୧୮୬ରୁ ୨୮୬ ଦିନରେ ପ୍ରକ୍ରିୟା ଶେଷ ଲକ୍ଷ୍ୟ
ବିକାଶ ପ୍ରକଳ୍ପ ପାଇଁ ଗତି ବଢ଼ିବ, ଜମି ମାଲିକଙ୍କ ଉପରେ ବଢ଼ିବ କି ଚାପ?
ଭୁବନେଶ୍ୱର:ଜମି ଅଧିଗ୍ରହଣ ପ୍ରକ୍ରିୟାକୁ ଆହୁରି ତ୍ବରାନ୍ବିତ କରିବା ପାଇଁ ନୂଆ ମାନକ ପରିଚାଳନା ପଦ୍ଧତି (SOP) ଜାରି କରିଛନ୍ତି ସରକାର। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ୧୭ ଅଗଷ୍ଟରେ ଜାରି କରିଥିବା ଏହି ନିର୍ଦ୍ଦେଶରେ ଜମି ଅଧିଗ୍ରହଣ ପ୍ରସ୍ତାବ ଦାଖଲଠାରୁ ସାମାଜିକ ପ୍ରଭାବ ଆକଳନ (SIA), ଜନଶୁଣାଣି, ବିଶେଷଜ୍ଞ ଗୋଷ୍ଠୀର ରିପୋର୍ଟ ଏବଂ ଶେଷରେ ଧାରା ୮(୨) ଅନୁଯାୟୀ ଘୋଷଣା ପର୍ଯ୍ୟନ୍ତ ପ୍ରତ୍ୟେକ ପର୍ଯ୍ୟାୟର ସମୟ ଧାର୍ଯ୍ୟ କରାଯାଇଛି। ସରକାରଙ୍କ ଯୁକ୍ତି ହେଉଛି—ଏହା ଦ୍ବାରା ଜମି ଅଧିଗ୍ରହଣ ଓ ପୁନର୍ବାସ ପ୍ରକ୍ରିୟାରେ ବିଳମ୍ବ କମିବ ଏବଂ ପ୍ରଶାସନିକ କାମରେ ଗତି ଆସିବ।
୧୫ ଦିନରେ ଜମି ଅଧିଗ୍ରହଣ ପ୍ରସ୍ତାବ ଯାଞ୍ଚ
ନୂଆ SOP ଅନୁଯାୟୀ, ପ୍ରକଳ୍ପ ପାଇଁ ଜମି ଆବଶ୍ୟକ କରୁଥିବା ସଂସ୍ଥାକୁ ଜିଲ୍ଲାପାଳଙ୍କ ନିକଟରେ ହାର୍ଡ କପି ସହ LARRMS ପୋର୍ଟାଲରେ ପ୍ରସ୍ତାବ ଦାଖଲ କରିବାକୁ ହେବ। ଏଥିରେ ଜମିର ପରିମାଣ, ଜମି ଅଧିଗ୍ରହଣର ଉଦ୍ଦେଶ୍ୟ, ଜମିର ମାନଚିତ୍ର, ରେକର୍ଡ ଅଫ୍ ରାଇଟ୍ସ, ଜମି ସୂଚୀ, DPR ଓ Land Use Plan ଭଳି ଦଲିଲ ରହିବା ଆବଶ୍ୟକ। ଅନୁସୂଚିତ ଅଞ୍ଚଳ ହେଲେ ଗ୍ରାମସଭାର ପ୍ରସ୍ତାବ ମଧ୍ୟ ଦାଖଲ କରିବାକୁ ହେବ।
ପ୍ରସ୍ତାବ ମିଳିବା ପରେ ଜିଲ୍ଲାପାଳ ୧୫ ଦିନ ମଧ୍ୟରେ ଏହାର ଯାଞ୍ଚ କରିବେ। ପ୍ରସ୍ତାବରେ ଥିବା ଦଲିଲ ଠିକ୍ ଅଛି କି ନାହିଁ, କିଛି ଅଭାବ ରହିଛି କି ନାହିଁ ଏବଂ ପ୍ରକଳ୍ପ ପାଇଁ ଯେତିକି ଜମି ମଗାଯାଇଛି, ତାହା ପ୍ରକୃତ ଆବଶ୍ୟକତା ସହ ମେଳ ଖାଉଛି କି ନାହିଁ—ତାହା ଯାଞ୍ଚ କରାଯିବ।

୫୨ ଦିନରେ SIA ନୋଟିଫିକେସନ୍
ପ୍ରସ୍ତାବ ଯାଞ୍ଚ ପରେ State SIA Unit ୧୦ ଦିନ ମଧ୍ୟରେ ପ୍ରକଳ୍ପ ଅନୁଯାୟୀ ଅଧ୍ୟୟନର ରୂପରେଖା ଓ ଖର୍ଚ୍ଚର ଆକଳନ ପ୍ରସ୍ତୁତ କରିବ। ଏହାପରେ ଜିଲ୍ଲାପାଳଙ୍କୁ SIA ଖର୍ଚ୍ଚ ଜମା ପାଇଁ ୭ ଦିନ ମଧ୍ୟରେ ସୂଚନା ଦେବାକୁ ହେବ। ଟଙ୍କା ଜମା ହେବା ପରେ ୧୦ ଦିନ ମଧ୍ୟରେ SIA ଅଧ୍ୟୟନ ପାଇଁ ସଂସ୍ଥା ଚୟନ କରାଯିବ।
ଏହାପରେ ଧାରା ୪(୧) ଅନୁଯାୟୀ SIA ନୋଟିଫିକେସନ୍ ଜାରି ହେବ। ପ୍ରସ୍ତାବ ଦାଖଲଠାରୁ ଏହି ନୋଟିଫିକେସନ୍ ୫୨ ଦିନ ମଧ୍ୟରେ ଜାରି କରିବାକୁ SOPରେ ଲକ୍ଷ୍ୟ ରଖାଯାଇଛି।
୪୫ରୁ ୧୦୦ ଦିନରେ SIA
ଜମିଧାରୀଙ୍କ ସଂଖ୍ୟା ଆଧାରରେ SIA ପାଇଁ ସମୟ ଧାର୍ଯ୍ୟ କରାଯାଇଛି। ୨୦୦ ପର୍ଯ୍ୟନ୍ତ ଜମିଧାରୀ ଥିଲେ ୪୫ ଦିନ, ୨୦୧ରୁ ୫୦୦ ପାଇଁ ୬୦ ଦିନ, ୫୦୧ରୁ ୧,୦୦୦ ପାଇଁ ୭୫ ଦିନ, ୧,୦୦୧ରୁ ୨,୦୦୦ ପାଇଁ ୯୦ ଦିନ ଏବଂ ୨,୦୦୦ରୁ ଅଧିକ ଜମିଧାରୀ ଥିଲେ ସର୍ବାଧିକ ୧୦୦ ଦିନରେ ଅଧ୍ୟୟନ ଶେଷ କରିବାକୁ ହେବ।
ଜନଶୁଣାଣି ହେବ, ଆପତ୍ତି ରେକର୍ଡ ହେବ
Draft SIA Reportର ଓଡ଼ିଆ ସଂସ୍କରଣ ସମ୍ପୃକ୍ତ ପଞ୍ଚାୟତ, NAC, ପୌରସଂସ୍ଥା କିମ୍ବା ମହାନଗର ନିଗମ କାର୍ଯ୍ୟାଳୟରେ ଉପଲବ୍ଧ କରାଯିବ। ରିପୋର୍ଟ ମିଳିବାର ୩୦ ଦିନ ମଧ୍ୟରେ ପ୍ରଭାବିତ ଅଞ୍ଚଳରେ ଜନଶୁଣାଣି କରିବାକୁ ହେବ ଏବଂ ଅତିକମ୍ରେ ୧୫ ଦିନ ପୂର୍ବରୁ ନୋଟିସ୍ ଦେବାକୁ ପଡ଼ିବ। ପ୍ରଭାବିତ ପରିବାରଙ୍କ ମତାମତ ଓ ଆପତ୍ତି ଲିଖିତ ଭାବେ ରେକର୍ଡ କରି SIA ରିପୋର୍ଟରେ ସାମିଲ କରିବାକୁ ହେବ। ଜନଶୁଣାଣିର ସମଗ୍ର ପ୍ରକ୍ରିୟା ଭିଡିଓ ରେକର୍ଡ ମଧ୍ୟ କରାଯିବ।
ବେସରକାରୀ ପ୍ରକଳ୍ପରେ ସମ୍ମତିର ବ୍ୟବସ୍ଥା
PPP ପ୍ରକଳ୍ପ ଓ ଆଇନର ଧାରା ୨(୨) ଅଧୀନରେ ଥିବା ଘରୋଇ କମ୍ପାନୀ ପ୍ରକଳ୍ପ ପାଇଁ ଆବଶ୍ୟକ ହେଲେ ପ୍ରଭାବିତ ପରିବାରଙ୍କ ସମ୍ମତି Form-Jରେ ନେବାକୁ ହେବ। ୭୦ କିମ୍ବା ୮୦ ପ୍ରତିଶତ ସମ୍ମତି ଆବଶ୍ୟକ ଥିବା କ୍ଷେତ୍ରରେ ତାହା ମିଳିଥିବା ନେଇ ପ୍ରମାଣପତ୍ର ଦାଖଲ କରିବାକୁ ହେବ। ଏପରିକି ପ୍ରତ୍ୟେକ ପ୍ରଭାବିତ ପରିବାରକୁ ଜମି ଅଧିଗ୍ରହଣ ପାଇଁ ଦିଆଯାଇଥିବା Form-Jର ପ୍ରତିଲିପି ଦେବାକୁ SOPରେ କୁହାଯାଇଛି।
ବିଶେଷଜ୍ଞ ରିପୋର୍ଟ ପାଇଁ ୧୫ରୁ ୬୦ ଦିନ
ଜନଶୁଣାଣିରେ ମିଳିଥିବା ମତାମତ ଓ ପ୍ରସ୍ତାବକୁ ସାମିଲ କରି SIA ଅଧ୍ୟୟନ ସଂସ୍ଥା ୭ ଦିନ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦେବ। ଏହା ପରେ ଜିଲ୍ଲାପାଳ ବିଶେଷଜ୍ଞ ଗୋଷ୍ଠୀର ବୈଠକ ଡାକିବେ। ଗୋଷ୍ଠୀକୁ ଚୂଡ଼ାନ୍ତ ରିପୋର୍ଟ ମିଳିବାର ୧୫ରୁ ୬୦ ଦିନ ମଧ୍ୟରେ ସୁପାରିସ ଦେବାକୁ ହେବ। ପ୍ରକଳ୍ପ ପ୍ରସ୍ତାବକ ସଂସ୍ଥା ସହ ସମ୍ପୃକ୍ତ କୌଣସି ବ୍ୟକ୍ତି ଏହି ଗୋଷ୍ଠୀରେ ରହିପାରିବେ ନାହିଁ।
୧୮୬ରୁ ୨୮୬ ଦିନ: ଜମି ମାଲିକଙ୍କ ଅଧିକାର କେତେ ସୁରକ୍ଷିତ?
SOP ଅନୁଯାୟୀ ପ୍ରସ୍ତାବ ଦାଖଲଠାରୁ ଧାରା ୮(୨) ଅନୁଯାୟୀ ଘୋଷଣା ପର୍ଯ୍ୟନ୍ତ ସମଗ୍ର ପ୍ରକ୍ରିୟା ସାଧାରଣତଃ ୧୮୬ରୁ ୨୮୬ ଦିନ ମଧ୍ୟରେ ଶେଷ କରିବାକୁ ହେବ। SIA ପାଇଁ ୪୫ରୁ ୧୦୦ ଦିନ, ଚୂଡ଼ାନ୍ତ SIA ରିପୋର୍ଟ ପାଇଁ ଜନଶୁଣାଣି ପରେ ୭ ଦିନ ଏବଂ ବିଶେଷଜ୍ଞ ଗୋଷ୍ଠୀ ପାଇଁ ୧୫ରୁ ୬୦ ଦିନର ସମୟ ରହିଛି।