ଖଣିଜ ପରିବହନ ପାଇଁ ରାସ୍ତା ସଜାଡ଼ିବେ ସରକାର:୬ କରିଡ଼ରରେ ଭିତ୍ତିଭୂମି ବିକାଶକୁ ଫୋକସ୍

ରାୟଗଡ଼ାରୁ ତାଳଚେର ଯାଏ ଖଣିଜ ପରିବହନକୁ ସୁଗମ କରିବାକୁ ରାସ୍ତା ପ୍ରଶସ୍ତୀକରଣ

ଖଣିଜ ନିର୍ଗମନ ବଢ଼ାଇବା ଉପରେ ସରକାରଙ୍କ ଜୋର

ଭୁବନେଶ୍ୱର: ରାଜ୍ୟରୁ ବ୍ୟାପକ ଭାବେ ଖଣିଜ ଉତ୍ତୋଳନ ହେଉଥିବାବେଳେ ଖଣିଜ ପରିବହନ ପାଇଁ ଆବଶ୍ୟକ ସଡ଼କ ଭିତ୍ତିଭୂମି ଏବେ ବି ଦୁର୍ବଳ। ଖଣିଜ ବୋଝେଇ ଯାନବାହନର ସୁଗମ ଚଳାଚଳ ପାଇଁ ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତୀକରଣକୁ ଏବେ ପ୍ରାଥମିକତା ଦେବାକୁ ପୂର୍ତ୍ତ ବିଭାଗକୁ କୁହାଯାଇଛି। ପୂର୍ତ୍ତ ବିଭାଗର ଏହି ଚିଠି ଖଣିଜ ନିର୍ଗମନ ପାଇଁ ଦୀର୍ଘଦିନ ଧରି ରହିଥିବା ଭିତ୍ତିଭୂମି ସମସ୍ୟାକୁ ପରୋକ୍ଷରେ ସାମ୍ନାକୁ ଆଣିଛି।

ଉନ୍ନୟନ କମିଶନର-ତଥା-ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଜୁଲାଇ ୯, ୧୩, ୨୧ ଓ ୩୦ ତାରିଖରେ ହୋଇଥିବା ସମୀକ୍ଷା ବୈଠକ ପରେ ଏହି ନିର୍ଦ୍ଦେଶ ଜାରି ହୋଇଛି। ରାୟଗଡ଼ା, କେନ୍ଦୁଝର, ବଡ଼ବିଲ, ସୁକିନ୍ଦା, କଳାହାଣ୍ଡି ଓ ତାଳଚେର ଭଳି ପ୍ରମୁଖ ଖଣି ଅଞ୍ଚଳରେ ଖଣିଜ ନିର୍ଗମନ ପାଇଁ ସଡ଼କ ସଂଯୋଗ ସୁଦୃଢ଼ କରିବା ସହ ଏହି ଖଣି କରିଡରଗୁଡ଼ିକରେ ରାସ୍ତା ପ୍ରଶସ୍ତୀକରଣ ଓ ଉନ୍ନତୀକରଣକୁ ଜୋର ଦେବାକୁ କୁହାଯାଇଛି।

ପ୍ରଶ୍ନ ଉଠୁଛି, ରାଜ୍ୟର ପ୍ରମୁଖ ଖଣି ଅଞ୍ଚଳଗୁଡ଼ିକରୁ ବର୍ଷ ବର୍ଷ ଧରି ଖଣିଜ ସମ୍ପଦ ବାହାରୁଥିବା ସତ୍ତ୍ୱେ ଖଣିଜ ପରିବହନ ପାଇଁ ଆବଶ୍ୟକ ରାସ୍ତା ଭିତ୍ତିଭୂମି ଏବେ କାହିଁକି ସରକାରଙ୍କ ପ୍ରାଥମିକତା ହେଲା? ଖଣିଜ ନିର୍ଗମନ ବଢ଼ାଇବା ଓ ଖଣି କାର୍ଯ୍ୟକଳାପକୁ ସହାୟତା କରିବା ଉପରେ ଚିଠିରେ ସ୍ପଷ୍ଟ ଜୋର ଦିଆଯାଇଥିବାବେଳେ ଖଣି ପ୍ରଭାବିତ ଅଞ୍ଚଳର ସାଧାରଣ ଲୋକଙ୍କ ଯାତାୟାତ ସମସ୍ୟା, ସଡ଼କ ସୁରକ୍ଷା ଓ ଅନ୍ୟାନ୍ୟ ମୌଳିକ ଆବଶ୍ୟକତା ସମ୍ପର୍କରେ କିନ୍ତୁ ଚିଠିରେ କୌଣସି ସ୍ପଷ୍ଟ ଉଲ୍ଲେଖ ନାହିଁ।

ଆହୁରି ଚର୍ଚ୍ଚାର ବିଷୟ ହେଉଛି, ସରକାର ଏହି ଛଅ ଅଞ୍ଚଳକୁ ଖଣିଜ ନିର୍ଗମନ ପାଇଁ ଗୁରୁତ୍ୱ ଦେଇଥିଲେ ମଧ୍ୟ କେଉଁ ରାସ୍ତାର ଅବସ୍ଥା ଖରାପ, କେଉଁ ରାସ୍ତା କେତେ କିଲୋମିଟର ପ୍ରଶସ୍ତ ହେବ, କେଉଁଠି ନୂଆ ରାସ୍ତା ନିର୍ମାଣ ହେବ ଏବଂ ଏଥିପାଇଁ କେତେ ଟଙ୍କା ବ୍ୟୟ ହେବ—ସେ ସମ୍ପର୍କରେ ଚିଠିରେ କୌଣସି ସ୍ପଷ୍ଟ ରୋଡ୍‌ମ୍ୟାପ୍‌ ନାହିଁ। ଏପରିକି ଏହି କାମ କେବେ ସୁଦ୍ଧା ସରିବ, ସେ ନେଇ ମଧ୍ୟ କୌଣସି ସମୟସୀମା ଧାର୍ଯ୍ୟ କରାଯାଇନାହିଁ।

ଏହା ବଦଳରେ ସମ୍ପୃକ୍ତ ବିଭାଗଗୁଡ଼ିକଠାରୁ ବକେୟା ସମସ୍ୟାର ତାଲିକା ଓ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପର ଆକ୍ସନ୍‌ ଟେକେନ୍‌ ରିପୋର୍ଟ (ଏଟିଆର୍‌) ମଗାଯାଇଛି। ଅର୍ଥାତ୍‌, ସମସ୍ୟା ଚିହ୍ନଟ ଓ ରିପୋର୍ଟ ଦେବାର ପ୍ରକ୍ରିୟା ଏବେ ବି ଚାଲିଛି।

ସରକାରୀ ଚିଠିରେ ଖଣିଜ ନିର୍ଗମନର ଦକ୍ଷତା ବଢ଼ାଇବା ଓ ଖଣି କାର୍ଯ୍ୟକଳାପକୁ ସହାୟତା କରିବାର କଥା ସ୍ପଷ୍ଟ ଭାବେ ଉଲ୍ଲେଖ ରହିଛି। ହେଲେ ଖଣିଜ ସମ୍ପଦରୁ ରାଜସ୍ୱ ଆଦାୟ କରୁଥିବା ରାଜ୍ୟରେ ଖଣି ଅଞ୍ଚଳର ଲୋକେ ଯେଉଁ ରାସ୍ତା, ଧୂଳି, ଭାରୀ ଯାନ ଚଳାଚଳ ଓ ଯାତାୟାତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେଗୁଡ଼ିକର ସମାଧାନକୁ ସମାନ ଗୁରୁତ୍ୱ ଦିଆଯାଇଛି କି ନାହିଁ, ତାହା ନେଇ ପ୍ରଶ୍ନ ରହିଛି।

ଖଣିଜ ପରିବହନ ପାଇଁ ରାସ୍ତା ଉନ୍ନତୀକରଣ ଆବଶ୍ୟକ। କିନ୍ତୁ ଏହି ଉନ୍ନତୀକରଣର ଲାଭ କେବଳ ଖଣିଜ ବୋଝେଇ ଟ୍ରକ୍‌ ଓ ଖଣି କାର୍ଯ୍ୟକଳାପରେ ସୀମିତ ନ ରହି ଖଣି ପ୍ରଭାବିତ ଅଞ୍ଚଳର ସାଧାରଣ ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବା ଆବଶ୍ୟକ। ନଚେତ୍‌ ଖଣିଜ ନିର୍ଗମନକୁ ଦ୍ରୁତ କରିବା ପାଇଁ ରାସ୍ତା ସୁଧୁରିବ, କିନ୍ତୁ ଖଣି ଅଞ୍ଚଳର ଲୋକଙ୍କ ଦୁର୍ଦ୍ଦଶା ସେହିଭଳି ରହିଯିବାର ଆଶଙ୍କା ରହିବ।

Share

Leave a Reply

Your email address will not be published. Required fields are marked *