୧,୦୦୦ କୋଟିରୁ ଅଧିକ ବ୍ୟୟ ଥିବା ଯୋଜନା ଉପରେ ପ୍ରତି ୧୫ ଦିନରେ ସମୀକ୍ଷା
ଯୋଜନାର ଲକ୍ଷ୍ୟରୁ ୧୫% ବିଚ୍ୟୁତି ହେଲେ ‘Early Warning’
ଡିଜିଟାଲ୍ ଡ୍ୟାସ୍ବୋର୍ଡରେ ରହିବ ସମସ୍ତ ତଥ୍ୟ
ଭୁବନେଶ୍ୱର: ସରକାରୀ ଯୋଜନା ଘୋଷଣା ହେଉଛି, ବଜେଟ୍ରେ ବ୍ୟୟ ବରାଦ ହେଉଛି ଏବଂ ଯୋଜନା କାର୍ଯ୍ୟକାରୀ ମଧ୍ୟ ହେଉଛି। ହେଲେ ଏହାର ପ୍ରକୃତ ଫଳ ଲୋକଙ୍କ ନିକଟରେ କେତେ ପହଞ୍ଚୁଛି? ଯୋଜନାରେ ଖର୍ଚ୍ଚ ହେଉଥିବା ଅର୍ଥ ଅନୁପାତରେ ଆଶାନୁରୂପ ଫଳ ମିଳୁଛି କି? ଏଣିକି ଏଭଳି ପ୍ରଶ୍ନର ଉତ୍ତର ଖୋଜିବାକୁ ରାଜ୍ୟରେ ଏକ ସ୍ୱତନ୍ତ୍ର Delivery Monitoring and Evaluation Organisation (DMEO) ଗଠନ କରିବାକୁ ପ୍ରଶାସନିକ ଓ ଶାସନ ସଂସ୍କାର କମିଟି ସୁପାରିସ କରିଛି।
ପ୍ରସ୍ତାବିତ DMEO କେବଳ ଯୋଜନାର କାର୍ଯ୍ୟାନ୍ୱୟନ ହେଉଛି କି ନାହିଁ, ତାହା ଦେଖିବ ନାହିଁ। ଯୋଜନାର ଫଳାଫଳ, ପ୍ରଭାବ ଓ ଲୋକଙ୍କ ଉପରେ ଏହାର ପ୍ରକୃତ ପରିଣାମକୁ ମଧ୍ୟ ମାପିବ। କେଉଁ ଯୋଜନା ସଫଳ ହେଉଛି, କେଉଁଠି କାର୍ଯ୍ୟାନ୍ୱୟନରେ ସମସ୍ୟା ରହିଛି ଏବଂ କେଉଁ କ୍ଷେତ୍ରରେ ସଂଶୋଧନ ଆବଶ୍ୟକ—ତାହା ଚିହ୍ନଟ କରି ସରକାରଙ୍କୁ ତଥ୍ୟଭିତ୍ତିକ ପରାମର୍ଶ ଦେବ।
୧୫% ପଛେଇଲେ ଆଲର୍ଟ
DMEO ପାଇଁ ପ୍ରସ୍ତାବିତ ମନିଟରିଂ ବ୍ୟବସ୍ଥାରେ ତିନିଟି ସ୍ତର ରହିବ। ୧,୦୦୦ କୋଟି ଟଙ୍କାରୁ ଅଧିକ ବ୍ୟୟ ଥିବା ୮ରୁ ୧୦ଟି Flagship Programmeକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଯିବ। ଏହାର ପକ୍ଷାନ୍ତରେ ମନିଟରିଂ ଏବଂ ମାସିକ Chief Minister’s Stocktake କରାଯିବ। ୧୫ରୁ ୨୦ଟି Strategic Programmeର ମାସିକ ମନିଟରିଂ ଓ ତ୍ରୈମାସିକ ସମୀକ୍ଷା ହେବ। ଅନ୍ୟ ସମସ୍ତ ଯୋଜନା Output-Outcome Monitoring Framework ଅଧୀନରେ ରହିବ।
ଯୋଜନାର ପ୍ରମୁଖ କାର୍ଯ୍ୟଦକ୍ଷତା ସୂଚକ (KPI) ଧାର୍ଯ୍ୟ ଲକ୍ଷ୍ୟଠାରୁ ୧୫ ପ୍ରତିଶତରୁ ଅଧିକ ପଛେଇଲେ ‘Early Warning’ ଆଲର୍ଟ ଜାରି ହେବ। କେବଳ ବିଭାଗୀୟ ତଥ୍ୟ ନୁହେଁ, କ୍ଷେତ୍ରସ୍ତରୀୟ ଯାଞ୍ଚ, ନାଗରିକଙ୍କ ଅଭିଯୋଗ ଏବଂ ଭବିଷ୍ୟତ ସମସ୍ୟାର ପୂର୍ବାନୁମାନ ପାଇଁ ତଥ୍ୟ ବିଶ୍ଳେଷଣକୁ ମଧ୍ୟ ଏହି ବ୍ୟବସ୍ଥାରେ ସାମିଲ କରାଯିବ।
ଯୋଜନା ବନ୍ଦ କିମ୍ବା ସଂଶୋଧନର ଆଧାର ହେବ ମୂଲ୍ୟାୟନ
ବଡ଼ ବଜେଟ୍ ଥିବା, ବହୁ ସଂଖ୍ୟକ ଲୋକଙ୍କୁ ଲାଭ ଦେଉଥିବା, ସରକାରଙ୍କ ପ୍ରମୁଖ ନୀତି ସହ ଜଡ଼ିତ ଏବଂ ପୂର୍ବରୁ ଯଥେଷ୍ଟ ମୂଲ୍ୟାୟନ ହୋଇନଥିବା ଯୋଜନାଗୁଡ଼ିକୁ ପ୍ରାଥମିକତା ଦେଇ ବାର୍ଷିକ ମୂଲ୍ୟାୟନ ଯୋଜନା ପ୍ରସ୍ତୁତ ହେବ। ଅଭିଯୋଗ, ଅଡିଟ୍ କିମ୍ବା ମନିଟରିଂ ତଥ୍ୟରୁ କାର୍ଯ୍ୟାନ୍ୱୟନ ସମସ୍ୟା ସାମ୍ନାକୁ ଆସିଥିବା ଯୋଜନା ମଧ୍ୟ ଏହି ମୂଲ୍ୟାୟନର ଅଧୀନକୁ ଆସିବ।
ଏହାର ଅର୍ଥ, ଯୋଜନା ଚାଲୁ ରଖିବା, ବ୍ୟୟ ବଢ଼ାଇବା କିମ୍ବା ଏଥିରେ ସଂଶୋଧନ କରିବା ଭଳି ନିଷ୍ପତ୍ତି କେବଳ ପ୍ରଶାସନିକ ଅନୁମାନ ଉପରେ ନୁହେଁ, ମୂଲ୍ୟାୟନର ତଥ୍ୟ ଓ ପ୍ରମାଣ ଉପରେ ଆଧାରିତ ହେବାର ବ୍ୟବସ୍ଥା କରାଯିବ।
ମୂଲ୍ୟାୟନ ପରେ ବିଭାଗକୁ ଦେବାକୁ ପଡ଼ିବ ଜବାବ
DMEOର ମୂଲ୍ୟାୟନ ରିପୋର୍ଟ ଆସିବା ପରେ ମଧ୍ୟ ପ୍ରକ୍ରିୟା ସରିବ ନାହିଁ। ରିପୋର୍ଟ ପାଇବାର ୩୦ ଦିନ ମଧ୍ୟରେ ସମ୍ପୃକ୍ତ ବିଭାଗକୁ Management Response ଦେବାକୁ ପଡ଼ିବ। କେଉଁ ସୁପାରିସ ଗ୍ରହଣ କରାଗଲା, କେଉଁଟି ଗ୍ରହଣ କରାଗଲା ନାହିଁ ଏବଂ ତାହାର କାରଣ କ’ଣ—ସବୁ ସ୍ପଷ୍ଟ କରିବାକୁ ହେବ। ଗ୍ରହଣ କରାଯାଇଥିବା ସୁପାରିସ ପାଇଁ ଦାୟୀ ଅଧିକାରୀ, କାର୍ଯ୍ୟ ସମୟସୀମା ଓ ଆବଶ୍ୟକ ଅର୍ଥ ବିଷୟରେ ମଧ୍ୟ ଜଣାଇବାକୁ ପଡ଼ିବ।
ପରବର୍ତ୍ତୀ ସମୟରେ ଏହି ସୁପାରିସ ଉପରେ ବିଭାଗଗୁଡ଼ିକ କେତେଦୂର କାମ କରିଛନ୍ତି, ତାହା DMEO ତ୍ରୈମାସିକ ଭିତ୍ତିରେ ଯାଞ୍ଚ କରିବ। ଲଗାତାର ଅନୁପାଳନ ନହେଲେ ମାମଲାକୁ ମୁଖ୍ୟ ଶାସନ ସଚିବଙ୍କ ନଜରକୁ ନିଆଯିବ।
ପ୍ରଥମ ବର୍ଷରେ ୧୮ କୋଟି
କମିଟିର ସୁପାରିସ ଅନୁଯାୟୀ, ନୂଆ DMEO ପାଇଁ ପ୍ରଥମ ବର୍ଷରେ ୧୮ କୋଟି ଟଙ୍କାର ପ୍ରାରମ୍ଭିକ ବଜେଟ୍ ରଖିବା ପ୍ରସ୍ତାବ ରହିଛି। ଏହାସହ ଡିଜି, ବିଶେଷଜ୍ଞ ଓ ଅନ୍ୟ କର୍ମଚାରୀଙ୍କୁ ନେଇ ପର୍ଯ୍ୟାୟକ୍ରମେ ସଂଗଠନକୁ ସୁଦୃଢ଼ କରାଯିବ।
ବର୍ତ୍ତମାନ ରହିଥିବା Evaluation Division, PHDMA ଓ Programme Performance and Outcome Monitoring Unit (PPOMU)କୁ ପ୍ରସ୍ତାବିତ DMEO ଢାଞ୍ଚାରେ ସାମିଲ କରିବାକୁ ମଧ୍ୟ ସୁପାରିସ ହୋଇଛି।
କମିଟିର ମତରେ, ବିକଶିତ ଓଡ଼ିଶାର ଲକ୍ଷ୍ୟ ହାସଲ ପାଇଁ କେବଳ ବଡ଼ ଯୋଜନା ଓ ଅଧିକ ବଜେଟ୍ ଯଥେଷ୍ଟ ନୁହେଁ। ସରକାରୀ ଖର୍ଚ୍ଚର ପ୍ରତିଟି ଟଙ୍କାରୁ କେତେ ପରିଣାମ ମିଳୁଛି, ତାହାର ନିରପେକ୍ଷ ହିସାବ ମଧ୍ୟ ଆବଶ୍ୟକ। ଏହି ଦାୟିତ୍ୱ ନେବା ପାଇଁ ହିଁ DMEOକୁ ଏକ ସ୍ଥାୟୀ ପ୍ରତିଷ୍ଠାନ ଭାବେ ଗଢ଼ିବାକୁ କମିଟି ଗୁରୁତ୍ୱ ଦେଇଛି।