ଓଡ଼ିଶାରେ ଆସୁଛି ନୂଆ ପଥଚାରୀ ସୁରକ୍ଷା ନିୟମ

ସ୍କୁଲ୍‌ ଜୋନ୍‌ରେ ସର୍ବାଧିକ ବେଗ ୨୫ କିମି; ଫୁଟ୍‌ପାଥ୍‌ରେ ଗାଡ଼ି ରଖିଲେ କାର୍ଯ୍ୟାନୁଷ୍ଠାନ

ଜେବ୍ରା କ୍ରସିଂରେ ପଥଚାରୀଙ୍କୁ ମିଳିବ ପ୍ରାଥମିକତା; ରାସ୍ତା ନିର୍ମାଣ ତ୍ରୁଟି ପାଇଁ ଏଜେନ୍ସି ବି ଦାୟୀ

ପୁରୁଣା ରାସ୍ତାକୁ ୩ ବର୍ଷରେ ନୂଆ ମାନଦଣ୍ଡ ଅନୁରୂପ କରିବାକୁ ପ୍ରସ୍ତାବ

ଭୁବନେଶ୍ବର: ରାଜ୍ୟରେ ପଥଚାରୀଙ୍କ ସୁରକ୍ଷାକୁ ନେଇ ଏକ ସ୍ୱତନ୍ତ୍ର ନିୟମାବଳୀ ଆଣିବାକୁ ଯାଉଛନ୍ତି ସରକାର। ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ‘ଓଡ଼ିଶା ପଥଚାରୀ ସୁରକ୍ଷା ନିୟମ, ୨୦୨୬’ର ଚିଠା ପ୍ରକାଶ ପାଇଛି। ଚୂଡ଼ାନ୍ତ ନିୟମ ପ୍ରକାଶ ପୂର୍ବରୁ ଏହା ଉପରେ ୩୦ ଦିନ ମଧ୍ୟରେ ଆପତ୍ତି ଓ ପ୍ରସ୍ତାବ ଦାଖଲ କରାଯାଇପାରିବ। ମିଳିଥିବା ମତାମତ ବିଚାର କରି ନିୟମକୁ ଚୂଡ଼ାନ୍ତ କରାଯିବ।

ନୂଆ ନିୟମରେ ସ୍କୁଲ୍‌ ଜୋନ୍‌ରେ ଯାନବାହନର ବେଗ ନିୟନ୍ତ୍ରଣକୁ ଗୁରୁତ୍ୱ ଦିଆଯାଇଛି। ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବସତି ଅଞ୍ଚଳରେ ଥିବା ସ୍କୁଲ୍‌ ଜୋନ୍‌ରେ ସାଧାରଣତଃ ସର୍ବାଧିକ ବେଗ ୨୫ କିଲୋମିଟର ପ୍ରତି ଘଣ୍ଟା ରହିବ। ହାଇୱେ କିମ୍ବା ପ୍ରମୁଖ ଗ୍ରାମୀଣ ରାସ୍ତାରେ ସ୍କୁଲ୍‌ ଥିଲେ ଟ୍ରାଫିକ୍‌ ନିୟନ୍ତ୍ରଣ, ସତର୍କ ସୂଚନା ଓ ସୁରକ୍ଷିତ କ୍ରସିଂ ବ୍ୟବସ୍ଥା ସହ ବେଗ ସୀମା ୪୦ କିମି ପ୍ରତି ଘଣ୍ଟା ପର୍ଯ୍ୟନ୍ତ ରଖାଯାଇପାରିବ। ସ୍କୁଲ୍‌ ଓ ହସ୍ପିଟାଲ୍‌ ଜୋନ୍‌ରେ ଫୁଟ୍‌ପାଥ୍‌, ପଥଚାରୀ କ୍ରସିଂ, ସତର୍କ ସୂଚନା, ବେଗ ସୀମା ସୂଚକ ଏବଂ ଟ୍ରାଫିକ୍‌ କ୍ୟାଲ୍‌ମିଂ ବ୍ୟବସ୍ଥା ରହିବ।

ଫୁଟ୍‌ପାଥ୍‌ରେ ଗାଡ଼ି ରଖିଲେ କାର୍ଯ୍ୟାନୁଷ୍ଠାନ
ଫୁଟ୍‌ପାଥ୍‌ ଦଖଲ ଓ ଏହାର ଅନୁପଯୋଗକୁ ନେଇ ଚିଠା ନିୟମରେ କଡ଼ା ବ୍ୟବସ୍ଥା କରାଯାଇଛି। କୌଣସି ବ୍ୟକ୍ତି, ବ୍ୟବସାୟୀ, ଠିକାଦାର, ୟୁଟିଲିଟି ସଂସ୍ଥା କିମ୍ବା ଅନ୍ୟ କୌଣସି ସଂସ୍ଥା ଫୁଟ୍‌ପାଥ୍‌, ପଥଚାରୀ କ୍ରସିଂ, କର୍ବ୍‌ ରାମ୍ପ, ରିଫ୍ୟୁଜ୍‌ ଆଇଲାଣ୍ଡ୍‌ କିମ୍ବା ସାଇକେଲ୍‌ ଟ୍ରାକ୍‌ରେ ସାମଗ୍ରୀ, ନିର୍ମାଣ ଆବର୍ଜନା, ବିଜ୍ଞାପନ, କେବୁଲ୍‌ କିମ୍ବା ଅନ୍ୟ କୌଣସି ବାଧା ରଖିପାରିବେ ନାହିଁ। ନିର୍ଦ୍ଧାରିତ ସ୍ଥାନ ବ୍ୟତୀତ ଫୁଟ୍‌ପାଥ୍‌ରେ ଗାଡ଼ି ଚଳାଇବା, ପାର୍କିଂ କରିବା, ଅଟକାଇବା କିମ୍ବା ମରାମତି କରିବା ମଧ୍ୟ ନିଷିଦ୍ଧ ହେବ।

ନିୟମ ଉଲ୍ଲଂଘନ କଲେ ଗାଡ଼ିକୁ ହଟାଇବା କିମ୍ବା ଟୋ କରାଯିବା ସହ ଆଇନ ଅନୁଯାୟୀ ଜରିମାନା ଓ ଅନ୍ୟାନ୍ୟ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଦୋକାନୀ, ଭେଣ୍ଡର, ଠିକାଦାର କିମ୍ବା ଅନ୍ୟ ସଂସ୍ଥା ପକ୍ଷରୁ ଦଖଲ ହୋଇଥିଲେ ସେଗୁଡ଼ିକୁ ହଟାଇବା ସହ ସାମଗ୍ରୀ ଜବତ ଏବଂ ହଟାଇବା ବା ପୁନଃସ୍ଥାପନ ଖର୍ଚ୍ଚ ମଧ୍ୟ ଆଦାୟ କରାଯାଇପାରିବ।

ଜେବ୍ରା କ୍ରସିଂରେ ପଥଚାରୀଙ୍କୁ ପ୍ରାଥମିକତା
ଟ୍ରାଫିକ୍‌ ସିଗ୍‌ନାଲ୍‌ ନଥିବା କିମ୍ବା କାମ କରୁନଥିବା ସ୍ଥାନରେ ଚିହ୍ନିତ ପଥଚାରୀ କ୍ରସିଂ କିମ୍ବା ଇଣ୍ଟରସେକ୍ସନ୍‌ ଦେଇ ରାସ୍ତା ପାର୍‌ ହେଉଥିବା ପଥଚାରୀ ଓ ସାଇକେଲ୍‌ ଚାଳକଙ୍କୁ ଗାଡ଼ି ଚାଳକଙ୍କୁ ରାସ୍ତା ଛାଡ଼ିବାକୁ ହେବ। ପଥଚାରୀଙ୍କୁ ରାସ୍ତା ଦେବା ପାଇଁ ଗୋଟିଏ ଗାଡ଼ି ଅଟକିଥିଲେ, ତାହାକୁ ଅନ୍ୟ ଗାଡ଼ି ଓଭରଟେକ୍‌ କରିପାରିବ ନାହିଁ।

ସେହିପରି ସାଇକେଲ୍‌ କିମ୍ବା ଅନ୍ୟ ଅଣମୋଟରଚାଳିତ ଯାନକୁ ଓଭରଟେକ୍‌ କରିବା ସମୟରେ ଗାଡ଼ି ଚାଳକଙ୍କୁ ସାଧାରଣତଃ ଅତି କମ୍‌ ୧.୫ ମିଟର ଦୂରତା ରଖିବାକୁ ପଡ଼ିବ।

ନୂଆ ରାସ୍ତାରେ ଫୁଟ୍‌ପାଥ୍‌ ଅନିବାର୍ଯ୍ୟ
ସହରର ପ୍ରମୁଖ ରାସ୍ତା, ଅଧିକ ପଥଚାରୀ ଚଳାଚଳ ଥିବା କରିଡର୍‌, ବସତି ଅଞ୍ଚଳ ଦେଇ ଯାଇଥିବା ହାଇୱେ ଓ ପ୍ରମୁଖ ରାସ୍ତାର ଉଭୟ ପାର୍ଶ୍ୱରେ ନିରନ୍ତର ଫୁଟ୍‌ପାଥ୍‌ ନିର୍ମାଣକୁ ଗୁରୁତ୍ୱ ଦିଆଯିବ। ଫୁଟ୍‌ପାଥ୍‌ ସମତଳ, ଦୃଢ଼, ପିଛଳାମୁକ୍ତ, ଜଳ ନିଷ୍କାସନଯୋଗ୍ୟ ଏବଂ ଆଲୋକିତ ହେବା ସହ ଖୋଲା ଡ୍ରେନ୍‌, ଭଙ୍ଗା ସ୍ଲାବ୍‌ ଓ ଅନ୍ୟ ବାଧାମୁକ୍ତ ରହିବାକୁ ପଡ଼ିବ।

ନିର୍ମାଣ, ମରାମତି କିମ୍ବା ୟୁଟିଲିଟି କାମ ଚାଲିଥିବା ସମୟରେ ମଧ୍ୟ ଅତି କମ୍‌ ୧.୫ ମିଟର ଚଉଡ଼ା ଅସ୍ଥାୟୀ ପଥଚାରୀ ପଥ ଖୋଲା ରଖିବାକୁ ହେବ। ବ୍ୟାରିକେଡ୍‌, ସତର୍କ ସୂଚନା, ଆଲୋକ ଓ ଅନ୍ୟ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିବାକୁ ହେବ।

ରାସ୍ତା ତ୍ରୁଟି ପାଇଁ ଏଜେନ୍ସି ଦାୟୀ
ରାସ୍ତାର ଡିଜାଇନ୍‌, ନିର୍ମାଣ କିମ୍ବା ରକ୍ଷଣାବେକ୍ଷଣର ତ୍ରୁଟି ଯୋଗୁ ପଥଚାରୀଙ୍କ ମୃତ୍ୟୁ, ଅକ୍ଷମତା କିମ୍ବା ଗୁରୁତର ଆହତ ଘଟଣା ଘଟିଥିବା ତଦନ୍ତରେ ପ୍ରମାଣିତ ହେଲେ ସମ୍ପୃକ୍ତ ରାସ୍ତା ମାଲିକାନା ଏଜେନ୍ସି, ଠିକାଦାର କିମ୍ବା ପରାମର୍ଶଦାତାଙ୍କ ବିରୋଧରେ ଆଇନ ଓ ଚୁକ୍ତି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହୋଇପାରିବ। ଦେୟ ଅଟକାଇବା, କାମ ସୁଧାରିବାକୁ ନିର୍ଦ୍ଦେଶ, କ୍ଷତିପୂରଣ ଆଦାୟ, କାମ ସ୍ଥଗିତ କିମ୍ବା ଚୁକ୍ତି ବାତିଲ୍‌ ଭଳି ପଦକ୍ଷେପ ମଧ୍ୟ ନିଆଯାଇପାରିବ।

୩ ବର୍ଷରେ ପୁରୁଣା ରାସ୍ତାର ନବୀକରଣ
ଚୂଡ଼ାନ୍ତ ନିୟମ ପ୍ରକାଶ ପରେ ପୁରୁଣା ରାସ୍ତାଗୁଡ଼ିକୁ ମଧ୍ୟ ପର୍ଯ୍ୟାୟକ୍ରମେ ନୂଆ ମାନଦଣ୍ଡ ଅନୁରୂପ କରିବାକୁ ପ୍ରସ୍ତାବ ରହିଛି। ଏଥିପାଇଁ ତିନି ବର୍ଷ ସମୟସୀମା ରଖାଯାଇଛି। ପଥଚାରୀ ମୃତ୍ୟୁ କିମ୍ବା ଆହତ ଘଟଣା ଘଟିଥିବା ସ୍ଥାନ, ସ୍କୁଲ୍‌ ଜୋନ୍‌, ହସ୍ପିଟାଲ୍‌, ବଜାର, ଟ୍ରାଞ୍ଜିଟ୍‌ ଅଞ୍ଚଳ ଓ ବ୍ଲାକ୍‌ ସ୍ପଟ୍‌ଗୁଡ଼ିକୁ ପ୍ରାଥମିକତା ଦିଆଯିବ।

୩୦ ଦିନରେ ଅଭିଯୋଗର ସମାଧାନ
ଫୁଟ୍‌ପାଥ୍‌ ଦଖଲ, ଅସୁରକ୍ଷିତ କ୍ରସିଂ, ଆଲୋକ ଅଭାବ, ରକ୍ଷଣାବେକ୍ଷଣ ତ୍ରୁଟି କିମ୍ବା ବସ୍‌ଷ୍ଟପ୍‌ର ଅସୁରକ୍ଷିତ ବ୍ୟବସ୍ଥା ନେଇ ଅନଲାଇନ୍‌ କିମ୍ବା ମୋବାଇଲ୍‌ ମାଧ୍ୟମରେ ଅଭିଯୋଗ କରାଯାଇପାରିବ। ଅଭିଯୋଗ ପାଇବାର ୩୦ ଦିନ ମଧ୍ୟରେ ସମ୍ପୃକ୍ତ ଏଜେନ୍ସିକୁ ତାହାର ସମାଧାନ କରି କାର୍ଯ୍ୟାନୁଷ୍ଠାନର ବିବରଣୀ ଦେବାକୁ ହେବ।

ଏହା ସହ ପଥଚାରୀ ସୁରକ୍ଷା ନେଇ ଟ୍ରାଫିକ୍‌ ପୁଲିସ, ପରିବହନ ବିଭାଗ, ପୌରସଂସ୍ଥା ଓ ଅନ୍ୟ ସମ୍ପୃକ୍ତ ଏଜେନ୍ସି ନିୟମିତ ଯାଞ୍ଚ ଓ ଏନ୍‌ଫୋର୍ସମେଣ୍ଟ କରିବେ। ଫୁଟ୍‌ପାଥ୍‌ରେ ଗାଡ଼ି ଚଳାଚଳ କିମ୍ବା ପାର୍କିଂ, ଦଖଲ ହଟାଇବା, ସ୍କୁଲ୍‌ ଓ ହସ୍ପିଟାଲ୍‌ ଜୋନ୍‌ରେ ବେଗ ସୀମା ଲାଗୁ କରିବା ଏବଂ ପଥଚାରୀଙ୍କ ‘ରାଇଟ୍‌ ଅଫ୍‌ ୱେ’ ସୁନିଶ୍ଚିତ କରିବା ଉପରେ ନଜର ରହିବ। CCTV, ANPR ଓ ସ୍ପିଡ୍‌ କ୍ୟାମେରା ଭଳି ପ୍ରଯୁକ୍ତିରେ ମଧ୍ୟ ଏନ୍‌ଫୋର୍ସମେଣ୍ଟ କରାଯାଇପାରିବ।

Share

Leave a Reply

Your email address will not be published. Required fields are marked *