ଏମ୍ଏମ୍ଡିଆର୍ରୁ କୋଇଲା ରୟାଲ୍ଟି, ମହାନଦୀରୁ କେନ୍ଦ୍ରୀୟ ଅନୁଦାନ;ରାଜ୍ୟ ସ୍ବାର୍ଥ ପ୍ରସଙ୍ଗରେ ରାଜ୍ୟ ବିଜେପିର ଭୂମିକାକୁ ନେଇ ଉଠିଲା ପ୍ରଶ୍ନ
ଭୁବନେଶ୍ୱର: କେନ୍ଦ୍ର ଓ ରାଜ୍ୟରେ ଗୋଟିଏ ଦଳର ସରକାର। ଲୋକସଭାରେ ଓଡ଼ିଶାର ୨୧ଟି ଆସନରୁ ୨୦ଟିରେ ବିଜେପିର ବିଜୟ। ରାଜ୍ୟରେ ବିଜେପି ସରକାର। ନିର୍ବାଚନ ପୂର୍ବରୁ ‘ଡବଲ୍ ଇଞ୍ଜିନ୍’ ସରକାରର ସବୁଠାରୁ ବଡ଼ ଯୁକ୍ତି ଥିଲା—ଦିଲ୍ଲୀ ଓ ଭୁବନେଶ୍ୱର ମଧ୍ୟରେ ସମନ୍ବୟ ରହିଲେ ଓଡ଼ିଶାର ବିକାଶ ତ୍ବରାନ୍ବିତ ହେବ। କିନ୍ତୁ ଏବେ ଓଡ଼ିଶାର ସ୍ବାର୍ଥ ସହ ଜଡ଼ିତ ଏକାଧିକ ପ୍ରସଙ୍ଗ ଏହି ‘ଡବଲ୍ ଇଞ୍ଜିନ୍’ ରାଜନୀତିର ଅନ୍ୟ ଏକ ଦିଗକୁ ନେଇ ପ୍ରଶ୍ନ ଉଠାଇଛି। କେନ୍ଦ୍ରର କୌଣସି ନୀତି କିମ୍ବା ନିଷ୍ପତ୍ତି ନେଇ ଓଡ଼ିଶାର ଦାବି ରହିଲେ, ଦିଲ୍ଲୀରେ ରାଜ୍ୟ ବିଜେପି ନେତୃତ୍ବର ସ୍ବର କେତେ ଜୋରଦାର—ତାହା ଏବେ ରାଜନୈତିକ ଚର୍ଚ୍ଚାର ବିଷୟ।
ସଦ୍ୟ ପାରିତ ଏମ୍ଏମ୍ଡିଆର୍ ସଂଶୋଧନ ବିଲ୍ ଏହି ଚର୍ଚ୍ଚାକୁ ଆହୁରି ତୀବ୍ର କରିଛି। ଖଣିଜ ସମ୍ପଦ ଉପରେ ରାଜ୍ୟର ଆର୍ଥିକ ଅଧିକାର ଓ ରାଜସ୍ବକୁ ନେଇ ବିଜେଡି ପ୍ରଶ୍ନ ଉଠାଇଛି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ସହ ସ୍ବତନ୍ତ୍ର ବିଧାନସଭା ଅଧିବେଶନ ଡାକିବାକୁ ଦାବି କରିଛନ୍ତି। ବିଜେଡିର ଅଭିଯୋଗ, ଓଡ଼ିଶା ଖଣିଜ ସମ୍ପଦରେ ସମୃଦ୍ଧ ହୋଇଥିବାରୁ ଏଭଳି ଆଇନର ପ୍ରଭାବ ରାଜ୍ୟର ରାଜସ୍ବ ସ୍ବାର୍ଥ ଉପରେ ପଡ଼ିପାରେ। ଅନ୍ୟପଟେ କେନ୍ଦ୍ରର ଯୁକ୍ତି ହେଉଛି, ଖଣିଜ କ୍ଷେତ୍ରରେ ଏକ ସମାନ ଆର୍ଥିକ ବ୍ୟବସ୍ଥା ଓ ନିବେଶ ପାଇଁ ଅନୁକୂଳ ପରିବେଶ ସୃଷ୍ଟି ଏହି ପରିବର୍ତ୍ତନର ଉଦ୍ଦେଶ୍ୟ।
କୋଇଲା ରୟାଲ୍ଟି: ବର୍ଷ ବର୍ଷର ଦାବି
ଓଡ଼ିଶା ପାଇଁ କୋଇଲା ରୟାଲ୍ଟି ସଂଶୋଧନ ଏକ ପୁରୁଣା ପ୍ରସଙ୍ଗ। ୨୦୨୪ ଜୁଲାଇରେ ରାଜ୍ୟସଭାରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଥିଲେ, କୋଇଲା ରୟାଲ୍ଟି ସଂଶୋଧନ ୧୨ ବର୍ଷ ଧରି ପଡ଼ିରହିଛି ଏବଂ ଏଥିପାଇଁ ଓଡ଼ିଶା ପ୍ରତିବର୍ଷ ପ୍ରାୟ ୧୦ ହଜାର କୋଟି ଟଙ୍କା ହରାଉଛି ବୋଲି ସେ ଦାବି କରିଥିଲେ। ଓଡିଶାରେ ବିଜେପି ଶାସନକୁ ଆସିବାରେ ଦୁଇ ବର୍ଷ ହେବା ପରେ ମଧ୍ୟ ସ୍ପଷ୍ଟ ଆଭିମୁଖ୍ୟ ପ୍ରକାଶ କରାଯାଉ ନାହିଁ।
କେନ୍ଦ୍ରୀୟ ଅନୁଦାନ: ଆକଳନ ଅଧିକ, ପ୍ରାପ୍ତି କମ୍
ଓଡ଼ିଶା ସରକାରଙ୍କ ବଜେଟ୍ ତଥ୍ୟ ଅନୁଯାୟୀ, ୨୦୨୪-୨୫ରେ କେନ୍ଦ୍ରୀୟ ଅନୁଦାନ ପାଇଁ ₹୩୭,୭୬୮ କୋଟି ଆକଳନ ହୋଇଥିଲା, ହେଲେ ବାସ୍ତବ ପ୍ରାପ୍ତି ହୋଇଥିଲା ₹୧୭,୯୫୫.୫୧ କୋଟି। ଅର୍ଥାତ୍ ଆକଳନଠାରୁ ପ୍ରାୟ ₹୧୯,୮୧୩ କୋଟି କମ୍। ୨୦୨୫-୨୬ରେ ₹୪୧,୫୯୧.୭୩ କୋଟି ଆକଳନ ହୋଇଥିବାବେଳେ ସଂଶୋଧିତ ଆକଳନ ₹୪୧,୯୨୬.୩୦ କୋଟି। ତେବେ ୨୦୨୬-୨୭ରେ ପୁଣି କେନ୍ଦ୍ରୀୟ ଅନୁଦାନର ବଜେଟ୍ ଆକଳନ ₹୪୦,୦୪୦ କୋଟିକୁ ହ୍ରାସ କରାଯାଇଛି।
ମହାନଦୀ: ବିରୋଧୀରୁ ଶାସକ ହେବା ପରେ ବଦଳିଲା ଆଭିମୁଖ୍ୟ
ମହାନଦୀ ଜଳ ବିବାଦ ଏହି ରାଜନୈତିକ ସମୀକରଣର ଆଉ ଏକ ବଡ଼ ଉଦାହରଣ। ବିଜେପି ଓ ବିଜେଡି ବିରୋଧୀ ଥିବା ସମୟରେ ଏହି ପ୍ରସଙ୍ଗ ଓଡ଼ିଶା ରାଜନୀତିର ଏକ ପ୍ରମୁଖ ମୁଦ୍ଦା ଥିଲା। ଏବେ ଓଡ଼ିଶା, ଛତିଶଗଡ଼ ଓ କେନ୍ଦ୍ରରେ ବିଜେପି ସରକାର ଥିବାରୁ ବିଜେଡି ‘ଟ୍ରିପଲ୍ ଇଞ୍ଜିନ୍’ ସରକାରକୁ ନିଶାଣ କରୁଛି। ଜୁଲାଇ ୩୦ରେ କେନ୍ଦ୍ରୀୟ ଜଳଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ବୈଠକ ମଧ୍ୟ ହୋଇଛି। ମୁଖ୍ୟମନ୍ତ୍ରୀ ମାଝୀ ତିନି ମାସ ମଧ୍ୟରେ ବିବାଦର ସମାଧାନ ନେଇ ଆଶା ପ୍ରକାଶ କରିଥିବାବେଳେ ବିଜେଡି ସରକାରକୁ ବିଫଳ ବୋଲି ସମାଲୋଚନା କରିଛି।
ଏକା ଦଳର ସରକାର ଥିବାରୁ ମହାନଦୀ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଓଡ଼ିଶା ବିଜେପି ଦିଲ୍ଲୀ ଓ ରାୟପୁର ଉପରେ ରାଜନୈତିକ ଚାପ ସୃଷ୍ଟି କରିପାରୁ ନାହିଁ ବୋଲି ଅଭିଯୋଗ ହେଉଛି।
‘ଡବଲ୍ ଇଞ୍ଜିନ୍’ର ଅର୍ଥ କେବଳ ସମନ୍ବୟ ନା ଦାବି ଆଦାୟ କରିବାର କ୍ଷମତା?
ଓଡ଼ିଶା ବିଜେପି ପାଇଁ ଏବେ ସବୁଠାରୁ ବଡ଼ ରାଜନୈତିକ ପ୍ରଶ୍ନ ଏହିଠାରେ। କେନ୍ଦ୍ର ଓ ରାଜ୍ୟରେ ଏକା ଦଳର ସରକାର ରହିବା ନିଶ୍ଚିତ ଭାବେ ସମନ୍ବୟକୁ ସହଜ କରିପାରେ। କିନ୍ତୁ ଏହାର ଅର୍ଥ ଯଦି ଓଡ଼ିଶାର ଦାବି ନେଇ ଦିଲ୍ଲୀରେ ରାଜ୍ୟ ନେତାମାନେ ପ୍ରଶ୍ନ ଉଠାଇବେ ନାହିଁ, ତେବେ ‘ଡବଲ୍ ଇଞ୍ଜିନ୍’ର ରାଜନୈତିକ ଯଥାର୍ଥତା ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ।
ଅନ୍ୟ ପଟେ ବିଜେଡି ପାଇଁ ଏହା ଏକ ରାଜନୈତିକ ସୁଯୋଗ। ୨୪ ବର୍ଷ ଧରି ଓଡ଼ିଶାର ସ୍ବାର୍ଥ, ରାଜ୍ୟର ଅଧିକାର ଓ କେନ୍ଦ୍ରୀୟ ଅବହେଳାକୁ ନେଇ ଯେଉଁ ରାଜନୈତିକ ବୟାନ ଦଳ ଗଢ଼ିଥିଲା, ଏବେ ସେହି ଅସ୍ତ୍ରକୁ ପୁଣି ହାତରେ ନେବାକୁ ଉଦ୍ୟମ କରୁଛି। ଏମ୍ଏମ୍ଡିଆର୍ ବିଲ୍ ପ୍ରସଙ୍ଗରେ ନବୀନଙ୍କ ସ୍ବତନ୍ତ୍ର ଅଧିବେଶନ ଦାବି ସେହି ରଣନୀତିର ଏକ ଅଂଶ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।