ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତାରେ ୨ ଲକ୍ଷ, ଗୁରୁତର ଦୁର୍ଘଟଣାରେ ୩୦ ହଜାର ପର୍ଯ୍ୟନ୍ତ ସହାୟତା
୨୪ ଘଣ୍ଟା ମଧ୍ୟରେ ଅନୁଗ୍ରହ ରାଶି ଦେବାକୁ ନିର୍ଦ୍ଦେଶ; ମା’ଙ୍କୁ ପ୍ରଥମ ଅଧିକାର
ଭୁବନେଶ୍ବର: ବିଦ୍ୟାଳୟରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ଦୁର୍ଘଟଣାଜନିତ ମୃତ୍ୟୁ, ସ୍ଥାୟୀ ଅକ୍ଷମତା ଓ ଗୁରୁତର ଆହତ ଘଟଣାରେ ତୁରନ୍ତ ଆର୍ଥିକ ସହାୟତା ଯୋଗାଇବା ପାଇଁ ଓଡ଼ିଶା ସରକାର ନୂଆ ବ୍ୟବସ୍ଥା ଲାଗୁ କରିଛନ୍ତି। ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ନୂଆ ନୋଟିଫିକେସନ ଅନୁଯାୟୀ, ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ହେଲେ ୨ ଲକ୍ଷ ଟଙ୍କାର ଅନୁଗ୍ରହ ସହାୟତା ପ୍ରଦାନ କରାଯିବ। ଏହା ସହିତ ଗୁରୁତର ଦୁର୍ଘଟଣାରେ ଉନ୍ନତ ଚିକିତ୍ସା ପାଇଁ ଜିଲ୍ଲା ବାହାରକୁ ସ୍ଥାନାନ୍ତର କରାଗଲେ ଯାତାୟାତ ଓ ଆନୁଷଙ୍ଗିକ ଖର୍ଚ୍ଚ ବାବଦରେ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ।
ସରକାରଙ୍କ ଏହି ନୂଆ ଯୋଜନାର ନାମ ‘ଏକ୍ସ-ଗ୍ରାଟିଆ ଫଣ୍ଡରୁ ଛାତ୍ରଛାତ୍ରୀଙ୍କୁ ଅନୁଗ୍ରହ ସହାୟତା ପ୍ରଦାନ’ ରଖାଯାଇଛି। ବିଭାଗ ତରଫରୁ ଏନେଇ ବିସ୍ତୃତ ମାର୍ଗଦର୍ଶିକା ଜାରି ହୋଇଛି। ଏହା ପୂର୍ବରୁ ୨୦୧୫ ମାର୍ଚ୍ଚ ୨୫ରେ ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାବଳୀକୁ ବଦଳାଇ ନୂଆ ବ୍ୟବସ୍ଥା କରାଯାଇଛି।
କେଉଁ ଛାତ୍ରଛାତ୍ରୀ ପାଇବେ ସହାୟତା?
ଶିଶୁ ବାଟିକାଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଏହି ଯୋଜନାର ଅନ୍ତର୍ଭୁକ୍ତ ହେବେ। ସରକାରୀ ବିଦ୍ୟାଳୟ, ସରକାରୀ ସହାୟତାପ୍ରାପ୍ତ ବିଦ୍ୟାଳୟ ସହିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (OAVs) ଓ ଓଡ଼ିଶା ମାଇନିଂ ଆଦର୍ଶ ବିଦ୍ୟାଳୟ (OMAVs)ରେ ପଢ଼ୁଥିବା ଛାତ୍ରଛାତ୍ରୀ ମଧ୍ୟ ଏଥିରେ ସାମିଲ ହେବେ।
ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତାରେ ୨ ଲକ୍ଷ
ବିଦ୍ୟାଳୟକୁ ଯିବା କିମ୍ବା ବିଦ୍ୟାଳୟରୁ ଘରକୁ ଫେରିବା ସମୟରେ ସଡ଼କ ଦୁର୍ଘଟଣା, ବିଦ୍ୟାଳୟ ପରିସର ମଧ୍ୟରେ ଘଟିଥିବା ଦୁର୍ଘଟଣା, ମଧ୍ୟାହ୍ନ ଭୋଜନ ଖାଇବା ଯୋଗୁଁ ଖାଦ୍ୟ ବିଷାକ୍ତତା କିମ୍ବା ବିଦ୍ୟାଳୟ ସମ୍ପର୍କିତ ଯେକୌଣସି କାର୍ଯ୍ୟକଳାପ ସମୟରେ ଘଟିଥିବା ଦୁର୍ଘଟଣାରେ ଛାତ୍ରଛାତ୍ରୀଙ୍କ ମୃତ୍ୟୁ ହେଲେ ୨ ଲକ୍ଷ ଟଙ୍କା ଅନୁଗ୍ରହ ସହାୟତା ମିଳିବ।
ସମାନ ଭାବେ, ଏଭଳି ଘଟଣାରେ ଛାତ୍ରଛାତ୍ରୀ ସ୍ଥାୟୀ ଅକ୍ଷମତାର ଶିକାର ହେଲେ ମଧ୍ୟ ୨ ଲକ୍ଷ ଟଙ୍କାର ସହାୟତା ଦିଆଯିବ।
ଜିଲ୍ଲା ବାହାରେ ଚିକିତ୍ସା ପାଇଁ ୩୦ ହଜାର
କୌଣସି ଛାତ୍ରଛାତ୍ରୀ ଗୁରୁତର ଦୁର୍ଘଟଣାର ଶିକାର ହୋଇ ଜିଲ୍ଲା ବାହାରେ ଥିବା ଉନ୍ନତ ହସ୍ପିଟାଲ କିମ୍ବା ମେଡିକାଲ କଲେଜକୁ ସ୍ଥାନାନ୍ତର ହେବା ଆବଶ୍ୟକ ହେଲେ, ତାଙ୍କ ଯାତାୟାତ ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ।
ଏହା ବ୍ୟତୀତ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଁ ଛାତ୍ରଛାତ୍ରୀଙ୍କୁ କୌଣସି ଚିକିତ୍ସା ଶୁଳ୍କ ଦେବାକୁ ପଡ଼ିବ ନାହିଁ। ଆୟୁଷ୍ମାନ ଭାରତ, ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ (CMRF), ରେଡ୍କ୍ରସ୍ କିମ୍ବା ଅନ୍ୟ ପ୍ରଚଳିତ ସରକାରୀ ଯୋଜନା ଅନୁସାରେ ମିଳୁଥିବା ଚିକିତ୍ସା ସହାୟତା ମଧ୍ୟ ଏହି ବ୍ୟବସ୍ଥାର ବାହାରେ ଜାରି ରହିବ।
୩ ଦିନରୁ ଅଧିକ ଚିକିତ୍ସାରେ ୧୦ ହଜାର
କୌଣସି ଦୁର୍ଘଟଣାରେ ଛାତ୍ରଛାତ୍ରୀ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ଭର୍ତ୍ତି ହୋଇ ୩ ଦିନରୁ ଅଧିକ ସମୟ ଚିକିତ୍ସିତ ହେଲେ, ଯାତାୟାତ ଓ ଆନୁଷଙ୍ଗିକ ଖର୍ଚ୍ଚ ପାଇଁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ। ସରକାରୀ ହସ୍ପିଟାଲରେ ଚିକିତ୍ସା ଏ କ୍ଷେତ୍ରରେ ମଧ୍ୟ ନିଶୁଳ୍କ ରହିବ।
ଅନୁଗ୍ରହ ରାଶି ପ୍ରଦାନର ପ୍ରକ୍ରିୟା
ଦୁର୍ଘଟଣା ଘଟିବା ପରେ ସହାୟତା ପ୍ରଦାନ ପ୍ରକ୍ରିୟାରେ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ/ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିବ। ସେମାନେ ଛାତ୍ରଛାତ୍ରୀଙ୍କ ଅନୁଗ୍ରହ ସହାୟତା ପାଇଁ ପ୍ରସ୍ତାବ ପ୍ରସ୍ତୁତ କରିବେ। ପରେ ଏହା ବ୍ଲକ ଶିକ୍ଷାଧିକାରୀ (BEO)ଙ୍କ ମାଧ୍ୟମରେ ଜିଲ୍ଲା ଶିକ୍ଷାଧିକାରୀ (DEO)ଙ୍କ ନିକଟକୁ ପଠାଯିବ।
DEOଙ୍କ ସୁପାରିସ ଓ ବିସ୍ତୃତ ତଦନ୍ତ ରିପୋର୍ଟ ଆଧାରରେ ଜିଲ୍ଲାପାଳ ମାମଲାର ସତ୍ୟତା ଯାଞ୍ଚ କରି ଅନୁଗ୍ରହ ରାଶି ମଞ୍ଜୁର କରିବେ। ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ମାମଲାରେ ଯୋଗ୍ୟ ବ୍ୟକ୍ତିଙ୍କ ନାମ ଓ ଠିକଣା ମଧ୍ୟ ଅନୁମୋଦନ ସମୟରେ ଉଲ୍ଲେଖ କରାଯିବ।
୨୪ ଘଣ୍ଟା ମଧ୍ୟରେ ଟଙ୍କା ଦେବାକୁ ନିର୍ଦ୍ଦେଶ
ସରକାରଙ୍କ ନୂଆ ନିର୍ଦ୍ଦେଶାବଳୀର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରାବଧାନ ହେଉଛି ଦୁର୍ଘଟଣା ଘଟିବାର ୨୪ ଘଣ୍ଟା ମଧ୍ୟରେ ଅନୁଗ୍ରହ ରାଶି ପ୍ରଦାନ କରିବା। ଜିଲ୍ଲାପାଳଙ୍କ ଅନୁମୋଦନ ପରେ ଉପଲବ୍ଧ ପାଣ୍ଠିରୁ ରାଶି ଛାଡ଼ିବାକୁ କୁହାଯାଇଛି। ପରେ ଆବଶ୍ୟକ ଦସ୍ତାବିଜ ଦାଖଲ କରାଯାଇ ପାଣ୍ଠିର ପୁନରୁଦ୍ଧାର ପ୍ରକ୍ରିୟା କରାଯିବ।
ଜିଲ୍ଲା ଶିକ୍ଷାଧିକାରୀ ଉପଲବ୍ଧ ପାଣ୍ଠିରୁ ଅନୁଗ୍ରହ ରାଶି ମଞ୍ଜୁର କରି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ଆକାଉଣ୍ଟ ଟ୍ରାନ୍ସଫର ମାଧ୍ୟମରେ ଅର୍ଥ ପଠାଇବେ।
ମୃତ୍ୟୁ ମାମଲାରେ କାହାକୁ ମିଳିବ ଟଙ୍କା?
ମୃତ ଛାତ୍ରଛାତ୍ରୀଙ୍କ ଅନୁଗ୍ରହ ରାଶି ପ୍ରଦାନରେ ଅଭିଭାବକଙ୍କ ପାଇଁ ସ୍ପଷ୍ଟ ପ୍ରାଥମିକତା ଧାର୍ଯ୍ୟ କରାଯାଇଛି।
ପ୍ରଥମେ ଛାତ୍ରଙ୍କ ମା’ଙ୍କୁ, ମା’ ବଞ୍ଚି ନଥିଲେ ବାପାଙ୍କୁ ରାଶି ପ୍ରଦାନ କରାଯିବ। ଉଭୟ ଅଭିଭାବକ ବଞ୍ଚି ନଥିଲେ ଜିଲ୍ଲାପାଳଙ୍କ ଦ୍ୱାରା ଚିହ୍ନଟ ଅଭିଭାବକଙ୍କୁ ଏହି ରାଶି ଦିଆଯିବ।
କେଉଁ ଦସ୍ତାବିଜ ଆବଶ୍ୟକ?
ମୃତ୍ୟୁ କିମ୍ବା ସ୍ଥାୟୀ ଅକ୍ଷମତା ମାମଲାରେ ପ୍ରସ୍ତାବ ସହିତ ଏଫ୍ଆଇଆର୍, ଡିଇଓଙ୍କ ତଦନ୍ତ ରିପୋର୍ଟ ଏବଂ ଅକ୍ଷମତା କ୍ଷେତ୍ରରେ ସିଡିଏମ୍ଓଙ୍କ ରିପୋର୍ଟ ଦାଖଲ କରିବାକୁ ହେବ। ଜିଲ୍ଲା ବାହାରକୁ ସ୍ଥାନାନ୍ତର ମାମଲାରେ ବିଇଓ/ଡିଇଓଙ୍କ ରିପୋର୍ଟ ସହ ମୁଖ୍ୟ ଚିକିତ୍ସାଧିକାରୀଙ୍କ ସୁପାରିସ ଆବଶ୍ୟକ। ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲରେ ୩ ଦିନରୁ ଅଧିକ ଚିକିତ୍ସା ମାମଲାରେ ବିଇଓ/ଡିଇଓଙ୍କ ରିପୋର୍ଟ ଓ ମେଡିକାଲ ଅଫିସରଙ୍କ ସୁପାରିସ ଦାଖଲ କରାଯିବ।
ବିପର୍ଯ୍ୟୟ ମାମଲାରେ ଅଲଗା ବ୍ୟବସ୍ଥା
କୌଣସି ଛାତ୍ରଛାତ୍ରୀଙ୍କ ମୃତ୍ୟୁ ପ୍ରାକୃତିକ ବିପର୍ଯ୍ୟୟ କିମ୍ବା ସ୍ପେଶାଲ ରିଲିଫ୍ କମିଶନରଙ୍କ ପ୍ରଚଳିତ ନିୟମ ଅଧୀନରେ ଆସୁଥିଲେ, ଏହି ଯୋଜନାର ରାଶି ବଦଳରେ ପ୍ରଚଳିତ ନିୟମ ଅନୁଯାୟୀ ଅଧିକ ଅନୁଗ୍ରହ ସହାୟତା ମିଳିପାରିବ।
ସେହିପରି, ଗୁରୁତର ଦୁର୍ଘଟଣା ମାମଲାରେ ଯାତାୟାତ ଓ ଆନୁଷଙ୍ଗିକ ଖର୍ଚ୍ଚ ବିଇଓଙ୍କ ଅନୁମୋଦନ ଅନୁଯାୟୀ ଉପଲବ୍ଧ ପାଣ୍ଠିରୁ ଭରଣ କରାଯିବ। ଏହାର ବ୍ୟୟ ଅନୁମୋଦନ ଓ ପୁନରୁଦ୍ଧାର ପାଇଁ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାଧ୍ୟମରେ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷାଙ୍କ ନିକଟକୁ ପଠାଯିବ।
ଜିଲ୍ଲାପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ
ଏହି ଯୋଜନାକୁ ପ୍ରଭାବଶାଳୀ ଭାବେ ଲାଗୁ କରିବା ଓ ଏହାର ତଦାରଖ ଦାୟିତ୍ୱ ନିର୍ଦ୍ଦେଶକ, ମାଧ୍ୟମିକ ଶିକ୍ଷାଙ୍କ ଉପରେ ରହିବ। ସେ ବ୍ୟବସ୍ଥାର ସମୀକ୍ଷା କରି ପ୍ରତିବର୍ଷ ସ୍କୁଲ ଓ ଗଣଶିକ୍ଷା ବିଭାଗକୁ ରିପୋର୍ଟ ଦେବେ। ଅନୁଗ୍ରହ ସହାୟତା ସମ୍ପର୍କିତ କୌଣସି ବିବାଦ ଉପୁଜିଲେ ସମ୍ପୃକ୍ତ ଜିଲ୍ଲାପାଳଙ୍କ ନିଷ୍ପତ୍ତି ଚୂଡ଼ାନ୍ତ ବୋଲି ନୋଟିଫିକେସନରେ ସ୍ପଷ୍ଟ କରାଯାଇଛି।
କେଉଁ ପାଣ୍ଠିରୁ ଖର୍ଚ୍ଚ ହେବ?
ଏହି ଯୋଜନା ପାଇଁ ଆବଶ୍ୟକ ଅର୍ଥ ସ୍କୁଲ ଓ ଗଣଶିକ୍ଷା ବିଭାଗର ଉପଲବ୍ଧ ଅନୁଦାନରୁ ଭରଣ କରାଯିବ। ଏଥିପାଇଁ ‘ଡିମାଣ୍ଡ ନମ୍ବର-୧୦-୨୦୨୨, ଜେନେରାଲ ଏଡୁକେସନ, ପ୍ଲାନ-୦୨, ସେକେଣ୍ଡାରୀ ଏଡୁକେସନ-୮୦୦, ଅଦର ଏକ୍ସପେଣ୍ଡିଚର-୨୭୯୨’ ଅଧୀନରେ ଏକ୍ସ-ଗ୍ରାଟିଆ ଆଣ୍ଡ କମ୍ପେନସେସନ ବ୍ୟବସ୍ଥାରୁ ଅର୍ଥ ଖର୍ଚ୍ଚ କରାଯିବ।
ସରକାରଙ୍କ ଏହି ନୂଆ ବ୍ୟବସ୍ଥାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୁର୍ଘଟଣାର ଶିକାର ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରକୁ ଜରୁରୀ ସମୟରେ ଶୀଘ୍ର ଆର୍ଥିକ ସହାୟତା ଯୋଗାଇବା। ବିଶେଷକରି ୨୪ ଘଣ୍ଟା ମଧ୍ୟରେ ଅନୁଗ୍ରହ ରାଶି ପ୍ରଦାନ ବ୍ୟବସ୍ଥା ଦୁର୍ଘଟଣା ପରବର୍ତ୍ତୀ ସଙ୍କଟ ସମୟରେ ପରିବାରଗୁଡ଼ିକୁ ତୁରନ୍ତ ସହାୟତା ଦେବାରେ ଗୁରୁତ୍ୱପୂର୍ଣ୍ଣ ହେବ।