ସହରରେ ଜମି କିସମ ପରିବର୍ତ୍ତନ ନିୟମ ହେବ ସହଜ

କୃଷିରୁ ଅଣକୃଷି ଜମିକୁ ପରିବର୍ତ୍ତନ ପାଇଁ ତହସିଲଦାରଙ୍କ ଅଲଗା ଅନୁମତିର ଆବଶ୍ୟକତା ହଟାଇବାକୁ ପ୍ରସ୍ତାବ
ବିଧାନସଭାରେ ଆସିପାରେ ଭୂ-ସଂସ୍କାର ସଂଶୋଧନ ବିଲ୍

ଭୁବନେଶ୍ୱର: ସହରାଞ୍ଚଳରେ କୃଷି ଜମିକୁ ଅଣକୃଷି କାର୍ଯ୍ୟରେ ବ୍ୟବହାର ପାଇଁ ଏଣିକି ଅଲଗା ଭାବେ ରାଜସ୍ୱ ବିଭାଗର ଅନୁମତି ନେବାକୁ ପଡ଼ିନପାରେ। ଜମି ବ୍ୟବହାର ପରିବର୍ତ୍ତନ ପ୍ରକ୍ରିୟାକୁ ସରଳ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ଭୂ-ସଂସ୍କାର ଆଇନ, ୧୯୬୦ରେ ସଂଶୋଧନ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି। ପ୍ରସ୍ତାବିତ ଓଡ଼ିଶା ଭୂ-ସଂସ୍କାର (ସଂଶୋଧନ) ବିଲ୍, ୨୦୨୬ ବିଧାନସଭାର ଆଗାମୀ ମୌସୁମୀ ଅଧିବେଶନରେ ଆସିବା ସମ୍ଭାବନା ରହିଛି।

ବର୍ତ୍ତମାନ ବ୍ୟବସ୍ଥା ଅନୁଯାୟୀ, ସହରାଞ୍ଚଳରେ ଜମି ମାଲିକଙ୍କୁ ଗୃହ ନିର୍ମାଣ କିମ୍ବା ଲେଆଉଟ୍‌ ଅନୁମୋଦନ ପାଇଁ ପୌରସଂସ୍ଥା ବା ବିକାଶ କର୍ତ୍ତୃପକ୍ଷଙ୍କ ନିକଟକୁ ଯିବା ସହିତ କୃଷି ଜମିକୁ ଅଣକୃଷି ଜମିରେ ପରିବର୍ତ୍ତନ ପାଇଁ ଓଡ଼ିଶା ଭୂ-ସଂସ୍କାର ଆଇନର ଧାରା ୮-ଏ ଅନୁଯାୟୀ ରାଜସ୍ୱ ବିଭାଗରେ ପୃଥକ ଆବେଦନ କରିବାକୁ ପଡ଼ୁଛି। ପ୍ରସ୍ତାବିତ ସଂଶୋଧନରେ ଏହି ଦୁଇଟି ସମାନ୍ତରାଳ ପ୍ରକ୍ରିୟାକୁ ଗୋଟିଏ ବ୍ୟବସ୍ଥାରେ ଆଣିବାକୁ ଯୋଜନା କରାଯାଇଛି।

ନୂଆ ବ୍ୟବସ୍ଥା ଲାଗୁ ହେଲେ ପୌରସଂସ୍ଥା, ମହାନଗର ନିଗମ କିମ୍ବା ସମ୍ପୃକ୍ତ ସହରାଞ୍ଚଳ ବିକାଶ କର୍ତ୍ତୃପକ୍ଷ ଜମିର ନିର୍ମାଣ ଯୋଜନା ଅନୁମୋଦନ ସମୟରେ ହିଁ ଜମି ପରିବର୍ତ୍ତନ ଫି’ ଆଦାୟ କରିବେ। ଆଦାୟ ହୋଇଥିବା ଅର୍ଥ ସରକାରୀ ତହବିଲରେ ଜମା ହେବ ଏବଂ ଏହାର ସୂଚନା ଇଲେକ୍ଟ୍ରୋନିକ୍‌ ମାଧ୍ୟମରେ ରାଜସ୍ୱ ବିଭାଗକୁ ପଠାଯିବ। ପରେ ସମ୍ପୃକ୍ତ ରାଜସ୍ୱ ଅଧିକାରୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଜମିର ରେକର୍ଡ ଅଫ୍‌ ରାଇଟ୍ସ (RoR)ରେ ଜମିର କିସମକୁ ଅଣକୃଷି ଭାବେ ଅଦ୍ୟତନ କରିବେ। ଏଥିପାଇଁ ଜମି ମାଲିକଙ୍କୁ ପୁଣି ଥରେ ଅଲଗା ଆବେଦନ କରିବାକୁ ପଡ଼ିବ ନାହିଁ।

ତେବେ ଏହି ସୁବିଧା ସମସ୍ତ ଜମି ପାଇଁ ପ୍ରଯୋଜ୍ୟ ହେବ ନାହିଁ। ଜମିର ପ୍ରସ୍ତାବିତ ବ୍ୟବହାର ଅନୁମୋଦିତ ବିଲ୍ଡିଂ ପ୍ଲାନ୍‌, ଲେଆଉଟ୍‌, ମାଷ୍ଟର ପ୍ଲାନ୍‌, ଡେଭଲପମେଣ୍ଟ ପ୍ଲାନ୍‌ କିମ୍ବା ଟାଉନ୍‌ ପ୍ଲାନିଂ ଯୋଜନା ସହ ସମନ୍ୱିତ ହେବା ଆବଶ୍ୟକ। ଏଭଳି ଯୋଜନା ନଥିଲେ ପ୍ରଚଳିତ ସ୍ଥାନୀୟ ଉପନିୟମ ଓ ନିୟମାବଳୀ ଅନୁଯାୟୀ ଜମିର ବ୍ୟବହାର ନିର୍ଦ୍ଧାରଣ ହେବ।

ପ୍ରସ୍ତାବିତ ସଂଶୋଧନରେ କେତେକ ଶ୍ରେଣୀର ଜମିକୁ ଏହି ବ୍ୟବସ୍ଥାରୁ ବାଦ୍‌ ଦିଆଯିବ। ‘ଜଙ୍ଗଲ’ କିସମ ଭାବେ ରେକର୍ଡଭୁକ୍ତ ଜମି, ସମ୍ପୃକ୍ତ ଆଇନ ଅନୁଯାୟୀ ଘୋଷିତ ଜଙ୍ଗଲ ଜମି, ପ୍ରାଚୀନ ସ୍ମାରକ ଓ ପ୍ରତ୍ନତାତ୍ତ୍ୱିକ ସ୍ଥଳ ସୁରକ୍ଷା ଆଇନ ଅଧୀନରେ ସୁରକ୍ଷିତ ଜମି ଏବଂ ଅନ୍ୟ କୌଣସି ସ୍ୱତନ୍ତ୍ର ଆଇନ ଅନୁଯାୟୀ ଜମି ବ୍ୟବହାର ପରିବର୍ତ୍ତନ ନିଷିଦ୍ଧ ଥିବା ଜମିରେ ଏହି ସୁବିଧା ମିଳିବ ନାହିଁ।

ନୂଆ ଆଇନ ଲାଗୁ ହେବା ସମୟରେ ପୂର୍ବରୁ ବିଚାରାଧୀନ ଥିବା ଆବେଦନଗୁଡ଼ିକ ପାଇଁ ମଧ୍ୟ ଏକ ସ୍ଥାନାନ୍ତରଣ ବ୍ୟବସ୍ଥା ରହିବ। ସେଗୁଡ଼ିକ ବର୍ତ୍ତମାନର ଆଇନ ଅନୁଯାୟୀ ନିଷ୍ପତ୍ତି ହେବ। ତେବେ ଆବେଦନକାରୀ ଚାହିଁଲେ ପୁରୁଣା ଆବେଦନ ପ୍ରତ୍ୟାହାର କରି ସଂଶୋଧିତ ଆଇନ ଅନୁଯାୟୀ ନୂଆ ଭାବେ ଆବେଦନ କରିପାରିବେ।

ରାଜ୍ୟ ସରକାରଙ୍କ ଏହି ପ୍ରସ୍ତାବ ସହରାଞ୍ଚଳରେ ଜମି ବ୍ୟବହାର ପରିବର୍ତ୍ତନ ପ୍ରକ୍ରିୟାରେ ଏକ ବଡ଼ ପ୍ରଶାସନିକ ସରଳୀକରଣ ଆଣିବାର ଲକ୍ଷ୍ୟ ରଖିଛି। ଏହା ଲାଗୁ ହେଲେ ଜମି ମାଲିକଙ୍କୁ ନିର୍ମାଣ ଅନୁମୋଦନ ଓ ଜମି କିସମ ପରିବର୍ତ୍ତନ ପାଇଁ ଦୁଇଟି ଭିନ୍ନ ବିଭାଗରେ ଦୌଡ଼ିବାକୁ ପଡ଼ିବ ନାହିଁ। ଏହା ଜମି ବ୍ୟବହାର ଓ ସହରୀକରଣ ସମ୍ବନ୍ଧୀୟ ଅନୁମୋଦନକୁ ଅଧିକ ଦ୍ରୁତ ଏବଂ ଏକକ-ଝରକା ପ୍ରକ୍ରିୟାରେ ଆଣିବାର ପଥ ଖୋଲିପାରେ।

ସୂଚନା: ଏହା ବର୍ତ୍ତମାନ ଏକ ପ୍ରସ୍ତାବିତ ସଂଶୋଧନ; ବିଲ୍‌ ବିଧାନସଭାରେ ପାରିତ ହୋଇ ଆଇନ ଭାବେ ଲାଗୁ ହେବା ପରେ ହିଁ ନୂଆ ବ୍ୟବସ୍ଥା କାର୍ଯ୍ୟକାରୀ ହେବ।

Share

Leave a Reply

Your email address will not be published. Required fields are marked *