଦ ରହିଛି। ଏହାର କାମ ପୁନଃ ଆରମ୍ଭ କରିବା ପାଇଁ ଓଡ଼ିଶା ପକ୍ଷରୁ ଝାଡ଼ଖଣ୍ଡ ସରକାରଙ୍କୁ ଅନୁରୋଧ କରାଯାଉଥିବା ଉଲ୍ଲେଖ ରହିଛି। ସେହିପରି ଗାଲୁଡିହି ବ୍ୟାରେଜ୍‌ ସହ ସମ୍ପର୍କିତ ଆଫ୍ଲକ୍ସ ବଣ୍ଡ୍‌ ନିର୍ମାଣ କାମ ମଧ୍ୟ ଝାଡ଼ଖଣ୍ଡ ପକ୍ଷରୁ ଆରମ୍ଭ ହୋଇନଥିବାରୁ ଓଡ଼ିଶାର ଜଳ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହେଉଥିବା ସରକାରୀ ଦଲିଲରେ ଦର୍ଶାଯାଇଛି।

ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସହ ଆଲୋଚନା ପୂର୍ବରୁ ସମସ୍ତ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପ, ଅଟକିଥିବା କାରଣ, ଆବଶ୍ୟକ ହସ୍ତକ୍ଷେପ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ଅପଡେଟ୍‌ ତଥ୍ୟ ପ୍ରସ୍ତୁତ କରିବାକୁ ଜଳସମ୍ପଦ ବିଭାଗ ନିର୍ଦ୍ଦେଶ ଦେଇଛି।

Share

Leave a Reply

Your email address will not be published. Required fields are marked *