ଖଣିଜ ବୋହିବାକୁ ସ୍ବତନ୍ତ୍ର ରେଳ-ରାସ୍ତା କରିଡର୍‌, ଲୋକଙ୍କ ପାଇଁ କେବେ ?

ତାଳଚେରରୁ କୋଇଡ଼ା, ରାୟଗଡ଼ାରୁ ଧାମରା ଯାଏ ଖଣିଜ ନିଷ୍କାସନ ପାଇଁ ନୂଆ ଭିତ୍ତିଭୂମି

ଭୁବନେଶ୍ୱର: ଓଡ଼ିଶାର ଖଣିଜ ସମ୍ପଦକୁ ଶୀଘ୍ର ନିଷ୍କାସନ ଓ ପରିବହନ ପାଇଁ ରେଳ ଓ ସଡ଼କ ଭିତ୍ତିଭୂମି ବିକାଶକୁ ସରକାର ବିଶେଷ ପ୍ରାଥମିକତା ଦେଉଛନ୍ତି। ତାଳଚେରର କୋଇଲାଠାରୁ କୋଇଡ଼ାର ଲୁହାପଥର, ଦକ୍ଷିଣ ଓଡ଼ିଶାର ବକ୍ସାଇଟ୍‌ଠାରୁ ଧାମରା ବନ୍ଦର ପର୍ଯ୍ୟନ୍ତ—ଖଣିଜ ପରିବହନ ପାଇଁ ରେଳ ଓ ସଡ଼କ ନେଟୱର୍କକୁ ସୁଦୃଢ଼ କରାଯାଉଛି। ଖଣି ମୁଣ୍ଡରୁ ଶିଳ୍ପାଞ୍ଚଳ ଓ ବନ୍ଦର ପର୍ଯ୍ୟନ୍ତ ଖଣିଜ ପରିବହନକୁ ଦ୍ରୁତ କରିବା ଏହି ଯୋଜନାର ମୁଖ୍ୟ ଲକ୍ଷ୍ୟ।

ତେବେ ପ୍ରଶ୍ନ ଉଠୁଛି—ଖଣିଜ ପରିବହନ ପାଇଁ ଯଦି ସ୍ୱତନ୍ତ୍ର କରିଡର୍‌ ହୋଇପାରୁଛି, ତେବେ ଖଣି ଅଞ୍ଚଳର ସାଧାରଣ ଲୋକଙ୍କ ଯାତାୟାତ, ସଡ଼କ ସୁରକ୍ଷା ଓ ମୌଳିକ ଭିତ୍ତିଭୂମିକୁ ସମାନ ପ୍ରାଥମିକତା କେବେ ମିଳିବ?

ରେଳପଥରେ ୪ ପ୍ରମୁଖ ପ୍ରକଳ୍ପ
୨୦୨୬ ଏପ୍ରିଲରେ Railway PPP Appraisal Committeeର ୧୪୪ତମ ବୈଠକରେ ରେଳ ମନ୍ତ୍ରଣାଳୟର ୬ଟି ପ୍ରକଳ୍ପ ପ୍ରସ୍ତାବ ଉପରେ ବିଚାର ହୋଇଥିଲା। ଏଥିରୁ ୪ଟି ପ୍ରକଳ୍ପ ଓଡ଼ିଶା ସହ ସିଧାସଳଖ ସମ୍ପୃକ୍ତ। ଏଥିରେ ବଳରାମ–ପୁଟଗଡ଼ିଆ–ତେନ୍ତୁଲୋଇ ୪୯.୫୮ କିମି ରେଳପଥ ଏବଂ ବୁଢ଼ାପଙ୍କ–ତେନ୍ତୁଲୋଇ–ଲୁବୁରୀ ୧୧୨.୫୬ କିମି ଆଉଟର୍‌ କରିଡର୍‌ ରହିଛି। ତାଳଚେର କୋଇଲା କ୍ଷେତ୍ରରୁ କୋଇଲା ନିଷ୍କାସନ କ୍ଷମତା ବଢ଼ାଇବାରେ ଏହି ଦୁଇ ପ୍ରକଳ୍ପର ଗୁରୁତ୍ୱ ରହିବ। ସେହିପରି ଟିକିରିରୁ ବକ୍ସାଇଟ୍‌ ଖଣି ଅଞ୍ଚଳ ପର୍ଯ୍ୟନ୍ତ ୪୮.୯୬ କିମି ରେଳପଥ ଏବଂ ଯାଜପୁର–କେନ୍ଦୁଝର ରୋଡ୍‌ରୁ ଯାଜପୁର ଓ ଆରାଡ଼ି ଦେଇ ଧାମରା ବନ୍ଦର ପର୍ଯ୍ୟନ୍ତ ୧୦୧.୨୬ କିମି ନୂଆ ରେଳପଥ ମଧ୍ୟ ଏହି ତାଲିକାରେ ରହିଛି।

ତାଳଚେରରେ କୋଇଲା ପାଇଁ ଇନର୍‌-ଆଉଟର୍‌ କରିଡର୍‌
ଖଣିଜ ପରିବହନ ପାଇଁ ତାଳଚେର ଅଞ୍ଚଳରେ ରେଳ କରିଡର୍‌ ବିକାଶ ଏହି ନୀତିର ଏକ ବଡ଼ ଉଦାହରଣ। ବଳରାମରୁ ପୁଟଗଡ଼ିଆ ଦେଇ ତେନ୍ତୁଲୋଇ ପର୍ଯ୍ୟନ୍ତ ରେଳ ସଂଯୋଗ ସହ ବୁଢ଼ାପଙ୍କ–ତେନ୍ତୁଲୋଇ–ଲୁବୁରୀ ଆଉଟର୍‌ କରିଡର୍‌କୁ ଯୋଡ଼ାଯାଉଛି। ତାଳଚେର କୋଇଲା କ୍ଷେତ୍ରରୁ ଅଧିକ କୋଇଲାକୁ ରେଳ ମାଧ୍ୟମରେ ନିଷ୍କାସନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ।

କୋଇଡ଼ାରେ ଡେଡିକେଟେଡ୍‌ ରୋଡ୍‌ କରିଡର୍‌
ରେଳ ସହ ସଡ଼କ ଭିତ୍ତିଭୂମିକୁ ମଧ୍ୟ ଖଣିଜ ନିଷ୍କାସନର ଅଂଶ କରାଯାଉଛି। ଏହାର ସଦ୍ୟତମ ଉଦାହରଣ ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ମାଇନିଂ କ୍ଲଷ୍ଟର।
କୋଇଡ଼ା ଖଣି ଅଞ୍ଚଳରୁ ଖଣିଜର ସୁରକ୍ଷିତ ଓ ସ୍ଥାୟୀ ନିଷ୍କାସନ ପାଇଁ ‘କୋଇଡ଼ା ରୋଡ୍‌ କରିଡର୍‌’ ବିକଶିତ କରିବାକୁ ସରକାରୀ ସ୍ତରରେ ନିଷ୍ପତ୍ତି ହୋଇଛି। ୨୩ ଜୁନ୍‌ ୨୦୨୬ରେ ଷ୍ଟିଲ୍‌ ଆଣ୍ଡ ମାଇନ୍ସ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଡେଡିକେଟେଡ୍‌ ରୋଡ୍‌ କନେକ୍ଟିଭିଟିର ଆବଶ୍ୟକତା ଉପରେ ନିଷ୍ପତ୍ତି ହୋଇଥିଲା।

ଏବେ ଏହି କରିଡର୍‌ର ସମ୍ଭାବ୍ୟ ଆଲାଇନ୍‌ମେଣ୍ଟ, ଆନୁମାନିକ ଖର୍ଚ୍ଚ ଓ ଅର୍ଥ ଯୋଗାଣ ବ୍ୟବସ୍ଥା ନିର୍ଦ୍ଧାରଣ ପାଇଁ ଫିଜିବିଲିଟି ଷ୍ଟଡି କରାଯିବ। ପ୍ରକଳ୍ପକୁ PPP କିମ୍ବା EPC ମାଧ୍ୟମରେ କାର୍ଯ୍ୟକାରୀ କରିବାର ସମ୍ଭାବନା ମଧ୍ୟ ଯାଞ୍ଚ କରାଯିବ।

ସୁନ୍ଦରଗଡ଼ ଜିଲ୍ଲାପାଳ, କୋଇଡ଼ାର ଖଣି ଅଧିକାରୀ ଓ ଅନ୍ୟ ସମ୍ପୃକ୍ତ ସଂସ୍ଥାଙ୍କ ସହ ପରାମର୍ଶ କରି ଏହି ରିପୋର୍ଟ ପ୍ରସ୍ତୁତ କରିବାକୁ କୁହାଯାଇଛି। ରାଉରକେଲା R&B ଡିଭିଜନ୍‌, କେନ୍ଦୁଝର R&B ସର୍କଲ୍‌ ଓ ଟାଟା ଷ୍ଟିଲ୍‌କୁ ମଧ୍ୟ ଏନେଇ ଅବଗତ କରାଯାଇଛି।

୬ ଖଣି ଅଞ୍ଚଳରେ ରାସ୍ତାକୁ ଗୁରୁତ୍ୱ
କୋଇଡ଼ା ସହ ରାୟଗଡ଼ା, କେନ୍ଦୁଝର, ବଡ଼ବିଲ, ସୁକିନ୍ଦା, କଳାହାଣ୍ଡି ଓ ତାଳଚେର ଭଳି ପ୍ରମୁଖ ଖଣି ଅଞ୍ଚଳରେ ମଧ୍ୟ ରାସ୍ତା ସଂଯୋଗକୁ ସୁଦୃଢ଼ କରିବା ଉପରେ ଫୋକସ୍‌ ରହିଛି। ଖଣିଜ ବୋଝେଇ ଭାରୀ ଯାନର ଚଳାଚଳକୁ ସହଜ କରିବା ପାଇଁ ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତୀକରଣକୁ ଗୁରୁତ୍ୱ ଦିଆଯାଉଛି।

ଖଣିରୁ ବନ୍ଦର, କିନ୍ତୁ ଲୋକଙ୍କ ପାଇଁ କ’ଣ?
ରେଳ ଓ ସଡ଼କ କରିଡର୍‌ ନିର୍ମାଣ ଦ୍ୱାରା ଖଣିଜ ନିଷ୍କାସନ ଓ ପରିବହନ ଦ୍ରୁତ ହେବା ସହ ଲଜିଷ୍ଟିକ୍ସ ଖର୍ଚ୍ଚ କମିବାର ସମ୍ଭାବନା ରହିଛି। ଭାରୀ ଯାନ ପାଇଁ ନିର୍ଦ୍ଦିଷ୍ଟ କରିଡର୍‌ ହେଲେ ସାଧାରଣ ରାସ୍ତା ଉପରେ ଚାପ ମଧ୍ୟ କମିପାରେ।

କିନ୍ତୁ ଯେଉଁ ଖଣି ଅଞ୍ଚଳରୁ ରାଜ୍ୟକୁ ବିପୁଳ ରାଜସ୍ୱ ମିଳୁଛି, ସେହି ଅଞ୍ଚଳର ଲୋକଙ୍କ ଯାତାୟାତ, ସଡ଼କ ସୁରକ୍ଷା ଓ ମୌଳିକ ସୁବିଧା କେତେ ପ୍ରାଥମିକତା ପାଉଛି, ତାହା ନେଇ ପ୍ରଶ୍ନ ରହିଛି।

ଖଣିଜ ବାହାର କରିବା ପାଇଁ ଡେଡିକେଟେଡ୍‌ ରେଳ ଓ ରୋଡ୍‌ କରିଡର୍‌ ଯୋଜନା ହେଉଛି। ଏବେ ଖଣି ଅଞ୍ଚଳର ଲୋକଙ୍କ ଜୀବନ, ଯାତାୟାତ ଓ ସୁରକ୍ଷା ପାଇଁ ସେହି ମାତ୍ରାର ପ୍ରାଥମିକତା କେବେ ମିଳିବ—ଏହା ହିଁ ବଡ଼ ପ୍ରଶ୍ନ।

Share

Leave a Reply

Your email address will not be published. Required fields are marked *